ଭୁବନେଶ୍ୱର : ରାଜ୍ୟରେ ବିଦ୍ୟୁତ୍ ବିତରଣ କମ୍ପାନୀ ଟାଟା ପାୱାର ହାତରେ ଥିବାବେଳେ ଏଥିରେ ସ୍ଥାୟୀ ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରୁ ପାଖାପାଖି ଦେଢ ହଜାର ଅଣଓଡିଆ ରହିଛନ୍ତି । ସ୍ଥାୟୀ କର୍ମଚାରୀଙ୍କ ମଧ୍ୟରୁ ୧୩୬୯ ଜଣ ଅଣଓଡିଆ ଥିବାବେଳେ ବରିଷ୍ଠ ଅଧିକାରୀଙ୍କ ମଧ୍ୟରେ ୭୦ରୁ ଅଧିକ ଅଣଓଡିଆ ରହିଛନ୍ତି ।
ଚଳିତ ବର୍ଷ ମାର୍ଚ୍ଚ ଶେଷସୁଦ୍ଧା ବିଦ୍ୟୁତ୍ ବିତରଣ ଦାୟିତ୍ୱରେ ଥିବା କମ୍ପାନୀର ଚାରିଟି ଡିଭିଜନରେ ମୋଟ୍ ୫୦୦୫ ଜଣ ସ୍ଥାୟୀ କର୍ମଚାରୀ ରହିଥିବାବେଳେ ଏଥିରେ ଓଡିଆଙ୍କ କର୍ମଚାରୀଙ୍କ ସଂଖ୍ୟା ରହିଥିଲା ୩୬୩୬ । ୧୩୬୯ ଜଣ ଅଣଓଡିଆ କର୍ମଚାରୀଙ୍କ ମଧ୍ୟରେ ଟିପିଏନଓଡିଏଲ୍ରେ ସର୍ବାଧିକ ୩୯୯ ଜଣ ଅଣଓଡିଆ ଥିବାବେଳେ ଟିପିଏସଓଡିଏଲରେ ୩୭୨, ଟିପିଡବ୍ଲୁଓଡିଏଲ୍ରେ ୩୧୭ ଏବଂ ଟିପିସିଓଡିଏଲରେ ୨୮୧ଜଣ ଅଣଓଡିଆ ରହିଛନ୍ତି ।
ଏହି ଚାରିଟି ସଂସ୍ଥା ମଧ୍ୟରୁ ସବୁଠାରୁ ଅଧିକ ୧୫୭୧ ଜଣ ସ୍ଥାୟୀ କର୍ମଚାରୀ ଟିପିଡବ୍ଲୁଓଡିଏଲ୍ ରେ ଥିବାବେଳେ ସବୁଠାରୁ କମ୍ ୯୩୭ ଜଣ କର୍ମଚାରୀ ଟିପିସିଓଡିଏଲରେ ରହିଛନ୍ତି ।
ସେହଭଳି ଟାଟା ପାୱାରର ବିତରଣ ଦାୟିତ୍ୱରେ ଥିବା ଚାରଟିଯାକ ସଂସ୍ଥାରେ ସିଇଓ, ମୁଖ୍ୟ, ବିଭାଗୀୟ ମୁଖ୍ୟ ପଦବୀରେ ୧୭୬ ଜଣ ଥିବାବେଳେ ଏମାନଙ୍କ ମଧ୍ୟରେ ଅଣଓଡିଆ ଅଧିକାରୀଙ୍କ ସଂଖ୍ୟା ହେଉଛି ୭୭ । ଏମାନଙ୍କ ମଧ୍ୟରୁ ସର୍ବାଧିକ ୨୪ଜଣ ଅଓଡିଆ ଅଧିକାରୀ ଟିପିଡବ୍ଲୁଓଡିଏଲରେ ରହିଥିବାବେଳେ ଟିପିଏସଓଡିଏଲ୍ ଓ ଟିପିସିଓଡିଏଲରେ ୨୩ଜଣ କରି ରହିଛନ୍ତି । ସବୁଠାରୁ କମ୍ ମାତ୍ର ୭ଜଣ ଅଣଓଡିଆ ଅଧିକାରୀ ଟିପିଏନଓଡିଏଲ୍ରେ କାର୍ଯ୍ୟରତ ଅଛନ୍ତି । ତେବେ ସର୍ବାଧିକ ୬୬ଜଣ ଅଧିକାରୀ ଟିପିସିଓଡିଏଲରେ କାର୍ଯ୍ୟରତ ଥିବାବେଳେ ଟିପିଏସ୍ଓଡିଏଲରେ ୪୮ଜଣ କାର୍ଯ୍ୟରତ ଅଛନ୍ତି ।
ସ୍ଥାୟୀ କର୍ମଚାରୀମାନଙ୍କୁ ବାଦ୍ ଦେଲେ କାମ ଚଳାଇବାପାଇଁ ଟାଟା ପାୱାରର ବିତରଣକାରୀସଂସ୍ଥାମାନେ ଠିକା କର୍ମଚାରୀଙ୍କ ମଧ୍ୟ ସହଯୋଗ ଲୋଡୁଛନ୍ତି । ଏହି ଠିକା କର୍ମଚାରୀଙ୍କ ମଧ୍ୟରେ ଓଡିଆଙ୍କ ସଂଖ୍ୟା ଅଧିକ ରହିଥିଲେ ମଧ୍ୟ କିଛି ଅଣଓଡିଆ ମଧ୍ୟ କାମ କରୁଥିବା ଦେଖିବାକୁ ମିଳୁଛି । ତେବେ ଏମାନଙ୍କର ଓଡିଶାକୁ ଯିବା ଆସିବା ଲାଗି ରହିଛି । ଓଡିଶାକୁ କାମ ଅନ୍ୱେଷଣରେ ଆସୁଥିବା ଅନ୍ୟ ରାଜ୍ୟର କୁଶଳୀ ଶ୍ରମିକମାନେ ବି ଠିକା ଶ୍ରମିକ ଭାବେ ଏଠାରେ କାର୍ଯ୍ୟ କରୁଛନ୍ତି ।
ତେବେ ଓଡିଶାରେ କାର୍ଯ୍ୟରତ ଶିଳ୍ପ ଓ ଅନ୍ୟ ସଂସ୍ଥାରେ ଓଡିଆମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା ନେଇ ବିଭିନ୍ନ ଅନୁଷ୍ଠାନ, ରାଜନୈତିକଦଳ ପକ୍ଷରୁ ଦାବି ହୋଇ ଆସୁଥିବାବେଳେ ବିଦ୍ୟୁତ୍ ବିତରଣ ସଂସ୍ଥାରେ ଏତେ ସଂଖ୍ୟାରେ ଅଣଓଡିଆ ସ୍ଥାୟୀ ପଦବୀରେ କାର୍ଯ୍ୟ କରିବା ଏବେ ଅନେକଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । (ତଥ୍ୟ)