ଭୁବନେଶ୍ୱର : ପ୍ରଦୂଷିତ ଜଳ ବ୍ୟବହାର କରି ଦୟାନଦୀ କୂଳରେ ଥିବା କଳାସ ଅଞ୍ଚଳରେ ୪ଜଣ ଲୋକଙ୍କ ମୃତ୍ୟୁ ସହ ଅନେକ ଆକ୍ରାନ୍ତ ହୋଇଥିବା ପରିପ୍ରେକ୍ଷୀରେ ଏବେ ଦୟାନଦୀ ଜଳକୁ ପ୍ରଦୂଷଣମୁକ୍ତ କରିବାପାଇଁ ଶାସକ ଓ ବିରୋଧିଦଳ ମଧ୍ୟରେ ବିବୃତ୍ତିଯୁଦ୍ଧ ଚାଲିଛି । କିନ୍ତୁ ଦୟା ସମେତ ରାଜ୍ୟର କୌଣସି ଗୋଟିଏ ହେଲେ ନଦୀର ଜଳ ଏମିତିକି ଚିଲିକା ଓ ଅଂଶୁପା ଭଳି ହ୍ରଦର ଜଳ ପ୍ରଦୂଷଣମୁକ୍ତ ନୁହେଁ ବୋଲି ବର୍ଷ ବର୍ଷ ଧରି ଜାଣିବା ସତ୍ୱେ କାହିଁକି ଉଭୟ ସରକାର ଓ ବିରୋଧିଦଳ ଏ ପ୍ରସଙ୍ଗରେ ନିରବ ରହି ଆସିଛନ୍ତି ସେଥିଘେନି ପରିବେଶପ୍ରେମୀମାନେ ପ୍ରଶ୍ନ ଉଠାଉଛନ୍ତି ।
ରାଜଧାନୀ ଭୁବନେଶ୍ୱରର ନାଳ ନର୍ଦ୍ଦମା ସମେତ ଅନ୍ୟ ବର୍ଜ୍ୟବସ୍ତୁ ଯେଭଳି ଗଙ୍ଗୁଆ ନାଳ ଦେଇ ଦୟାରେ ମିଶି ଏହାର ଶାଖାନଦୀଗୁଡିକ ସମେତ ଚିଲିକାକୁ ପ୍ରଦୂଷିତ କରୁଛି ତାହା ସମସ୍ତଙ୍କୁ ଜଣା । ବାରମ୍ବାର ରାଜ୍ୟ ବିଧାନସଭାରେ ସରକାର ସ୍ୱୀକାର କରି ଆସୁଛନ୍ତି ଯେ ରାଜ୍ୟର ଗୋଟିଏ ହେଲେ ନଦୀର ଜଳ ପାନୀୟ ଉପଯୋଗୀ କିମ୍ବା ପ୍ରଦୂଷଣମୁକ୍ତ ନୁହେଁ । ଏମିତିକି ବର୍ତ୍ତମାନ ଚର୍ଚ୍ଚାର ବଳୟରେ ଥିବା ଦୟାନଦୀର ଜଳ ବ୍ୟବହାର ଉପଯୋଗୀ ନୁହେଁ ବୋଲି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଜଙ୍ଗଲ ଓ ପରିବେଶ ବିଭାଗ ଅତୀତରେ ସ୍ୱୀକାର କରିଛନ୍ତି ।
ମହାନଦୀ, ବ୍ରାହ୍ମଣୀ, ବୈତରଣୀ, କୁଶଭଦ୍ରା, ଋଷିକୂଲ୍ୟା, କୋଲାବ, ବୁଢାବଳଙ୍ଗ, କାଠଯୋଡି, ଦେବୀ, ବିରୂପା, ଗେଙ୍ଗୁଟି, ଭାର୍ଗବୀ, କୁଆଖାଇ, ସୋନ ସମେତ ରାଜ୍ୟର ସମସ୍ତ ନଦୀର ଜଳ ପ୍ରଦୂଷିତ ହେବାର ପ୍ରମୁଖ କାରଣ ହେଉଛି ଶିଳ୍ପାୟନ, ସହରୀକରଣ ଓ ଖଣିଜ ଉତ୍ତୋଳନ । ଏଥି ସହ କୀଟନାଶକ ଓ ରସାୟନିକ ସାରର ମଧ୍ୟ ବିଷାକ୍ତ ପ୍ରଭାବ ନଦୀ ଓ ହ୍ରଦର ଜଳଗୁଡିକରେ ବାରିହୋଇ ଯାଉଛି ।
ପରିବେଶବିତ୍ମାନେ କହୁଛନ୍ତି ଯେ ପ୍ରାକୃତି ଓ ମନୁଷ୍ୟକୃତ କାରଣରୁ ରାଜ୍ୟରେ ପ୍ରବାହିତ ନଦୀଗୁଡିକର ଜଳଧାରଣ କ୍ଷମତା କମିବା ସହ ଏହାର ସିଧାସଳଖ ପ୍ରଭାବ ଭୂତଳ ଜଳସ୍ତର ଏବଂ ଜଳସେଚନ ବ୍ୟବସ୍ଥା ଉପରେ ପଡୁଛି । ପ୍ରଦୂଷିତ ଜଳକୁ ଫସଲ ଉତ୍ପାଦନ ପାଇଁ ବ୍ୟବହାର କରିବା ଏବଂ ମଣିଷ ସମତେ ଅନ୍ୟ ଗୃହପାଳିତ ପଶୁ ଓ ଜୀବଜନ୍ତୁ ଏହା ସଂସ୍ପର୍ଶରେ ଆସି ବିପୁଳ କ୍ଷତିର ସମ୍ମୁଖୀନ ହେଉଛନ୍ତି । ବିଶେଷକରି ଉଦାରୀକରଣ, ଜଗତିକରଣ, ଶିଳ୍ପାୟନ, ଆଖିବୁଜା ଖଣି ଖନନ ସହିତ ଜଙ୍ଗଲ ସଫେଇ ଆଦି କାରଣ ଯୋଗୁଁ ଜଳ ସମ୍ପଦ ଏବେ ବିପଦ ଭିତରେ ରହିଥିବା ସେମାନେ ଦର୍ଶାଉଛନ୍ତି ।
କଣାସ ଅଞ୍ଚଳରେ ଦୟାନଦୀର ପ୍ରଦୂଷିତ ଜଳ ଯୋଗୁଁ ଉପୁଜୁଥିବା ସାଂଘାତିକ ସମସ୍ୟା ସାରା ଓଡିଶା ପାଇଁ ଚେତାବନୀ । ନିକଟ ଅତୀତରେ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ଦୂଷିତ ଜଳ ଯୋଗୁଁ ଜଣ୍ଡିସ୍ ବ୍ୟାପିଥିବା ଘଟଣା ପରିବେଶବିତ୍ମାନଙ୍କ ମନରୁ ଲିଭିନଥିବାବେଳେ ନିଆଁରେ ଘିଅ ଢାଳିବା ଭଳି ଗଙ୍ଗୁଆ ଓ ଦୟା ପ୍ରଦୂଷଣ ପ୍ରତିକୂଳ ପରିସ୍ଥିତି ସୃଷ୍ଟି କରିଛି । କେବଳ ସେତିକି ନୁହେଁ, ଚିଲିକା ହ୍ରଦରେ ମିଶିଥିବା ୧୩ଟି ଯାକ ନଦୀନାଳର ଜଳ ପ୍ରଦୂଷିତ ହୋଇଥିବାରୁ ଏହାର ପ୍ରଭାବ ଏସିଆର ସର୍ବ ବୃହତ୍ତମ ଲବଣାକ୍ତ ହ୍ରଦ ଉପରେ ପଡିବା ସହ ଏହାର ମୁହାଣ ବାଟ ଦେଇ ପ୍ରଦୂଷିତ ଜଳ ସମୁଦ୍ରକୁ ଯାଉଥିବାରୁ ତାହା ମଧ୍ୟ ବିପଦ ସୃଷ୍ଟି କରିବାର ସମ୍ଭାବନା ରହିଛି । ଏସବୁ ସମସ୍ୟାକୁ ବୈଜ୍ଞାନିକ ଦୃଷ୍ଟିକୋଣରୁ ବିଶ୍ଳେଷଣ କରି ଗଙ୍ଗୁଆ,ଦୟା ସମେତ ରାଜ୍ୟର ସମସ୍ତ ନଦୀର ଜଳ କିଭଳି ପ୍ରଦୂଷଣମୁକ୍ତ ହୋଇପାରିବ ଏବଂ ନଦୀଗୁଡିକ ଚିରସ୍ରୋତା ରହି ଚାଷ ଓ ଜନଜୀବନ ଉପରେ ସକରାତ୍ମକ ପ୍ରଭାବ ପକାଇବ ସେ କ୍ଷେତ୍ରରେ ସରକାର ଆଗେ ସଚେତନ ହୁଅନ୍ତୁ ଏବଂ ଏଥିଲାଗି ଜନ ସହଯୋଗ ଲୋଡନ୍ତୁ ବୋଲି ପରିବେଶପ୍ରେମୀମାନେ ଉଲ୍ଲେଖ କରୁଛନ୍ତି । (ତଥ୍ୟ)