ଭୁବନେଶ୍ୱର : ରାଜଧାନୀର ଗଳିକନ୍ଦିରେ ଏବେ ବ୍ୟବସାୟିଙ୍କ ଭିଡ । ପ୍ରବାସୀ ଭାରତୀୟ ଦିବସ ପାଇଁ ପ୍ରମୁଖ ରାସ୍ତାପାଶ୍ୱର୍ରେ ଥିବା ବ୍ୟବସାୟୀମାନଙ୍କୁ ପ୍ରଶାସନ ହଟାଇ ଦେଉଥିବାରୁ ସେମାନେ ଏବେ ଗଳି କନ୍ଦିରେ ପସରା ଖୋଲିବାରେ ଲାଗିଛନ୍ତି । ଏଥିଯୋଗୁଁ କେଉଁଠାରେ ଆବାସିକ ଲୋକଙ୍କ ସହିତ ବ୍ୟବସାୟୀମାନେ ମୁହାଁମୁହିଁ ହେଉଛନ୍ତି ତ ଆଉ କେଉଁଠାରେ ଗୁରୁତର ଟ୍ରାଫିକ ସମସ୍ୟା ଉପୁଜୁଛି ।
ଆସନ୍ତା ୮ ତାରିଖରୁ ରାଜ୍ୟଧାନୀରେ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପ୍ରଶାସନ ରାଜଧାନୀକୁ ସଜାଇବାରେ ଲାଗିଛି । କାନ୍ଥବାଡରେ ଚିତ୍ର ଅଙ୍କାଯିବା ସହିତ ଗଛ ଡାଳ କଟାଯାଇ ସେଥିରେ ରଙ୍ଗ ବେରଙ୍ଗର ଆଲୋକ ଟଙ୍ଗାଇ ଦିଆଯାଉଛି ।
ପ୍ରବାସୀମାନେ ଯେଭଳି ସହରର ସୁନ୍ଦର ଚିତ୍ର ଦେଖିବେ ସେଥବପାଇଁ ବିଏମସି, ବିଡିଏ ଓ ସାଧାରଣ ପ୍ରଶାସନ ମିଳିତ ଭାବେ ସହରର ପ୍ରମୁଖ ରାସ୍ତାକଡରେ ଥିବା ବ୍ୟବସାୟୀମାନଙ୍କୁ ଉଠାଇବାରେ ଲାଗିଛନ୍ତି । ପ୍ରବାସୀଙ୍କ ଆଖିରେ ଯେଭଳି ଉଠାଦୋକାନୀ, ବସ୍ତି ଆଦି ନପଡିବ ସେଥିପାଇଁ ଦିନରାତି ଜବରଦଖଲ ଉଚ୍ଛେଦ ଚାଲିଛି ।
ତେବେ ସହରର ପ୍ରମୁଖ ରାସ୍ତାକଡରେ ଦୀର୍ଘଦିନ ହେଲା ପସରା ମେଲିଥିବା ବ୍ୟବସାୟୀମାନେ ଏବେ ନିକଟରେ ଥିବା ଗଳିକନ୍ଦିକୁ ଉଠି ଯାଉଛନ୍ତି । କେତେକ ସ୍ଥାନରେ ଆନ୍ଦୋଳନ ଭୟରେ ପ୍ରଶାସନ ବି ସେମାନଙ୍କୁ ନେଇ ସେଠାରେ ଥଇଥାନ କରିଦେଉଛି । ଏଥିଯୋଗୁଁ ଏବେ ବିଭିନ୍ନ ସ୍ଥାନରେ ଗଳି ରାସ୍ତାରେ ଭିଡ ପରିଲକ୍ଷିତ ହେଉଛି । ଏପରିକି ଜନବସତି ଥିବା ସ୍ଥାନରେ ରାତି ପାହିଲେ ଦୋକାନୀମାନେ ପସରା ଖୋଲୁଥିବାରୁ ସେଠାରେ ଲୋକଙ୍କ ଭିଡ ଜମିବାରେ ଲାଗିଛି ।
ଅଣଓସାରିଆ ଗଳି ରାସ୍ତାରେ ଖାଇବା ଦୋକାନ ଓ ପରିବା ଦୋକାନୀମାନେ ବସୁଥିବାରୁ ସେଠାରେ ଭିଡ ଜମୁଛି । ସ୍ଥାନାଭାବ ଯୋଗୁଁ ଲୋକେ ରାସ୍ତା ଉପରେ ଗାଡିମୋଟର ଛିଡାକରି ଦୋକାନରେ ଖାଉଛନ୍ତି ନହେଲେ ପନି ପରିବା କିଣୁଛନ୍ତି । ଫଳରେ ସେହିସବୁ ରାସ୍ତାରେ ଧିରେ ଧିରେ ଟ୍ରାଫିକ ଭିଡ ବଢିବାରେ ଲାଗିଛି ।
ଦୋକାନୀଙ୍କ ସଂଖ୍ୟା ବଢୁଥିବାରୁ ଓ ସେମାନେ କ୍ୟାବିନ୍ ପକାଇ ରାସ୍ତାପାଶ୍ୱର୍ ସ୍ଥାନ ମାଡି ବସୁଥିବାରୁ ସ୍ଥାନୀୟ ଲୋକେ ମଧ୍ୟ କେତେକ ସ୍ଥାନରେ ଏହାର ବିରୋଧ ଆରମ୍ଭ କରିଦେଲେଣି । ଆଗାମୀ ଦିନରେ ଏ ନେଇ ବିଏମ୍ସି ନିକଟରେ ଫେରାଦ ହେବାକୁ ବି ସଜବାଜ ହେଲେଣି । ବହୁ ସ୍ଥାନରେ ଏହି ବ୍ୟବସାୟୀମାନେ ଆଉ ପୂର୍ବସ୍ଥାନକୁ ଫେରିବାର ନାହିଁ । କାରଣ ପ୍ରଶାସନ ସେମାନଙ୍କୁ ଉଚ୍ଛେଦ କରିବା ସହିତ ସେହିସବୁ ସ୍ଥାନରେ ସିମେଣ୍ଟ ଖୁଣ୍ଟପୋତିବାରେ ଲାଗିଛି ।
ତେବେ ବହୁ ସ୍ଥାନରେ ବ୍ୟବସାୟୀମାନେ ମେଳି ହୋଇ ତିନି ଦିନିଆ ପ୍ରବାସୀ ଭାରତୀୟ ଦିବସ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି । ଏହାପରେ ସେମାନେ ନିଶ୍ଚିତ ଭାବେ ନିଜର ପୂର୍ବ ସ୍ଥାନକୁ ଫେରିବେ ବୋଲି କହୁଥିବାବେଳେ ଆଉ କିଛି ବ୍ୟବସାୟୀ ଅନ୍ତତଃ ପକ୍ଷେ ଜାନୁଆରୀ ଶେଷରେ ଅନୁଷ୍ଠିତ ହେଉଥିବା ଉତ୍କର୍ଷ ଓଡିଶା କାର୍ଯ୍ୟକ୍ରମ ସରିବା ପର୍ଯ୍ୟନ୍ତ ଅପେକ୍ଷା କରିଛନ୍ତି । (ତଥ୍ୟ)