ଭୁବନେଶ୍ୱର : ଦୁର୍ଘଟଣା ରୋକିବାପାଇଁ ରାଜ୍ୟ ପରିବହନ ବିଭାଗ ରାଜପଥ ପାଶ୍ୱର୍ରେ ରାତିରେ ଗାଡିଚାଳକଙ୍କୁ ମାଗଣା ଚା’ ବାଣ୍ଟୁଥିବାବେଳେ ଏବେ ପିକ୍ନିକ୍ ଋତୁରେ ବ୍ୟବସାୟିକ ଯାନ ଚଳାଚଳ ଉପରେ ନଜର ରଖିବାକୁ ମତପ୍ରକାଶ ପାଉଛି । ବିଶେଷକରି ଏହି ବ୍ୟବସାୟିକ ଯାନର ଚାଳକମାନେ କେତେ ସମୟ ଗାଡି ଚଳାଉଛନ୍ତି ତାହା ଉପରେ ନଜର ରଖାଗଲେ ଅନେକ ଦୁର୍ଘଟଣାକୁ ରୋକାଯାଇ ପାରିବ ।
ବର୍ତ୍ତମାନ ରାଜ୍ୟରେ ପିକ୍ନିକ୍ ଋତୁ ଆରମ୍ଭ ହୋଇଯାଇଥିବାରୁ ଛୋଟ ଓ ବଡ ଚାରିଚକିଆନ ଯାନସବୁ ଆଗୁଆ ବୁକିଂହେବାରେ ଲାଗିଛି । ଏହି ବ୍ୟବସାୟିକ ଯାନଗୁଡିକୁ ପ୍ରାୟତଃ ଫୁରସତ୍ ନାହିଁ । ଚାଳକମାନେ କେତେ ସମୟ ଚଳାଇବେ ଓ କେତେ ସମୟ ବିଶ୍ରାମ ନେବେ ତାହାକୁ ବ୍ୟବସାୟିକ ସଂସ୍ଥା ଓ ଗାଡିମାଲିକମାନେ ଆଦୌ ଗୁରୁତ୍ୱ ଦେଉନାହାନ୍ତି । ଅର୍ଥ ଲୋଭରେ ପ୍ରାୟତଃ ସବୁଦିନେ ଗାଡି ବୁକିଂ ରଖୁଛନ୍ତି ।
ଏହା ଫଳରେ ଗାଡିଚାଳକମାନେ ସାମାନ୍ୟତମ ବିଶ୍ରାମ ନେବାକୁ ସମୟଟିକେ ପାଉନାହାନ୍ତି । ଗୋଟିଏ ସ୍ଥାନରୁ ଫେରିଲା ବେଳକୁ ଆଉ ଗୋଟିଏ ସ୍ଥାନକୁ ଯିବାକୁ ପଡୁଛି । ଗାଡି ମାଲିକମାନେ ଏଭଳି ଭାବେ ଭଡା ପାଇଁ ବୁକିଂ ରଖୁଛନ୍ତି ଯେ କେତେକ ଗାଡିଚାଳକ ଗାଧୋଇବା କିମ୍ବା ପୋଷାକ ବଦଳାଇବାପାଇଁ ବେଳ ପାଉନାହାନ୍ତି । କେତେକ ସ୍ଥାନରେ ଗାଡିରେ ଦେଖାଦେଉଥିବା ଛୋଟ ମୋଟ ଯାନ୍ତ୍ରିକ ସମସ୍ୟାକୁ ବି ସମୟ ଅଭାବରୁ ଅଣଦେଖା କରାଯାଉଛି ।
ବର୍ତ୍ତମାନେ ଅଧିକାଂଶ ସ୍ଥାନରେ ସ୍କୁଲ, କୋଚିଂସେଣ୍ଟର ଆଦିର ଛାତ୍ରଛାତ୍ରୀମାନେ ବସ୍ ଭଡାରେ ନେଇ ଦୂର ସ୍ଥାନକୁ ପିକ୍ନିକ୍ କରିବାକୁ ଯାଉଛନ୍ତି । ତେଣୁ ଏହିସବୁ ଯାନର ଚାଳକମାନେ କେତେ ସମୟରେ ଗାଡି ଚାଳନା କରୁଛନ୍ତି ଓ କେତେ ସମୟ ବିଶ୍ରାମ ନେଉଛନ୍ତି ପରିବହନ ବିଭାଗ ତାହା ଉପରେ ଦୃଷ୍ଟି ଦେଲେ ଅଧିକାଂଶ ଦୁର୍ଘଟଣାକୁ ରୋକାଯାଇ ପାରନ୍ତା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ଏଥି ସହିତ ଭାରିଯାନ ଚାଳକମାନେ ନିଶା ସେବନ କରୁଛନ୍ତି କି ନାହିଁ ଏବଂ ସେମାନଙ୍କର ସ୍ୱାସ୍ଥ୍ୟ କିଭଳି ରହିଛି ତାହା ମଧ୍ୟ ଯାଞ୍ଚ କରିବାକୁ ମତପ୍ରକାଶ ପାଉଛି ।
ଉଲ୍ଲେଖନୀୟ ଯେ ବହୁ ଚାଳକ ପିକ୍ନିକ୍ ଋତୁରେ ବିନା ବିଶ୍ରାମରେ ରାତି ଅନିଦ୍ରା ହୋଇ ଗାଡି ଚଳାଇବା ଫଳରେ ଗାଡିଗୁଡିକ ଦୁର୍ଘଟଣାର ସମ୍ମୁଖୀନ ହୋଇଥାଏ । ତେଣୁ ପର୍ଯ୍ୟଟନସ୍ଥଳୀଗୁଡିକରେ ପହଞ୍ଚୁଥିବା ଯାନ ଓ ଚାଳକମାନଙ୍କର ସବିଶେଷ ବିବରଣୀ ସଂଗ୍ରହ ପାଇଁ ସେଠାରେ ବ୍ୟବସ୍ଥା କରାଯିବା ସହିତ ଚାଳକମାନେ ଯେଭଳି ସେଠାରେ ବିଶ୍ରାମ ନେଇପାରିବେ ତାହାର ବ୍ୟବସ୍ଥା କରାଯିବା ଆବଶ୍ୟକ ହୋଇପଡିଛି ।
ସେହିଭଳି ଅର୍ଥ ଲୋଭରେ କେତେକ ଯାନ ଯେଭଳି ଭାବେ ଅଧିକ ଛାତ୍ରଛାତ୍ରୀ ଓ ଲୋକଙ୍କୁ ଭର୍ତ୍ତିକରି ପିକ୍ନିକ୍ରେ ଯିବା ସହିତ ଗାଡି ଭିତ୍ତରେ ଉଚ୍ଚ ସ୍ୱରରେ ଡିଜେ ବଜାଇ ନାଚକୁଦ କରୁଛନ୍ତି ତାହା ଉପରେ ପରିବହନ ବିଭାଗ ସତର୍କ ଦୃଷ୍ଟି ରଖିଲେ ଅନେକ ଦୁର୍ଘଟଣାକୁ ଟାଳିଦେଇ ପାରିବ । ଏଥି ସହିତ ଦୁର୍ଗମ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀଗୁଡିକରୁ ଗାଡିସବୁ ବାହାରିବାପାଇଁ ବିଭାଗ ପକ୍ଷରୁ ସମୟ ନିର୍ଘଣ୍ଟ କରିବାପାଇଁ ମଧ୍ୟ ମତପ୍ରକାଶ ପାଉଛି । (ତଥ୍ୟ)