ଭୁବନେଶ୍ୱର : ସମଗ୍ର ଦେଶରେ ୮୮୧୫ଟି ଶୀତଳଭଣ୍ଡାର ଥିବାବେଳେ ସରକାରୀ ହିସାବରେ ଆମ ରାଜ୍ୟରେ ୧୮୨ଟି ଶୀତଳଭଣ୍ଡାର ଅଛି । ରାଜ୍ୟରେ ଥିବା ଶୀତଳଭଣ୍ଡାରର କ୍ଷମତା ପ୍ରାୟ ୫ଲକ୍ଷ ୮୦ହଜାର ମେଟ୍ରିକ ଟନ୍ ।
ସବୁଠାରୁ ଅଧିକ ୨୪୮୯ଟି ଶୀତଳଭଣ୍ଡାର ଉତ୍ତରପ୍ରଦେଶରେ ଥିବାବେଳେ ଗୁଜୁରାଟରେ ୧୦୨୩, ପଞ୍ଜାବରେ ୭୮୦, ମହାରାଷ୍ଟ୍ରରେ ୬୭୨, ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ୪୮୦. ହରିଆନାରେ ୩୮୭, ମଧ୍ୟପ୍ରଦେଶରେ ୩୪୧,ବିହାରରେ ୩୧୬, କର୍ଣ୍ଣାଟକରେ ୨୭୧, ରାଜସ୍ଥାନରେ ୧୯୨, ତାମିଲନାଡୁର ୧୮୮ଟି ଶୀତଳଭଣ୍ଡାର ରହିଛି ।
ହେଲେ କୃଷି ପ୍ରଧାନ ରାଜ୍ୟ ଓଡିଶାରେ ସରକାରୀ କିମ୍ବା ସମବାୟ ସ୍ତରରେ ସେଭଳି କୌଣସି ଶୀତଳଭଣ୍ଡାର ନାହିଁ । ଘରୋଇ କ୍ଷେତ୍ରରେ ଯେଉଁସବୁ ଶୀତଳଭଣ୍ଡାର ରହିଛି ତାହା ଉପରେ ସରକାରଙ୍କର କୌଣସି କତ୍ତୃତ୍ୱ ନଥିବାରୁ ସେମାନେ ମନଇଚ୍ଛା ଦରଧାର୍ଯ୍ୟ କରୁଛନ୍ତି ।
ରାଜ୍ୟରେ ଶୀତଳଭଣ୍ଡାରର ଅଭାବକୁ ଦେଖିବାପରେ ରାଜ୍ୟର ନୂଆ ସରକାର ପ୍ରତି ବ୍ଲକରେ ଗୋଟିଏ କରି ଶୀତଳଭଣ୍ଡାର ଘୋଷଣା କରିଥିଲେ । ଏଥିପାଇଁ ସରକାରୀ ସ୍ତରରେ ସବସିଡ୍ ଯୋଗାଇ ଦିଆଯାଉଥିବାବେଳେ ଶୀତଳଭଣ୍ଡାର ନିର୍ମାଣ ପାଇଁ ଆଗେଇ ଆସୁଥିବା ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ଦେବାଲାଗି ସରକାର ଘୋଷଣା କରିଛନ୍ତି ।
ଏହା ସତ୍ୱେ ବି ରାଜ୍ୟରେ ସେଭଳି ସଂଖ୍ୟାରେ ଶୀତଳଭଣ୍ଡାର ନିର୍ମାଣ ପାଇଁ ଉଦ୍ୟୋଗୀମାନେ ଆସୁନାହାନ୍ତି । ଏହା ଫଳରେ ଗାଁ ଗହଳରୁ ଉତ୍ପାଦିତ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ସଂରକ୍ଷଣ ହୋଇପାରୁ ନାହିଁ । ଶୀତଳଭଣ୍ଡାର ଅଭାବ ଯୋଗୁଁ ଓଡିଶାରୁ ଉତ୍ପାଦିତ ଆଳୁ ଅନ୍ୟ ରାଜ୍ୟର ଶୀତଳଭଣ୍ଡାରରେ ରହି ପରବର୍ତ୍ତୀ ସମୟରେ ଚଢା ଦରରେ ଓଡିଶାକୁ ଫେରୁଛି । ଓଡିଶା ବଜାର ଏବେ ଅନ୍ୟ ରାଜ୍ୟର ଶୀତଳଭଣ୍ଡାର ମାଲିକ ଓ ବ୍ୟବସାୟୀଙ୍କ ପାଇଁ ରୋଜଗାରର ଅନ୍ୟତମ ସ୍ଥାନ ପାଲଟିଛି ।
ସେହିଭଳି ସମନ୍ୱିତ ଉଦ୍ୟାନ ବିକାଶ ଯୋଜନାରେ ଦେଶର ବିଭିନ୍ନ ରାଜ୍ୟରେ କେନ୍ଦ୍ର ସରକାରଙ୍କ ସହାୟତାରେ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇଥିବାବେଳେ ଓଡିଶାରେ ଗୋଟିଏ ହେଲେ ହୋଇପାରି ନାହିଁ । ଏହି କେନ୍ଦ୍ରୀୟ ଯୋଜନାରେ ଉତ୍ତରପ୍ରଦେଶରେ ସର୍ବାଧିକ ୭୭ଟି ଶୀତଳଭଣ୍ଡାର ନିର୍ମାଣ ହୋଇଥିବାବେଳେ ପଞ୍ଜାବରେ ୬୩, ଆନ୍ଧ୍ରପ୍ରଦେଶରେ ୫୧, ଗୁଜୁରାଟରେ ୪୭, ମହାରାଷ୍ଟ୍ରରେ ୪୨, କର୍ଣ୍ଣାଟକରେ ୩୯, ଜାମ୍ମୁକାଶ୍ମୀରରେ ୩୧ଟି ଶୀତଳଭଣ୍ଡାର ନିର୍ମାଣ ହୋଇଛି । ହେଲେ ଓଡିଶା ଏହି କେନ୍ଦ୍ରୀୟ ଯୋଜନାର ଲାଭ ପାଇପାରୁ ନାହିଁ ।
ଓଡିଶାରେ ଅଧିକରୁ ଅଧିକ ସଂଖ୍ୟକ ଶୀତଳଭଣ୍ଡାର ନିର୍ମାଣ ପାଇଁ ରାଜ୍ୟ ସରକାର ଲୋଭନୀୟ ସହାୟତାମାନ ଘୋଷଣା କରୁଥିଲେ ମଧ୍ୟ ଉଦ୍ୟୋଗୀମାନେ ଏଥିପ୍ରତି ବିଶେଷ ଆଗ୍ରହ ପ୍ରକାଶ କରୁନାହାନ୍ତି । ରାଜ୍ୟରେ ଚଢା ବିଦ୍ୟୁତ୍ ଶୁଳ୍ପ ଯୋଗୁଁ ଉଦ୍ୟୋଗୀମାନେ ଆଗକୁ ଆସୁନଥିବାରୁ ଏହାର ସିଧାସଳଖ ପ୍ରଭାବ ରାଜ୍ୟର ଚାଷବାସ ଉପରେ ପଡୁଛି । ସରକାର ଯେତେ ଯାହା କଲେ ବି ସଂରକ୍ଷଣ ସୁବିଧା ନଥିବାରୁ ଓଡିଶାର ଚାଷୀମାନେ ଆଳୁ ଠାରୁ ଆରମ୍ଭ କରି ପନିପରିବା ଓ ଫଳ ଆଦି ଚାଷ କରିବାକୁ ପଛଘୁଞ୍ଚା ଦେଉଛନ୍ତି । (ତଥ୍ୟ)

