ଭୁବନେଶ୍ୱର : ବିଗତ ପାଞ୍ଚ ବର୍ଷ ମଧ୍ୟରେ ଆଦିବାସୀଙ୍କ ଦ୍ୱାରା ପ୍ରସ୍ତୁତ ୧୭୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ଅନଲାଇନ୍ ଓ ଅଫ୍ଲାଇନ୍ ପ୍ଲାଟପର୍ମରେ ବିକ୍ରି ହୋଇଥିବାବେଳେ ଏଥିରେ ଓଡିଶାର ଆଦିବାସୀଙ୍କ ପ୍ରସ୍ତୁତ ପୋଷାକ ସାମଗ୍ରୀ ଠାରୁ ପ୍ରସାଧନ ସାମଗ୍ରୀ ରହିଛି । ବିଦେଶର ବିଭିନ୍ନ ସ୍ଥାନରେ ମଧ୍ୟରେ ଓଡିଶାର ସାମଗ୍ରୀ ଉପଲବ୍ଧ ହେଉଛି । କେନ୍ଦ୍ର ଆଦିବାସୀ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ରେଣୁକା ସିଂହ ସାରୁତା ଲୋକସଭାରେ ଦେଇଥିବା ଉତ୍ତରରୁ ଏହି ସୂଚନା ମିଳିଛି ।
ମନ୍ତ୍ରୀଙ୍କ ଉତ୍ତର ଅନୁଯାୟୀ କେନ୍ଦ୍ର ସରକାରଙ୍କ ଟ୍ରାଇଫେଡ୍ ସଂସ୍ଥା ଦ୍ୱାରା ଏହିସବୁ ସାମଗ୍ରୀ କାରବାର କରାଯାଉଛି । ଏଥିପାଇଁ ଜାତୀୟ ଅନୁସୂଚିତ ଜନଜାତି ଅର୍ଥ ଉନ୍ନୟନ ନିଗମ ଆର୍ଥିକ ସହାୟତା ପ୍ରଦାନ କରୁଛି । ୨୦୧୯-୨୦ ରୁ ଚଳିତ ଆର୍ଥିକ ବର୍ଷର ନଭେମ୍ବର ଶେଷ ପର୍ଯ୍ୟନ୍ତ ମୋଟ୍ ୧୭୨ କୋଟି ୫୫ଲକ୍ଷ ଟଙ୍କାର ସାମଗ୍ରୀ ବିକ୍ରିବଟା ହୋଇଛି । ଏହି ସୂଚନା ଅନୁଯାୟୀ କରୋନା ମହାମାରୀ ସମୟରେ ଯେତିକି ସାମଗ୍ରୀ ବିକ୍ରି ହେଉଥିଲା ସେଥିରେ ହ୍ରାସ ପରିଲକ୍ଷିତ ହୋଇଛି । ୨୦୧୯-୨୦ ବର୍ଷରେ ୪୦କୋଟି ଟଙ୍କାରୁ ଅଧିକ ସାମଗ୍ରୀ ବିକ୍ରି ହୋଇଥିବାବେଳେ ଚଳିତ ଆର୍ଥିକ ବର୍ଷର ୮ମାସ ମଧ୍ୟରେ ଏହା ୨୩କୋଟି ଟଙ୍କା ଅତିକ୍ରମ କରିପାରି ନାହିଁ । ୨୦୨୨-୨୩ ବର୍ଷରେ ଏହା ୩୬ କୋଟି ୧୨ଲକ୍ଷ ଟଙ୍କା ଥିଲା ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଓଡିଶାରୁ ଯେଉଁସବୁ ଆଦିବାସୀ ପ୍ରସ୍ତୁତ ସାମଗ୍ରୀ ବିକ୍ରି ହେଉଛି ସେଗୁଡିକ ମଧ୍ୟରେ ସଉରା ଚିତ୍ରକଳା, ପଟ୍ଟଚିତ୍ର, ହଳଦୀ ଭଳି ଜୈବିକ ଏବଂ ପ୍ରାକୃତିକ ଉତ୍ପାଦ ଏବଂ ଡୋଙ୍ଗରିଆ କନ୍ଧମାନଙ୍କ ଦ୍ୱାରା ପ୍ରସ୍ତୁତ ଶାଲ୍ ରହିଛି । ସେହିଭଳି ପଡୋଶୀ ଛତିଶଗଡରୁ କୋଷା ସିଲ୍କ ସହିତ ଉତ୍ପାଦିତ ଜୈବିକ ମହୁର ଚାହିଦା ଥିବାବେଳେ ଝାଡଖଣ୍ଡରୁ ସବାଇଘାସ, ବାଉଁଶରୁ ଉତ୍ପାଦିତ ସାମଗ୍ରୀ ସହିତ ଆଚାର ବି ବିକ୍ରି ହେଉଛି ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ ଆଦିବାସୀଙ୍କ ପ୍ରସ୍ତୁତ ସାମଗ୍ରୀ ବିକ୍ରି ସହିତ ସେମାନଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆଣିବାପାଇଁ ଟ୍ରାଇଫେଡ୍ ପକ୍ଷରୁ ୩୯୫୮ଟି ବନ ଧନ ବିକାଶ କେନ୍ଦ୍ର ସହିତ ପ୍ରାୟ ୧୨ଲକ୍ଷ ଆଦିବାସୀଙ୍କୁ ସାମିଲ କରାଯାଇଛି । ଏହି କେନ୍ଦ୍ର ଜରିଆରେ ୪୧ କୋଟି ଟଙ୍କାରୁ ଅଧିକ ମୂଲ୍ୟର ଲଘୁ ବନଜାତ ଦ୍ରବ୍ୟ କାରବାର ହୋଇଛି ।
ସେହିଭଳି ଟ୍ରାଇଫେଡ୍ ପକ୍ଷରୁ ୩୦୬୯ ଆଦିବାସୀ କଳାକାର ଓ ଉତ୍ପାଦନକାରୀଙ୍କୁ ତାଲିକାଭୁକ୍ତ କରାଯାଇଛି ଯେଉଁମାନେ ଗତ ୫ବର୍ଷ ମଧ୍ୟରେ ୧୭୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ ବିକ୍ରି କରିପାରିଛନ୍ତି । ବର୍ତ୍ତମାନ ସୁଦ୍ଧା ଏନ୍ଏସଟିଏଫ୍ଡିସି ଜରିଆରେ ଆଦିବାସୀମାନଙ୍କୁ ୧୩୪୩ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିବାବେଳେ ଏହାଦ୍ୱାରା ୨.୫୬ ଲକ୍ଷ ହିତାଧିକାରୀ ଉପକୃତ ହୋଇଛନ୍ତି । ଏହି ଋଣ ଆଦିବାସୀ ମହିଳା ସଶକ୍ତିକରଣ ଯୋଜନା, ମାଇକ୍ରୋ କେଡିଟ୍ ସ୍କିମ୍, ଆଦିବାସୀ ଶିକ୍ଷା ଋଣ ଯୋଜନା ଆଦି ଜରିଆରେ ଯୋଗାଇ ଦିଆଯାଉଛି ।
ଦେଶ ଭିତରେ ଆଦିବାସୀଙ୍କ ଉତ୍ପାଦିତ ସାମଗ୍ରୀର ବିକ୍ରିବଟା ସହିତ ବିଦେଶ ବଜାରରେ ଏହାର ପ୍ରବେଶ ଲାଗି ତିନି ତିନିଟି ଆର୍ନ୍ତଜାତୀୟ ପ୍ରଦର୍ଶନୀରେ ଟ୍ରାଇଫେଡ୍ ଅଂଶଗ୍ରହଣ କରିଛି । ଏହି ପ୍ରଦର୍ଶନୀ ଇଟାଲୀ, ହଙ୍କ୍କଙ୍ଗ୍ ଓ ଜର୍ମାନୀରେ ଆୟୋଜିତ ହୋଇଥିଲା । ବିଦେଶ ବଜାରରେ ଭାରତୀୟ ଆଦିବାସୀଙ୍କ ସାମଗ୍ରୀ ବିକ୍ରି ପାଇଁ ଟ୍ରାଇଫେଡ୍ ପକ୍ଷରୁ ୬୩ଟି ଉଚ୍ଚାୟୁକ୍ତ ଦପ୍ତରରେ ଆତ୍ମନିର୍ଭର ଭାରତ କେନ୍ଦ୍ର ସ୍ଥାପନ ପାଇଁ ଯୋଜନା ଥିବାବେଳେ ବର୍ତ୍ତମାନ ସୁଦ୍ଧା ୪୨ଟି ପ୍ରତିଷ୍ଠା ହୋଇ ସାରିଲାଣି । ସେହିଭଳି ଆଦିବାସୀ କଳାକାରମାନେ ଗତ ୫ବର୍ଷ ମଧ୍ୟରେ ୨୩.୨୯ କୋଟି ଟଙ୍କାର ସାମଗ୍ରୀ ବିଦେଶକୁ ରପ୍ତାନି କରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)