Home Education ଦ୍ୱନ୍ଦରେ ଛାତ୍ର ସଂସଦ ନିର୍ବାଚନ

ଦ୍ୱନ୍ଦରେ ଛାତ୍ର ସଂସଦ ନିର୍ବାଚନ

ଭୁବନେଶ୍ୱର : ଚଳିତ ବର୍ଷ ମହାବିଦ୍ୟାଳୟଗୁଡିକରେ ଛାତ୍ରସଂସଦ ନିର୍ବାଚନ ହେବା ନେଇ ଖୋଦ ଉଚ୍ଚଶିକ୍ଷାମନ୍ତ୍ରୀ ଘୋଷଣା କରିବାପରେ ବିଭିନ୍ନ ଛାତ୍ର ସଂଗଠନ ସକ୍ରିୟ ହୋଇ ଉଠିଛନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଉନଥିବାରୁ ନିର୍ବାଚନ ଲଢିବାପାଇଁ ଆଶାୟୀଥିବା ଛାତ୍ରଛାତ୍ରୀମାନେ ଦ୍ୱନ୍ଦରେ ଅଛନ୍ତି ।

ରାଜ୍ୟରେ ନୂଆ ସରକାର ଆସିବା ପରେ ଦୀର୍ଘଦିନ ଧରି ବନ୍ଦଥିବା ଛାତ୍ର ସଂସଦ ର୍ନିବାଚନ ନେଇ ଆଶା ସଞ୍ଚାର ହୋଇଥିଲା । ଖୋଦ ଉଚ୍ଚଶିକ୍ଷାମନ୍ତ୍ରୀ ମଧ୍ୟ ଏ ନେଇ ସଙ୍କେତ ଦେଇଥିଲେ । ଏହାପରେ ବିଭିନ୍ନ ଛାତ୍ର ସଂଗଠନଗୁଡିକ ଚଳଚଞ୍ଚଳ ହୋଇ ଉଠିଥିଲେ । ନିଜ ନିଜ ସଂଗଠନକୁ କଲେଜ କ୍ୟାମ୍ପସରେ ସୁଦୃଢ କରିବା ଲାଗି ସେମାନେ ଲାଗି ପଡିଛନ୍ତି । ହେଲେ ଛାତ୍ରସଂସଦ ର୍ନିବାଚନ ନେଇ ଏବେ ଆଉ କୌଣସି ସୋର ଶବ୍ଦ ନାହିଁ ।

ଛାତ୍ର ସଂସଦ ର୍ନିବାଚନ ସାଧାରଣତଃ ଦୁର୍ଗାପୂଜା ଛୁଟି ପୂର୍ବରୁ ହୋଇଥାଏ । ନିର୍ବାଚନ ଫଳାଫଳ ପ୍ରକାଶ ସହିତ ପୂଜା ଛୁଟି ଘୋଷଣା କରାଯାଇଥାଏ । ସେହି ଅନୁଯାୟୀ ନିର୍ବାଚନ କାର୍ଯ୍ୟସୂଚୀ ପ୍ରସ୍ତୁତ ହୋଇଥାଏ । ଏହି ସୂଚୀ ପ୍ରକାଶ ପାଇଲା ପରେ ବିଭିନ୍ନ ଛାତ୍ର ସଂଗଠନ ସେମାନଙ୍କର ପ୍ରାର୍ଥୀମାନଙ୍କୁ ଆଗକୁ ଆଣି ପ୍ରଚାର ଆରମ୍ଭ କରିଥାନ୍ତି । ଶିକ୍ଷାନୁଷ୍ଠାନର ବିଭିନ୍ନ ପ୍ରସଙ୍ଗ ଉଠାଇ ଛାତ୍ରଛାତ୍ରୀମାନଙ୍କୁ ନିଜ ପଟକୁ ଆକର୍ଷିତ କରିଥାନ୍ତି ।

ଛାତ୍ରଛାତ୍ରୀମାନଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଧାରଣା, ପ୍ରତିବାଦ, ଶୋଭାଯାତ୍ରା ଆଦି ଆୟୋଜନ ହୋଇଥାଏ । ଶିକ୍ଷାନୁଷ୍ଠାନ ଆଖପାଖରେ ପ୍ରାର୍ଥୀମାନେ ରଙ୍ଗ ବେରଙ୍ଗର ବ୍ୟାନର ଟଙ୍ଗାଇଥାନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟସୂଚୀ ଘୋଷଣା କରାଯାଉନଥିବାରୁ ଏବର୍ଷ ଛାତ୍ରସଂସଦ ର୍ନିବାଚନ ହେବ ନା ବିଗତବର୍ଷମାନଙ୍କ ଭଳି ସ୍ଥଗିତ ରହିବ ସେଥିଘେନି ଦ୍ୱନ୍ଦ ରହିଥିବାରୁ ଆଶାୟୀ ପ୍ରାର୍ଥୀମାନେ ପ୍ରଚାର ସାମଗ୍ରୀ ପ୍ରସ୍ତୁତ କରିପାରୁ ନାହାନ୍ତି ।

ବିଜେଡି ସରକାର ସମୟରେ ପ୍ରାୟ ୬ବର୍ଷ ଧରି ବିଶ୍ୱବିଦ୍ୟାଳୟ ଓ କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ସେତେବେଳେ ବିଜେପି, କଂଗ୍ରେସ, ବାମପନ୍ଥୀ ଆଦି ରାଜନୈତିକଦଳ ଏବଂ ସେମାନଙ୍କ ଯୁବ ଓ ଛାତ୍ର ଶାଖାମାନେ ଛାତ୍ରସଂସଦ ର୍ନିବାଚନ ପାଇଁ ଦାବି କରିଆସୁଥିଲେ । ଏବେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ନେତାମାନେ ର୍ନିବାଚନ ଘେନି ଆଶାବାଦୀ ଅଛନ୍ତି । ଅନ୍ୟ ପକ୍ଷରେ ବିଜେଡି, କଂଗ୍ରେସ ଓ ବାମପନ୍ଥୀ ଛାତ୍ର ସଂଗଠନଗୁଡିକ ଛାତ୍ରସଂସଦ ନିର୍ବାଚନର କାର୍ଯ୍ୟସୂଚୀ ଘେନି ବିଧିବଦ୍ଧ ଭାବେ ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ପ୍ରକାଶ କରୁନଥିବାରୁ ସମାଲୋଚନା କରୁଛନ୍ତି ।

ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ବ୍ୟାପକ ସଂଖ୍ୟକ ଶିକ୍ଷକ ଓ ଅଣଶିକ୍ଷକ ପଦବୀ ଖାଲି ପଡିଛି । ଏହାଛଡା ଏନଆଇଆରଏଫ୍‍ ରାଙ୍କିଙ୍ଗ୍‍ରେ ଏଥର ଓଡିଶାର ସରକାରୀ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ମଧ୍ୟ ଭିତ୍ତିଭୂମି ସମସ୍ୟା ଲାଗି ରହିଛି । ଏମିତିକି ଉତ୍କଳ ବିଶ୍ୱବିଦ୍ୟାଳୟ ଭଳି ରାଜ୍ୟର ସର୍ବ ପୁରାତନ ଉଚ୍ଚଶିକ୍ଷାନୁଷ୍ଠାନରେ ହଷ୍ଟେଲରେ ଥିବା ପିଲାମାନଙ୍କ ପାଇଁ କ୍ୟାଣ୍ଟିନ ଚାଲୁନଥିବାରୁ ସେମାନଙ୍କୁ ବାହାରେ ଖାଇବାକୁ ପଡୁଛି । ଏମିତି ମାଳ ମାଳ ସମସ୍ୟାକୁ ନେଇ ଆଗାମୀ ଦିନରେ ଛାତ୍ର ଆନ୍ଦୋଳନର ସମ୍ଭାବନା ଥିବା ଦୃଷ୍ଟିରୁ ନିର୍ବାଚନ କରାଯିବ କି ନାହିଁ ସେଥିଘେନି ବିଭାଗୀୟ କର୍ତ୍ତୃପକ୍ଷଙ୍କ ଠାରୁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ମୁଖିଆମାନେ ସବୁଜ ସଙ୍କେତ ପାଇପାରୁ ନାହାନ୍ତି । ଏହା ସତ୍ୱେ ବି କେତେକ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ଆଶାୟୀ ଛାତ୍ରନେତାମାନେ ବିଭିନ୍ନ ପ୍ରସଙ୍ଗ ଉଠାଇ ଧାରଣା ଶୋଭାଯାତ୍ରା ଆଦି ଆରମ୍ଭ କଲେଣି । ତେବେ ଏଥର ନିର୍ବାଚନ ବେଶ୍‍ ସଂଘର୍ଷପୂର୍ଣ୍ଣ ହେବାର ଆଶଙ୍କା ଥିବାରୁ ଅଭିଭାବକମାନେ ବି ଚିନ୍ତାରେ ଅଛନ୍ତି । (ତଥ୍ୟ)