ଭୁବନେଶ୍ୱର : କେନ୍ଦ୍ରାପଡାର ଲୋକସଭା ସାଂସଦ ଓ ତିର୍ତ୍ତୋଲର ବିଧାୟକଙ୍କ ପାରିବାରିକ ତଥା ବ୍ୟକ୍ତିଗତ ସମସ୍ୟାକୁ ନେଇ ଚାଲିଥିବା ଅଦାଲତି ଲଢେଇ ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଥିବାବେଳେ ଏ ପ୍ରସଙ୍ଗରୁ ବିଜେଡି ନିଜକୁ ଦୂରେଇ ରଖିଛି ।
ଅତୀତରେ ରାଜ୍ୟ ସରକାରରେ ମନ୍ତ୍ରୀ ଥିବା ରଘୁନାଥ ମହାନ୍ତିଙ୍କ ବୋହୂ ବର୍ଷା ସୋନିଙ୍କ ପୁଲିସ୍ ନିକଟରେ ଅଭିଯୋଗ ପରିପ୍ରେକ୍ଷୀରେ ରଘୁ ବାବୁଙ୍କୁ କେବଳ ମନ୍ତ୍ରୀପଦ ହରାଇବାକୁ ପଡିନଥିଲା, ପୁଲିସ୍ ମଧ୍ୟ ତାଙ୍କୁ ପଶ୍ଚିମବଙ୍ଗ ଯାଇ ଗିରଫ କରିଥିଲା । ଏହାପରେ ରଘୁ ବାବୁଙ୍କୁ ବିଜେଡି ନିର୍ବାଚନ ଲଢିବାପାଇଁ ଟିକଟ ନଦେବାରୁ ସେ ଦଳ ବଦଳ କରିଥିଲେ ।
ପୂର୍ବରୁ ମାମଲରେ ଛନ୍ଦିହୋଇ ପଡିଥିବା ଦୁଇଜଣ ବିଜେଡି ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ ଓ ପ୍ରଶାନ୍ତ ଜଗଦ୍ଦେବଙ୍କୁ ବିଜେଡି ଦଳରୁ ନିଲମ୍ବନ କରିଛି । ଶାସକଦଳର ଏହି ଦୁଇଜଣ ଯାକ ବିଧାୟକ ଥାଇ ବିଭିନ୍ନ ଅଭିଯୋଗରେ ଗିରଫ ହେବା ସହ ଦୀର୍ଘଦିନ ଧରି ଜେଲରେ ଥିଲେ ।
ତେବେ କେନ୍ଦ୍ରାପଡାର ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କ କଥା ନିଆରା । ଚଳଚିତ୍ର ଜଗତରୁ ରାଜନୀତିକୁ ଆସିଥିବା ଅନୁଭବ ତାଙ୍କ ଇଚ୍ଛା ମୁତାବକ ଅନ୍ୟଜଣେ ଚଳଚିତ୍ର ଅଭିନେତ୍ରୀ ବର୍ଷାଙ୍କୁ ବିବାହ କରିଛନ୍ତି । ତେବେ କୌଣସି କାରଣରୁ ଏମାନଙ୍କ ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟିହୋଇ କଟକରୁ ଦିଲ୍ଲୀ ପର୍ଯ୍ୟନ୍ତ ବିଭିନ୍ନ ଥାନା ଓ ଅଦାଲତରେ ଅନୁଭବ ଓ ବର୍ଷାଙ୍କ ଲଢେଇ ଚାଲିଛି । ଇତି ମଧ୍ୟରେ ବିଜେଡିର କେତେକ ନିର୍ବାଚନୀ କାର୍ଯ୍ୟକ୍ରମରେ ବର୍ଷାଙ୍କୁ ଦେଖିବାକୁ ମିଳୁଥିବାବେଳେ ଅନୁଭବ କିନ୍ତୁ ଦେଖାଯାଉ ନାହାନ୍ତି ।
ଏ ପରିପ୍ରେକ୍ଷୀରେ ୨୦୨୪ ରେ ଅନୁଭବ କେନ୍ଦ୍ରାପଡାରୁ ପୁଣି ଟିକଟ ପାଇବେ କି ନାହିଁ ତାହା ବଡ ପ୍ରଶ୍ନବାଚୀ ହୋଇଥିବାବେଳେ ବର୍ଷା-ଅନୁଭବ ଅଦାଲତି ଲଢେଇରୁ କିନ୍ତୁ ବିଜେଡି ନିଜକୁ ଦୂରେଇ ରଖି ଅଦାଲତର ଚୂଡାନ୍ତ ରାୟକୁ ଅପେକ୍ଷା କରିଛି । ଏମାନଙ୍କ ବିବାଦର ସମାଧାନ ପାଇଁ ବିଜେଡିର କୌଣସି ନେତା ଆଗଭର ହେଉଥିବା ଭଳି ଲକ୍ଷ୍ୟ କରାଯାଉନାହିଁ ।
ସେହିଭଳି ପୂର୍ବତନ ମନ୍ତ୍ରୀ ତଥା ତିର୍ତ୍ତୋଲର ବିଧାୟକ ବିଷ୍ଣୁ ଦାସଙ୍କ ବିୟୋଗ ପରେ ଉପନିର୍ବାଚନ ଲଢି ବିଜେଡି ପ୍ରାର୍ଥୀ ଭାବେ ବିଧାନସଭାକୁ ଆସିଥିବା ତାଙ୍କ ପୁଅ ବିଜୟ ଶଙ୍କରଙ୍କୁ ନେଇ କେବଳ ଜଗତ୍ସିଂହପୁର ଜିଲ୍ଲା କାହିଁକି, ଅନ୍ୟ ଅଞ୍ଚଳର ସମ୍ବେଦନଶୀଳ ବିଜେଡି କର୍ମୀମାନେ ଅଡୁଆରେ ପଡିଛନ୍ତି । ବିଜୟ ଶଙ୍କର ସୋମାଲିକା ନାମ୍ନି ଜଣେ ଯୁବତୀଙ୍କୁ ବିବାହ କରିବାପାଇଁ ଏକଦା ଅଦାଲତରେ ଆବେଦନ କରିଥିଲେ ।
ତେବେ ସେ ନିର୍ଦ୍ଦିଷ୍ଟ ଦିନରେ ବିବାହ ପଞ୍ଜିକରଣ ପାଇଁ ନଆସି ଏଡାଇ ଯିବାରୁ ସୋମାଲିକା ପୁଲିସ୍ ନିକଟରେ ଅଭିଯୋଗ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଜଗତ୍ସିଂହପୁର ପୁଲିସ୍ ଏତାଲା ରଖିବାକୁ ବାଧ୍ୟ ହୋଇଛି । ସୋମାଲିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଏହି ଯୁବ ବିଧାୟକ ସମ୍ପର୍କ ରଖି ପରେ ପ୍ରତାରିତ କରିଥିବା ଘେନି ଗୁରୁତର ଅଭିଯୋଗ ଆସିଥିବାବେଳେ ଏହି ବ୍ୟକ୍ତିଗତ ମାମଲାରୁ ବିଜେଡି ଦୂରେଇ ରହୁଛି ।
ଅନ୍ୟ ପକ୍ଷରେ ଏହି ଦୁଇଟି ଘଟଣା ସାମାଜିକ ଓ ରାଜନୈତିକ ଦୃଷ୍ଟିରୁ ବେଶ୍ ସ୍ପର୍ଶକାତର ହୋଇଥିବାରୁ ଆଗାମୀ ନିର୍ବାଚନବେଳେ ଦଳ ପକ୍ଷରୁ ଠିକଣା ସମୟରେ ଠିକଣା ପଦକ୍ଷେପ ନିଆଯାଇପାରେ ବୋଲି କେତେକ ନେତା ବ୍ୟକ୍ତିଗତ ମନ୍ତବ୍ୟ ଦେଉଥିଲେ ମଧ୍ୟ ଗଣମାଧ୍ୟମ ଆଗରେ ପାଟି ଖୋଲୁ ନାହାନ୍ତି । (ତଥ୍ୟ)