ଭୁବନେଶ୍ୱର : ଭୁବନେଶ୍ୱର ଇନଫୋଭ୍ୟାଲି ଠାରେ ଆଜି ଭାରତର ପ୍ରଥମ ଅତ୍ୟାଧୁନିକ ଥ୍ରୀଡି ଚିପ୍ ପ୍ୟାକେଜିଂ ୟୁନିଟ ପାଇଁ ଶିଳାନ୍ୟାସ କରାଯାଇଛି । ଦେଶର ସେମିକଣ୍ଡକ୍ଟର ଉତ୍ପାଦନ ଯାତ୍ରାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି, ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ହେଟେରେଜେନସ୍ ଇଣ୍ଟିଗ୍ରେସନ୍ ପ୍ୟାକେଜିଂ ସଲ୍ୟୁସନ୍ସ (ଥ୍ରୀଡି ଗ୍ଲାସ୍ ସଲ୍ୟୁସନ୍) ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଭାରତର ପ୍ରଥମ ଅତ୍ୟାଧୁନିକ ଗ୍ଲାସ୍ ସେମିକଣ୍ଡକ୍ଟର ପ୍ୟାକେଜିଂ ୟୁନିଟ ପାଇଁ ଶିଳାନ୍ୟାସ ସହିତ ବିଶ୍ୱର ସବୁଠୁ ଆଧୁନିକ ଚିପ୍ ପ୍ୟାକେଜିଂ ପ୍ରଯୁକ୍ତିବିଦ୍ୟା ଓଡ଼ିଶା ମାଟିରେ ବିକଶିତ ହେବାକୁ ଯାଉଛି ।
ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଶିଳାନ୍ୟାସ ହୋଇଥିବା ପ୍ରକଳ୍ପକୁ ରାଜ୍ୟ ପାଇଁ ଏକ ଐତିହାସିକ ମାଇଲଖୁଣ୍ଟ ଭାବେ ଅଭିହିତ କରିଥିଲେ । କେବଳ ଓଡ଼ିଶା ନୁହେଁ ଦେଶରେ ପ୍ରଥମ ଥର ପାଇଁ ଏକ ଥ୍ରୀ ଡି ଗ୍ଲାସ୍ ସଲ୍ୟୁସନ୍ ପ୍ରକଳ୍ପ ସ୍ଥାପନ ହେବା ଗୌରବର ବିଷୟ । ଇଣ୍ଟେଲ୍, ଲକ୍ହିଡ୍ ମାର୍ଟିନ୍ ଏବଂ ଆପ୍ଲାଏଡ୍ ମ୍ୟାଟେରିଆଲ୍ସ ଭଳି ଅଗ୍ରଣୀ ସଂସ୍ଥା ଥ୍ରୀଡି ଗ୍ଲାସ୍ ସଲ୍ୟୁସନ୍ସ ନିର୍ମାଣ କ୍ଷେତ୍ରରେ ଅଗ୍ରଣୀ ରହିଛନ୍ତି। ସେମାନେ ଓଡ଼ିଶାକୁ ନିଜ ପସନ୍ଦଯୋଗ୍ୟ ଗନ୍ତବ୍ୟ ସ୍ଥଳୀ ରୂପେ ବାଛିବା ଖୁସିର ବିଷୟ ।
ମୁଖ୍ୟମନ୍ତ୍ରୀ କହିଥିଲେ, ଓଡ଼ିଶାରେ ନିର୍ମାଣ ହେବାକୁ ଯାଉଥିବା ଏହି ଅତ୍ୟାଧୁନିକ ସେମିକଣ୍ଡକ୍ଟର ପ୍ୟାକେଜିଂ ୟୁନିଟ୍ ରେ ପ୍ରସ୍ତୁତ ହେବାକୁ ଥିବା ଉପକରଣ ଆଗାମୀ ଦିନରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସିଷ୍ଟମ, ଉଚ୍ଚ ଦକ୍ଷତା ସମ୍ପନ୍ନ କମ୍ପ୍ୟୁଟିଂ, ପ୍ରତିରକ୍ଷା ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଉପଯୋଗ ହେବ । ଗତ କିଛି ଦିନ ତଳେ ଖୋର୍ଦ୍ଧାରେ ୪୦ ହଜାର କୋଟି ଟଙ୍କାର ନିବେଶ ସହିତ ଅନେକ ଶିଳ୍ପ ପ୍ରକଳ୍ପର ଶୁଭାରମ୍ଭ କରାଯାଇଥିଲା । ଶ୍ରୀ ମାଝୀ କହିଥିଲେ, ଇଲେକ୍ଟ୍ରୋନିକ୍ସ ଓ ସେମିକଣ୍ଡକ୍ଟର କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆତ୍ମନିର୍ଭର ଭାରତ ସଂକଳ୍ପକୁ ସାକାର କରିବାରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଉତ୍କଳ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଏକ ପତ୍ର ଲେଖି ସେମିକଣ୍ଡକ୍ଟର କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହେବାକୁ ଯାଉଛି ବୋଲି ଉଲ୍ଲେଖ କରିଥିଲେ । ଓଡ଼ିଶା ପ୍ରତି ପ୍ରଧାନମନ୍ତ୍ରୀଙ୍କର ସମ୍ପୂର୍ଣ୍ଣ ଭରସା ରହିଛି । ପୂର୍ବ ଭାରତରେ ଓଡ଼ିଶା ଆତ୍ମନିର୍ଭର ଭାରତର ଆଧାର ପାଲଟିବ ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ ।
ଶ୍ରୀ ମାଝୀ କହିଥିଲେ, ଥ୍ରୀ ଡି ଗ୍ଲାସ୍ ସେମିକଣ୍ଡକ୍ଟର ପ୍ରକଳ୍ପ ନିର୍ମାଣ ଲାଗି କମ୍ପାନୀ ପ୍ରାୟ ୨ ହଜାର କୋଟି ଟଙ୍କାର ନିବେଶ କରିଛି । ଏଠାରେ ବାର୍ଷିକ ୭୦ ହଜାର ଗ୍ଲାସ୍ ପ୍ୟାନେଲ୍, ୫୦ ନିୟୁତ ଆସେମ୍ବଲ ୟୁନିଟ୍ ଏବଂ ୧୩ ହଜାର ଅତ୍ୟାଧୁନିକ ଥ୍ରୀଡିଆଇ ମଡ୍ୟୁଲ୍ ନିର୍ମାଣ କରାଯିବ। ଗତବର୍ଷ ଅଗଷ୍ଟ ମାସରେ କେନ୍ଦ୍ର କ୍ୟାବିନେଟ୍ ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ୟୁନିଟକୁ ଅନୁମୋଦନ କରିଥିଲେ ।
ସେପ୍ଟେମ୍ବର ମାସରେ ଅନୁମୋଦନ ଲାଭ କରିଥିବା ଦୁଇଟି ପ୍ରକଳ୍ପ ମଧ୍ୟରୁ ଗୋଟିଏର ଶିଳାନ୍ୟାସ ହୋଇସାରିଛି । ଆରଆଇଆର ପାୱାର ଇଲେକ୍ଟ୍ରୋନିକ୍ସ ମଧ୍ୟ ଓଡ଼ିଶାରେ ସିଲିକନ୍ କାର୍ବାଇଡ୍ କମ୍ପାଉଣ୍ଡିଂ ଫେବ୍ରିକେସନ୍ ପ୍ଲାଣ୍ଟ ନିର୍ମାଣ କରୁଛି । ଖୁବଶୀଘ୍ର ଏହି ପ୍ରକଳ୍ପରେ ଉତ୍ପାଦନ ଆରମ୍ଭ ହେବ । ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ପ୍ରଥମ କମ୍ପାଉଣ୍ଡ ସେମିକଣ୍ଡକ୍ଟର ଫ୍ୟାବ୍ ୟୁନିଟ୍ ଏବଂ ପ୍ରଥମ ଥ୍ରୀଡି ଗ୍ଲାସ୍ ସବଷ୍ଟ୍ରେଟ୍ ପ୍ୟାକେଜିଂ କେନ୍ଦ୍ର ସ୍ଥାପନ ହେବାକୁ ଯାଉଛି । ସେ ଏଥିପାଇଁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଓଡ଼ିଶାରେ ବିକଶିତ ହେଉଥିବା ସେମିକଣ୍ଡକ୍ଟର ଶିଳ୍ପଗୁଡ଼ିକ ରାଜ୍ୟର ଇଞ୍ଜିନିୟରିଂ, ଡିପ୍ଲୋମା ଏବଂ ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ । ଏହି ପ୍ରକଳ୍ପ ଆମ ଯୁବପିଢ଼ିଙ୍କ ପାଇଁ ହଜାର ହଜାର ଗୁଣାତ୍ମକ ନିଯୁକ୍ତି ସୃଷ୍ଟି କରିବ। ଏହା ରାଜ୍ୟକୁ ଖଣି ଆଧାରିତ ଅର୍ଥବ୍ୟବସ୍ଥା ଠାରୁ ପ୍ରଯୁକ୍ତି ଶିଳ୍ପ ଆଧାରିତ ଅର୍ଥବ୍ୟବସ୍ଥା ରୂପେ ବିକଶିତ କରିବ। ରାଜ୍ୟରେ ଯଥେଷ୍ଟ ଶକ୍ତି, ଦକ୍ଷ କାର୍ଯ୍ୟବଳ ଓ ପ୍ରଗତି ପାଇଁ ପ୍ରତିବଦ୍ଧତା ରହିଛି । ଓଡ଼ିଶା ଆଧୁନିକ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ କ୍ଷେତ୍ରରେ ପସନ୍ଦଯୋଗ୍ୟ ନିବେଶ ସ୍ଥଳୀ ରୂପେ ବିକଶିତ ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
କାର୍ଯ୍ୟକ୍ରମରେ ଉଦବୋଧନ ଦେଇ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଛନ୍ତି, ପବିତ୍ର ଅକ୍ଷୟ ତୃତୀୟା ପୂର୍ବରୁ ଓଡ଼ିଶାରେ ଆଜି ସେମିକଣ୍ଡକ୍ଟର ପ୍ଲାଣ୍ଟର ଶିଳାନ୍ୟାସ କରାଯିବା ଖୁସିର ବିଷୟ । ଏହି ପ୍ରକଳ୍ପ ଲାଗି ସହଯୋଗ ନିମନ୍ତେ ସେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଓଡ଼ିଶା ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଭାରତରେ ସେମିକଣ୍ଡକ୍ଟର ଭଳି ଜଟିଳ ପ୍ରଯୁକ୍ତିବିଦ୍ୟା ଆଧାରିତ ଶିଳ୍ପର ବିକାଶ ଲାଗି ପ୍ରୋତ୍ସାହନ ନିମନ୍ତେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ଧନ୍ୟବାଦ ଜ୍ଞାପନ କରିଥିଲେ । ସେ କହିଥିଲେ, ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି କାରଣରୁ ଓଡ଼ିଶା ସମେତ ସାରା ଦେଶରେ ଆଜି ସେମିକଣ୍ଡକ୍ଟର ଶିଳ୍ପର ଦ୍ରୁତ ବିକାଶ ହେଉଛି । ଏହି ପ୍ରକଳ୍ପ ପାଇଁ ସେ ସବୁ ଅଂଶୀଦାର ଏବଂ ଶିଳ୍ପ ପ୍ରତିନିଧିମାନଙ୍କୁ କୃତଜ୍ଞତା ଜଣାଇଥିଲେ ।
କେନ୍ଦ୍ର ମନ୍ତ୍ରୀ ଶ୍ରୀ ବୈଷ୍ଣବ କହିଥିଲେ, ଓଡ଼ିଶା ଆଇଟି ଏବଂ ସେମିକଣ୍ଡକ୍ଟର ଶିଳ୍ପର ଏକ ପ୍ରମୁଖ କେନ୍ଦ୍ର ରୂପେ ବିକଶିତ ହେଉଛି । ରାଜ୍ୟରେ ବର୍ଷ ବର୍ଷ ଧରି ଖଣିଜ, ଧାତୁ ଓ ଶକ୍ତିର ପ୍ରମୁଖ ଶିଳ୍ପଗୁଡ଼ିକ ଗଢ଼ି ଉଠିଥିଲା । ଏବେ ଉଚ୍ଚପ୍ରଯୁକ୍ତି ବିଦ୍ୟା ଶିଳ୍ପ କ୍ଷେତ୍ରରେ ଓଡ଼ିଶା ଆଗକୁ ବଢ଼ୁଛି । ଆଜି ଯେଉଁ ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି ତାହା ବିଶ୍ୱର ସବୁଠୁ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଆଧାରିତ ପ୍ରକଳ୍ପ । ଆଗକୁ ଓଡ଼ିଶା ଏହି କ୍ଷେତ୍ରରେ ଆହୁରି ଆଗକୁ ବଢ଼ିବ ।
ସେ ଆହୁରି କହିଥିଲେ, ଭାରତ ଆଜି ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ଅଗ୍ରଣୀ ଦେଶ ପାଲଟିଛି । ଗତ ୧୨ ବର୍ଷ ମଧ୍ୟରେ ଭାରତରେ ଇଲେକ୍ଟ୍ରୋନିକ୍ସ ଉତ୍ପାଦନ ୬ ଗୁଣ ବୃଦ୍ଧି ପାଇଛି । ପୂର୍ବରୁ ଭାରତରୁ ପେଟ୍ରୋଲିୟମ, ଇଞ୍ଜିନିୟରିଂ ଉତ୍ପାଦନ, ଅଳଙ୍କାର ଓ ରତ୍ନ ପଥର, ବୟନଶିଳ୍ପ ଉତ୍ପାଦଗୁଡ଼ିକର ମୁଖ୍ୟତଃ ରପ୍ତାନି ହେଉଥିଲା। ଖୁସିର କଥା ହେଉଛି, ୨୦୨୫ରେ ଭାରତ ସବୁଠୁ ଅଧିକ ମୋବାଇଲ୍ ଫୋନ୍ ରପ୍ତାନି କରିଛି। ଭାରତ ଏବେ ବିଶ୍ୱର ଦ୍ୱିତୀୟ ସର୍ବବୃହତ ମୋବାଇଲ୍ ଫୋନ୍ ଉତ୍ପାଦନକାରୀ ଦେଶ ହୋଇପାରିଛି । ଭାରତର ଯୁବବର୍ଗ ଏବେ ମୋବାଇଲ ଉତ୍ପାଦନ ୟୁନିଟଗୁଡ଼ିକରେ ଦକ୍ଷତା ଓ ଗର୍ବ ଭବନା ନେଇ କାମ କରୁଥିବା କେନ୍ଦ୍ର ମନ୍ତ୍ରୀ କହିଥିଲେ। ଓଡ଼ିଶାର ଯୁବପିଢ଼ି ମଧ୍ୟ ସମାନ ଉତ୍ସାହ ନେଇ ରାଜ୍ୟରେ ବିକଶିତ ହେଉଥିବା ସେମିକଣ୍ଡକ୍ଟର ପ୍ରକଳ୍ପଗୁଡ଼ିକରେ କାମ କରିବେ ବୋଲି ସେ ଆଶା ପ୍ରକାଶ କରିଥିଲେ ।
ଶ୍ରୀ ବୈଷ୍ଣବ କହିଥିଲେ, ଇଣ୍ଡିଆ ସେମିକଣ୍ଡକ୍ଟର ମିଶନ ଅଧୀନରେ ଓଡ଼ିଶାରେ ଦୁଇଟି ସେମିକଣ୍ଡକ୍ଟର ପ୍ଲାଣ୍ଟ ଅନୁମୋଦନ ଲାଭ କରିସାରିଛି । ସେହିପରି ଇଲେକ୍ଟ୍ରୋନିକ୍ସ ଏବଂ ସେମିକଣ୍ଡକ୍ଟର ସହ ଜଡ଼ିତ ଆଉ ତିନୋଟି ପ୍ରକଳ୍ପ ମଧ୍ୟ ଓଡ଼ିଶାରେ କାର୍ଯ୍ୟକାରୀ ହେବାକୁ ଯାଉଛି। ରାଜ୍ୟରେ ବୃହତ ପ୍ରକଳ୍ପ ନିର୍ମାଣ ଲାଗି ଇଣ୍ଟେଲ୍ ଭଳି ସଂସ୍ଥା ସହ ମଧ୍ୟ କଥାବାର୍ତ୍ତା ଚାଲିଥିବା କେନ୍ଦ୍ର ମନ୍ତ୍ରୀ ସୂଚନା ଦେଇଥିଲେ ।
ରାଜ୍ୟରେ ରେଳ ବିକାଶ ସମ୍ପର୍କରେ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଥିଲେ, ଓଡ଼ିଶାରେ ବର୍ଷ ବର୍ଷ ଧରି ରେଳବାଇକୁ ଅଣଦେଖା କରାଯାଇଥିଲା । ଯଥେଷ୍ଟ ବଜେଟ୍ ଆବଣ୍ଟନ କରାଯାଉନଥିଲା। ତେବେ ଗତ ୧୦ ବର୍ଷ ମଧ୍ୟରେ ସ୍ଥିତିରେ ପରିବର୍ତ୍ତନ ଆସିଛି । ପୂର୍ବରୁ ଯେଉଁଠି ୭୦୦ରୁ ୮୦୦ କୋଟି ଟଙ୍କା ଆବଣ୍ଟନ କରାଯାଉଥିଲା ବର୍ତ୍ତମାନ ୧୦ ହଜାର କୋଟି ଟଙ୍କାର ବାର୍ଷିକ ବଜେଟ୍ ଓଡ଼ିଶାକୁ ଯୋଗାଇ ଦିଆଯାଉଛି । ପ୍ରତ୍ୟେକ ବର୍ଷ ବଜେଟ୍ ବୃଦ୍ଧି ପାଇବାରେ ଲାଗିଛି । ଓଡ଼ିଶାରେ ରେଳ ପ୍ରକଳ୍ପଗୁଡ଼ିକର କାମ ମଧ୍ୟ ଦ୍ରୁତ ଗତିରେ କାର୍ଯ୍ୟକାରୀ କରାଯାଉଛି । ଆଜି ଭୁବନେଶ୍ୱର ରେଳ ଷ୍ଟେସନର ପୁନର୍ବିକାଶ କାର୍ଯ୍ୟ ସମୀକ୍ଷା ସମ୍ପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଥିଲେ, ଭୁବନେଶ୍ୱରକୁ ଏକ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ରୂପେ ବିକଶିତ କରାଯାଉଛି। ରାଜଧାନୀ ରେଳ ଷ୍ଟେସନକୁ ବିମାନ ବନ୍ଦର ଢାଞ୍ଚାରେ ବିକଶିତ କରାଯାଉଛି । ରାଜ୍ୟରେ ଆହୁରି ୫୯ଟି ଷ୍ଟେସନର ପୁନର୍ବିକାଶ ମଧ୍ୟ କରାଯାଉଛି ବୋଲି ସେ କହିଥିଲେ ।
ପଶ୍ଚିମ ଓଡ଼ିଶାକୁ ଦକ୍ଷିଣ ଓଡ଼ିଶା ସହ ସମ୍ପୂର୍ଣ୍ଣ ଭାବେ ଯୋଡ଼ିବା ଲାଗି ଅନେକଗୁଡ଼ିଏ ରେଳ ପ୍ରକଳ୍ପ ହାତକୁ ନିଆଯାଇଛି ବୋଲି ସେ କହିଥିଲେ । ଏହି ପରିପ୍ରେକ୍ଷୀରେ ସେ ଗୁଣୁପୁର-ଥେରୁବାଲି, ଜଗଦଲପୁର-କୋରାପୁଟ ଦୋହରୀକରଣ, କୋରାପୁଟ-ସିଙ୍ଗାପୁର ଦୋହରୀକରଣ, ଖୋର୍ଦ୍ଧାରୋଡ-ବଲାଙ୍ଗିର ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପର କାର୍ଯ୍ୟକାରିତା ବିଷୟରେ ସୂଚନା ଦେଇଥିଲେ । ମୋଦୀ ସରକାର ଓଡ଼ିଶାକୁ ୯୦ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଭେଟି ଦେଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ ଦୃଢ଼ତାର ସହ କହିଥିଲେ । ସେ ଆହୁରି କହିଥିଲେ, ଜଳେଶ୍ୱର ଠାରୁ ଆରମ୍ଭ କରି ବ୍ରହ୍ମପୁର ପର୍ଯ୍ୟନ୍ତ ଉପକୂଳ ଓଡ଼ିଶା ଦେଇ ୪ ଲାଇନ୍ ବିଶିଷ୍ଟ ରେଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ସେହିପରି ରେଳବାଇର ପ୍ରସ୍ତାବିତ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ ୨୬ଟି ଜିଲ୍ଲାରେ ରେଳ ସଂଯୋଗ ସମ୍ଭବ ହେବ । ବାକି ୪ଟି ଜିଲ୍ଲାକୁ ମିଶାଇ ସମ୍ପୂର୍ଣ୍ଣ ୩୦ଟି ଜିଲ୍ଲାରେ ରେଳ ସଂଯୋଗ ପାଇଁ ମଧ୍ୟ ଯୋଜନା କରାଯାଇଛି ।
ଏହି କାର୍ଯ୍ୟକ୍ରମରେ ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ, ଭାରତ ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟର ସଚିବ ଏସ. କ୍ରିଷ୍ଣନ୍, ଓଡ଼ିଶା ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ଶିଳ୍ପ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଶାଳ କୁମାର ଦେବ, ଥ୍ରୀ ଡି ଗ୍ଲାସ୍ ସଲ୍ୟୁସନ୍ସର ଅଧ୍ୟକ୍ଷ ତଥା ସିଇଓ ବାବୁ ମାନ୍ଦଭା ପ୍ରମୁଖ ଉପସ୍ଥିତ ଥିଲେ ।
ସୂଚନାଯୋଗ୍ୟ, ଆମେରିକାର ଥ୍ରୀଡି ଗ୍ଲାସ୍ ସଲ୍ୟୁସନ୍ସ ଇନକର୍ପୋରେଟେଡ୍ (ଥ୍ରୀଡିଜିଏସ), ଏହାର ସମ୍ପୂର୍ଣ୍ଣ ମାଲିକାନାଧୀନ ଭାରତୀୟ ସହାୟକ କମ୍ପାନୀ ହେଟେରୋଜେନସ୍ ଇଣ୍ଟିଗ୍ରେସନ୍ ପ୍ୟାକେଜିଂ ସଲ୍ୟୁସନ୍ସ ପ୍ରାଇଭେଟ୍ ଲିମିଟେଡ୍ (ଏଚଆଇପିଏସପିଏଲ) ମାଧ୍ୟମରେ, ଓଡ଼ିଶାର ଇନଫୋ ଭ୍ୟାଲି-୨ରେ ଏକ ଗ୍ରୀନଫିଲ୍ଡ, ଭର୍ଟିକାଲ୍ ଇଣ୍ଟିଗ୍ରେଟେଡ୍ ଆଡଭାନ୍ସଡ୍ ପ୍ୟାକେଜିଂ ଏବଂ ଏମ୍ବେଡେଡ୍ ଗ୍ଲାସ୍ ସବଷ୍ଟ୍ରେଟ୍ ଏଟିଏମପି ପ୍ରକଳ୍ପ କାର୍ଯ୍ୟକାରୀ କରୁଛି।
ଏହି ପ୍ରକଳ୍ପରେ ମୋଟ ୧୯୪୩.୫୩ କୋଟି ଟଙ୍କା ନିବେଶ ହେବ, ଯେଉଁଥିରେ ୧୫୯୮.୩୩ କୋଟି ଟଙ୍କାର ଯୋଗ୍ୟ ପୁଞ୍ଜି ଖର୍ଚ୍ଚ ଅନ୍ତର୍ଭୁକ୍ତ। ଅନୁମୋଦିତ କେନ୍ଦ୍ରୀୟ ଆର୍ଥିକ ସହାୟତା ପରିମାଣ ୭୯୯ କୋଟି ଏବଂ ଅତିରିକ୍ତ ରାଜ୍ୟ ସହାୟତା ୩୯୯.୫ କୋଟି ଟଙ୍କା ରହିଛି । ପ୍ରକଳ୍ପକୁ ୭୪୫ କୋଟି ଟଙ୍କାର ଇକ୍ୱିଟି ଆଧାରିତ ସରକାରୀ ସହାୟତା ମାଧ୍ୟମରେ ପାଣ୍ଠି ଯୋଗାଇ ଦିଆଯାଉଛି, ଏହି ପର୍ଯ୍ୟାୟରେ କୌଣସି ବାହ୍ୟ ଋଣ ପରିକଳ୍ପନା କରାଯାଇ ନାହିଁ। ଏହାଦ୍ୱାରା ୨,୫୦୦ରୁ ଅଧିକ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଏହି ପ୍ରକଳ୍ପର ବାର୍ଷିକ ଉତ୍ପାଦନ କ୍ଷମତା ୫୦ ନିୟୁତ ଆସେମ୍ବଲ୍ଡ ୟୁନିଟ୍ ରହିଛି। ଏଠାରେ ତିଆରି ହେବାକୁ ଥିବା ଚିପ୍ଗୁଡ଼ିକ ମହାକାଶ, ପ୍ରତିରକ୍ଷା, ଏଆଇ, ଫାଇଭ୍ ଜି ପ୍ରଯୁକ୍ତି ଓ ଡାଟା ସେଣ୍ଟର ଆଦି କ୍ଷେତ୍ରରେ ବ୍ୟବହାର କରାଯିବ ।

