Home General ଦେଢ ଲକ୍ଷ ନରେଗା କାର୍ଡ ବାତିଲ

ଦେଢ ଲକ୍ଷ ନରେଗା କାର୍ଡ ବାତିଲ

ଭୁବନେଶ୍ୱର : ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‍ଜିନରେଗା)ରେ ଓଡିଶାରେ ପଞ୍ଜିକୃତ ହୋଇଥିବା କାର୍ଡ ମଧ୍ୟରୁ ଦେଢ ଲକ୍ଷରୁ ଅଧିକ କାର୍ଡ ଜାଲ୍‍ । ଏହି ଜାଲ୍‍ କାର୍ଡକୁ ଇତି ମଧ୍ୟରେ ବାତିଲ କରାଯାଇଛ ।

ଏମଜିନରେଗା ଯୋଜନାରେ କାର୍ଯ୍ୟ କରିବାପାଇଁ ଆଗ୍ରହୀ ଶ୍ରମିକମାନଙ୍କୁ ପଞ୍ଜିକୃତ କରିବାକୁ ପଡେ । ପଞ୍ଜିକୃତ ଶ୍ରମିକମାନଙ୍କୁ ପଞ୍ଚାୟତ ଜରିଆରେ କାର୍ଯ୍ୟ ଯୋଗାଇ ଦିଆଯାଇଥାଏ । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଏକ କୋଟିରୁ ଅଧିକ ଶ୍ରମିକ ନିଜକୁ ପଞ୍ଜିକୃତ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୭୬% ଅର୍ଥାତ୍‍ ପ୍ରାୟ ୭୯ଲକ୍ଷ ଶ୍ରମିକ ନିୟମିତ ଭାବେ କାର୍ଯ୍ୟ ପାଉଛନ୍ତି । ୧୬କୋଟିରୁ ଅଧିକ ଦିନର କାର୍ଯ୍ୟ ଯୋଗାଇ ଦିଆଯାଇ ସାରିଛି ।

ତେବେ ପଞ୍ଜିକୃତ ଶ୍ରମିକମାନଙ୍କ ଯାଞ୍ଚ ସମୟରେ ଜଣାଯାଇଛି ଯେ ଅନେକ ଜାଲ୍‍ କାର୍ଡ ରହିଛି । ୨୦୨୨-୨୩ ବର୍ଷରେ ଓଡିଶାରୁ ଧରାପଡିଥିବା ଜାଲ୍‍ କାର୍ଡର ପରିମାଣ ଦେଶରେ ଦ୍ୱିତୀୟ ସର୍ବାଧିକ । ଏହିବର୍ଷ ରାଜ୍ୟରେ ୧,୧୪,୩୩୩ଟି ଜାଲ୍‍ କାର୍ଡ ଧରାପଡିଥିବାବେଳେ ଏହା ପୂର୍ବବର୍ଷ ଅର୍ଥାତ୍‍ ୨୦୨୧-୨୨ବର୍ଷରେ ୫୦,୮୧୭ଟି ଜାଲ୍‍ କାର୍ଡ ଧରାପଡିଥିଲା । ଏହି ଜାଲ୍‍ କାର୍ଡଗୁଡିକୁ କେନ୍ଦ୍ର ସରକାର ବାତିଲ କରିଦେଇଛନ୍ତି । ଓଡିଶା ଉପରକୁ କାର୍ଡ ବାତିଲ କ୍ଷେତ୍ରରେ ଉତ୍ତରପ୍ରଦେଶ ପ୍ରଥମ ସ୍ଥାନରେ ରହିଛି ।

ଉଲ୍ଲେଖନୀୟ ଯେ ଏମ୍‍ଜିନରେଗା ପଞ୍ଜିକରଣ ପାଇଁ ଆଧାରକାର୍ଡ ସଂଯୋଗ ବାଧ୍ୟତାମୂଳକ ହେବାପରେ ଏଭଳି ଲକ୍ଷାଧିକ କାର୍ଡ ଜାଲ୍‍ ହୋଇଥିବା କର୍ତ୍ତୃପକ୍ଷଙ୍କ ନଜରକୁ ଆସିବାରେ ଲାଗିଛି । ସମଗ୍ର ଦେଶରେ ଏଭଳି ଜାଲ୍‍ କାର୍ଡ ବାତିଲପାଇଁ କେନ୍ଦ୍ର ସରକାର କଡା ନିର୍ଦ୍ଦେଶ ଦେଇଥିବାବେଳେ ଓଡିଶାରେ ବାତିଲ କାର୍ଡର ସଂଖ୍ୟା ୧.୬୫ଲକ୍ଷକୁ ଟପିଯାଇଛି । ତେବେ ଏତେ ସଂଖ୍ୟାରେ ଜାଲ୍‍ କାର୍ଡ ପଞ୍ଜିକରଣ ହେବା ଏବେ ପ୍ରଶାସନକୁ ଆଶ୍ଚର୍ଯ୍ୟ ଚକିତ କରିଛି ।

ଗୋଟିଏ ପଟେ ଲକ୍ଷାଧିକ ଜାଲ୍‍ କାର୍ଡ ବାତିଲ ହୋଇଥିବାବେଳେ ଆଉ ଗୋଟିଏ ପଟେ ଏହି ଯୋଜନାରେ କାର୍ଯ୍ୟକରିବା ପାଇଁ ଶ୍ରମିକମାନେ ଅସନ୍ତୋଷ ପ୍ରକଟ କରୁଛନ୍ତି । ଏହି ଯୋଜନାରେ ମାଟିକାମକୁ ଅଗ୍ରାଧିକାର ଦିଆଯାଉଥିବାବେଳେ ରାଜ୍ୟର ଅଧିକାଂଶ ଅଞ୍ଚଳ ବିଶେଷକରି ଉପକୂଳ ଓଡିଶାରେ ଆଉ ପୂର୍ବଭଳି ମାଟିକାମ ନାହିଁ । ରାସ୍ତାଘାଟଗୁଡିକ କଂକ୍ରିଟ ଏବଂ ପିଚୁ ହୋଇଯିବା ପରେ ମାଟି କାମର ଚାହିଦା ହ୍ରାସ ପାଇଛି । ଯେଉଁଠି ବି କାଁ ଭାଁ ମାଟିକାମ ହେଉଛି ସେଠାରେ ଅଳ୍ପଖର୍ଚ୍ଚ ପାଇଁ ଠିକାଦାରମାନେ ମେସିନ୍‍ ବ୍ୟବହାର କରୁଛନ୍ତି ।

ଏହାଛଡା ଏହି କେନ୍ଦ୍ରୀୟ ଯୋଜନାରେ ଧାର୍ଯ୍ୟ ହୋଇଥିବା ମଜୁରୀ ତୁଳନାରେ ରାଜ୍ୟରେ ଦୈନିକ ମଜୁରୀର ପରିମାଣ ଢେର ଅଧିକ ରହିଛି । ଏପରିକି ରାଜ୍ୟର କେତେକ ସ୍ଥାନରେ ଗୋଟିଏ ଦିନର ମଜୁରୀ ଅତି କମ୍‍ରେ ୩୦୦ ଟଙ୍କାକୁ ଅତିକ୍ରମ କରିଥିବାବେଳେ ଏମଜି ନରେଗାରେ ଏହା ୨୫୦ ଟଙ୍କା ତଳେ ରହିଛି । ତେଣୁ ଲୋକେ ଏଥିପ୍ରତି ବିମୁଖ ହେଉଛନ୍ତି । ଏତେ ସବୁ ସତ୍ୱେ ରାଜ୍ୟରୁ ଲକ୍ଷାଧିକ ଜାଲ୍‍ କାର୍ଡ ଜବତ ଓ ବାତିଲ ହେବା ଏବେ କର୍ତ୍ତୃପକ୍ଷଙ୍କ ପାଇର୍ ଚିନ୍ତାର କାରଣ ପାଲଟିଛି । (ତଥ୍ୟ)