ଭୁବନେଶ୍ୱର : ଓଡ଼ିଶାରେ ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା ୧୯୪୩ ମସିହାରେ । ଏବେ ରାଜ୍ୟର ବିଶ୍ୱବିଦ୍ୟାଳୟ ସଂଖ୍ୟା ୪୩ରେ ପହଞ୍ôଚଲାଣି । ଏଥିରୁ ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ଉଚ୍ଚ ଶିକ୍ଷା ବିଭାଗ ନିୟନ୍ତ୍ରଣରେ ରହିଥିବାବେଳେ ଅନ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକ କୃଷି, ସଂସ୍କୃତି, ବୈଷୟିକ ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବିଭାଗ ନିୟନ୍ତ୍ରଣରେ ରହିଛି ।
ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ରାୟ ୬୦ ପ୍ରତିଶତ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଥିବା ଏବଂ ଏକ ଡଜନରୁ ଅଧିକ ବିଶ୍ୱବିଦ୍ୟାଳୟରେ ନିୟମିତ କୁଳପତି ନଥିବା ପରିପ୍ରେକ୍ଷୀରେ ଏଗୁଡ଼ିକର ପ୍ରଶାସନିକ, ଶୈକ୍ଷିକ ଓ ଗବେଷଣା ଅବସ୍ଥା ଦିନକୁ ଦିନ ଭୁଶୁଡ଼ିବାରେ ଲାଗିଛି । ଏ ପରିପ୍ରେକ୍ଷୀରେ ରାଜ୍ୟର କୃତି ଛାତ୍ରଛାତ୍ରୀମାନେ ଅନ୍ୟ ବେସରକାରୀ ବିଶ୍ୱବିଦ୍ୟାଳୟ ଏମିତି କି ଦେଶ ବିଦେଶର ନାମୀଦାମୀ ଶିକ୍ଷାନୁଷ୍ଠାନକୁ ପାଠ ପଢ଼ିବାକୁ ପଳାଉଛନ୍ତି ।
ସରକାରୀ ତଥ୍ୟ ମୁତାବକ ଏବେ ଉତ୍କଳ, ରେଭେନ୍ସା, ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେବ, ଗଙ୍ଗାଧର ମେହେର, ଖଲ୍ଲିକୋଟ, ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ, ଧରଣୀଧର ବିଶ୍ୱବିଦ୍ୟାଳୟ, ବିକ୍ରମଦେବ ବିଶ୍ୱବିଦ୍ୟାଳୟ, ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ଆଦିରେ ନିୟମିତ କୁଳପତି ନାହାନ୍ତି । ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ଏହି ମାସରେ ଅବସର ଗ୍ରହଣ କରିବାକୁ ଯାଉଛନ୍ତି । ଓଡ଼ିଶା ମୁକ୍ତ ବିଶ୍ୱବିଦ୍ୟାଳୟର ସ୍ଥିତି ଅତି ସାଙ୍ଘାତିକ ଅବସ୍ଥାରେ ରହିଛି ।
୧୫ଟି ସରକାରୀ ବିଶ୍ୱବିଦ୍ୟାଳୟରେ ନୂଆ କୁଳପତି ନିଯୁକ୍ତ ପାଇଁ ଉଚ୍ଚଶିକ୍ଷା ବିଭାଗ ଏବଂ କୁଳାଧିପତିଙ୍କ ଦପ୍ତର ତତ୍ପରତା ପ୍ରକାଶ କରିଥିଲେ ମଧ୍ୟ ଏଯାବତ୍ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇନାହିଁ । ଏ ପରିପ୍ରେକ୍ଷୀରେ କେବେ ସୁଦ୍ଧା ବିଶ୍ୱବିଦ୍ୟାଳୟଗୁଡ଼ିକ ନିୟମିତ କୁଳପତି ପାଇବେ ସେକଥା ନିର୍ଦ୍ଦିଷ୍ଟ ଭାବେ କେହିକିଛି କହିପାରୁ ନାହାନ୍ତି । ସଂଶୋଧିତ ନିୟମ ଆଧାରରେ ନୂଆ କୁଳପତି ନିଯୁକ୍ତ ହେବା କଥା ।
କୁଳପତି ନିଯୁକ୍ତି ପର୍ବ ସରିବା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକର ସିଣ୍ଡିକେଟ୍ ପୁନର୍ଗଠନ ହେବ ଏବଂ ବିଭିନ୍ନ ବିଶ୍ୱବିଦ୍ୟାଳୟରେ ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀମାନ ପୂରଣ କରିବା ପାଇଁ ବିଷୟୱାରୀ ପ୍ରକ୍ରିୟା ଆରମ୍ଭ ହେବ । ପ୍ରାର୍ଥୀମାନଙ୍କ ଠାରୁ ଆବେଦନ ଗ୍ରହଣ ପରେ ସେଗୁଡ଼ିକର ତନଖି କରାଯାଇ ବିଷୟ ବିଶେଷଜ୍ଞମାନଙ୍କ ସହାୟତାରେ ବିଭିନ୍ନ ବିଭାଗର ସହକାରୀ ପ୍ରଫେସର, ସହଯୋଗୀ ପ୍ରଫେସର ଓ ପ୍ରଫେସର ପଦବୀ ପୂରଣ କରାଯିବ । ଏବେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ୨୩୦ରୁ ଅଧିକ ପ୍ରଫେସର ପଦବୀ, ୪୦୦ରୁ ଅଧିକ ସହଯୋଗୀ ପ୍ରଫେସର ଓ ପାଖାପାଖି ୬୦୦ ସହକାରୀ ପ୍ରଫେସର ପଦବୀ ଖାଲି ପଡିଛି । ସହଯୋଗୀ ପ୍ରଫେସର ଓ ପ୍ରଫେସର ପଦବୀ ପଦୋନ୍ନତି ଓ ପ୍ରତ୍ୟକ୍ଷ ନିଯୁକ୍ତି ମାଧ୍ୟମରେ କରାଯାଇପାରିବ ।
ମୋଟାମୋଟି ଭାବେ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ୧୭ଟି ସରକାରୀ ବିଶ୍ୱବିଦ୍ୟାଳୟ ଲାଗି ୧୯୧୧ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୧୨୦୦ ଅଧିକ ପଦବୀ ଖାଲି ପଡିଛି । ସେହିପରି ଏହି ବିଶ୍ୱବିଦ୍ୟାଳୟଗୁଡ଼ିକ ପାଇଁ ୨୯୬୯ଟି ମଞ୍ଜୁରୀ ପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ବି ପାଖାପାଖି ୨୨୦୦ ପଦବୀ ଖାଲି । ମୋଟାମୋଟି ଭାବେ ବର୍ଷବର୍ଷ ଧରି ଓଡ଼ିଶାର ବିଶ୍ୱବିଦ୍ୟାଳୟଗୁଡ଼ିକ ନାହିଁ ନାହିଁରେ ଚାଲିଛନ୍ତି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଉପରେ ରାଜ୍ୟର କୃଷି ବିକାଶ, ମାଛଚାଷ, ପ୍ରାଣୀଧନ ସମ୍ବଳ ବିକାଶ ଆଦି ନିର୍ଭର କରିଥାଏ । କିନ୍ତୁ କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟରେ ମଧ୍ୟ ଶିକ୍ଷକ ଓ ଅଣଶିକ୍ଷକ ମରୁଡ଼ିର ସ୍ଥିତି ସାଙ୍ଘାତିକ ଅବସ୍ଥାରେ ରହିଛି । ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ଆଦିର ଦୁରବସ୍ଥା କହିଲେ ନସରେ ।
ସଂଶୋଧିତ ଆଇନ୍ ଆଧାରରେ ଖୁବ୍ଶୀଘ୍ର ବିଶ୍ୱବିଦ୍ୟାଳୟଗୁଡ଼ିକର ଖାଲି ପଦବୀ ପୂରଣ ପାଇଁ ବ୍ୟବସ୍ଥା କରାଯାଉଥିବା କୁହାଯାଉଛି । କୃଷି ବିଶ୍ୱବିଦ୍ୟାଳୟରେ ୭୩ଟି ପ୍ରଫେସର ପଦବୀରୁ ୬୩ଟି ଖାଲି ପଡିଥିବାବେଳେ ଉତ୍କଳ ବିଶ୍ୱବିଦ୍ୟାଳୟରେ ୪୬ଟି ପ୍ରଫେସର ପଦବୀରୁ ୩୫ଟି ଖାଲି । ରେଭେନ୍ସାରେ ୨୯ରୁ ୨୦ଟି ପ୍ରଫେସର ପଦବୀ ଖାଲି ଥିବାବେଳେ ମହାରାଜ ଶ୍ରୀରମାଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟରେ ୧୯ରୁ ୧୫, ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ୨୨ରୁ ୧୮, ଗଙ୍ଗାଧର ବିଶ୍ୱବିଦ୍ୟାଳୟରେ ୨୩ରୁ ୨୧, ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ୨୪ରୁ ୧୮, ଫକୀରମୋହନରେ ୧୮ରୁ ୧୪ ପ୍ରଫେସର ପଦବୀ ଖାଲି । ଖଲ୍ଲିକୋଟ, ରାଜେନ୍ଦ୍ର, ବିକ୍ରମଦେବ, ଧରଣୀଧର, ମାଣିକେଶ୍ୱରୀ ଓ ମଧୁସୂଦନ ଆଇନ୍ ବିଶ୍ୱବିଦ୍ୟାଳୟରେ ସମସ୍ତ ପ୍ରଫେସର ପଦବୀ ଖାଲି ପଡିଛି । (ତଥ୍ୟ)