ଭୁବନେଶ୍ୱର : ସରକାରୀ ମେଡିକାଲ କଲେଜ ଓ ଡାକ୍ତରଖାନାଗୁଡ଼ିକର ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ସହିତ ଆଧୁନିକୀକରଣ କରାଯାଇପାରିଲେ ଚିକିତ୍ସା ସେବାରେ ଉନ୍ନତି ଆସିବା ସହିତ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନାରେ ଆର୍ôଥକ ଚାପ ଢେର କମିଯିବ ବୋଲି ଚିକିତ୍ସା ବିଜ୍ଞାନୀମାନେ ମତବ୍ୟକ୍ତ କରୁଛନ୍ତି ।
ରାଜ୍ୟର ବିଭିନ୍ନ ଜିଲ୍ଳାରେ ଥିବା କ୍ଷେତ୍ର ଡାକ୍ତରଖାନାଗୁଡ଼ିକ ପାଇଁ ୧୫,୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ସେଥିରୁ ୫୦୦୦ରୁ ଊର୍ଦ୍ଧ୍ୱ ପଦବୀ ଖାଲି ପଡିଛି । ହୋମିଓପ୍ୟାଥିକ ଡାକ୍ତରଖାନାଗୁଡ଼ିକରେ ୧୩୫ଟି ଓ ଆୟୁର୍ବେଦିକ ଡାକ୍ତରଖାନାରେ ୧୭୧ଟି ଡକ୍ତର ପଦବୀ ମଧ୍ୟ ଖାଲି ରହିଛି । ଏମିତିକି ୯ଟି ୟୁନାନୀ ଡାକ୍ତର ପଦବୀରୁ ୬ଟି ଖାଲି ରହିଛି । ଏହା ସତ୍ତ୍ୱେ ଏହି ସରକାରୀ ଡାକ୍ତରଖାନାଗୁଡ଼ିକର ବହିର୍ବିଭାଗରେ ବର୍ଷକୁ ପ୍ରାୟ ସାଢ଼େ ୩ କୋଟି ରୋଗୀ ଚିକିତ୍ସିତ ହୋଇଥିବା ବେଳେ ପ୍ରାୟ ୭୫ଲକ୍ଷ ରୋଗୀ ଡାକ୍ତରଖାନାଗୁଡ଼ିକର ଶଯ୍ୟାରେ ଚିକିତ୍ସିତ ହେଉଛନ୍ତି ।
ଏହାଛଡ଼ା ରାଜ୍ୟରେ ଏବେ ୧୪ଟି ମେଡିକାଲ୍ କଲେଜ୍, ଦୁଇଟି ସ୍ନାତକୋତ୍ତର ମେଡିକାଲ୍ ପ୍ରତିଷ୍ଠାନ ଏବଂ ୭ଟି ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ସରକାରୀ ମେଡିକାଲ୍ କଲେଜ୍ ରହିଛି । ଏହି ସରକାରୀ ମେଡିକାଲ୍ କଲେଜ୍ଗୁଡ଼ିକର ବହିର୍ବିଭାଗରେ ବାର୍ଷିକ ପାଖାପାଖି କୋଟିଏ ରୋଗୀ ଚିକିତ୍ସିତ ହେଉଥିଲା ବେଳେ ଏଗୁଡ଼ିକର ଅନ୍ତର୍ବିଭାଗରେ ପାଖାପାଖି ୧୦ଲକ୍ଷ ରୋଗୀ ଭର୍ତ୍ତି ହେଉଛନ୍ତି ।
ରାଜ୍ୟରେ ଥିବା ସରକାରୀ ମେଡିକାଲ୍ କଲେଜ୍ ସହିତ ଡେଣ୍ଟାଲ୍ କଲେଜ୍ ଓ ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନ ଆବଶ୍ୟକ ସଂଖ୍ୟକ ଡାକ୍ତର, ଡାକ୍ତରୀ ଶିକ୍ଷକ ଓ ଅନ୍ୟାନ୍ୟ କର୍ମଚାରୀ ଅଭାବ ଯୋଗୁ ଗୁରୁତର ସଂକଟ ମଧ୍ୟ ଦେଇ ଗତି କରୁଛି । ସରକାରୀ ମେଡିକାଲ୍ କଲେଜଗୁଡ଼ିକରେ ଅନ୍ୟୁନ ୮୩ଟି ପ୍ରଫେସର, ୧୮୫ଟି ସହଯୋଗୀ ପ୍ରଫେସର,୧୪୮ଟି ସହକାରୀ ପ୍ରଫେସର, ୬୮ଟି ଟ୍ୟୁଟର୍, ୪୨୯ଟି ସିନିଅର ରେସିଡେଣ୍ଟ ଓ ୬୦ଟି ଜୁନିଅର ରେସିଡେଣ୍ଟଙ୍କୁ ମିଶାଇ ପାଖାପାଖି ହଜାରେ ଡାକ୍ତର ଓ ଡାକ୍ତରୀ ଶିକ୍ଷକ ପଦବୀ ଖାଲି । ଏଥିଯୋଗୁ ରୋଗୀ ଚିକିତ୍ସା ଠାରୁ ଆରମ୍ଭ କରି ଗବେଷଣା ଗୁରୁତର ଭାବେ ବ୍ୟାହତ ହେଉଛି । ଏହାଛଡ଼ା ଭୁବନେଶ୍ୱରରେ ଥିବା କେନ୍ଦ୍ର ସରକାରଙ୍କ ଏମ୍ସରେ ବି ଡାକ୍ତର ଓ ଅନ୍ୟାନ୍ୟ କର୍ମଚାରୀ ମରୁଡ଼ି ପରିସ୍ଥିତି ଲାଗି ରହିଛି । ରାଜ୍ୟର ସ୍ୱାସ୍ଥ୍ୟ ବିଭାଗରେ ପାଖାପାଖି ୪୦ ହଜାର ପଦବୀ ଖାଲି ପଡିଥିବା କୁହାଯାଉଛି ।
ସରକାରୀ ମେଡିକାଲ୍ କଲେଜ୍ ଓ ଅନ୍ୟ ଡାକ୍ତରଖାନାଗୁଡ଼ିକରେ ଖାଲି ପଡିଥିବା ସମସ୍ତ ପଦବୀ ପୂରଣ ସହିତ ଯଦି ଭିତ୍ତିଭୂମିର ଆଧୁନିକୀକରଣ ସହିତ ଅତ୍ୟାଧୁନିକ ଯନ୍ତ୍ରପାତିର ବ୍ୟବସ୍ଥା ହୁଅନ୍ତା ତେବେ ଲୋକେ ମାଗଣାରେ କିମ୍ବା ସ୍ୱଳ୍ପ ଖର୍ଚ୍ଚରେ ଉନ୍ନତମାନର ଚିକିତ୍ସା ସେବା ପାଇପାରନ୍ତେ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହୁଛନ୍ତି ଯେ ସରକାରୀ ସଂସ୍ଥାନଗୁଡ଼ିକରେ ଏହାର ଅଭାବ ଥିବାରୁ ଲୋକେ ବାଧ୍ୟ ହୋଇ କର୍ପୋରେଟ୍ ଡାକ୍ତରଖାନା ମୁହାଁ ହେଉଛନ୍ତି । ଏ କ୍ଷେତ୍ରରେ ସରକାର ବିଭିନ୍ନ ଯୋଜନାରେ ପୁରୁଷ ରୋଗୀଙ୍କ ପାଇଁ ବାର୍ଷିକ ୫ଲକ୍ଷ ଓ ମହିଳା ରୋଗୀଙ୍କ ପାଇଁ ବାର୍ଷିକ ୧୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟୟ ଭାର ତୁଲାଉଛନ୍ତି ।
ସରକାରୀ ଚିକିତ୍ସାନୁଷ୍ଠାନଗୁଡ଼ିକ ସହ ଯୋଡ଼ି ହୋଇ ରହିଥିବା ରକ୍ତ କେନ୍ଦ୍ରଗୁଡ଼ିକରେ ଠିକା କର୍ମଚାରୀଙ୍କୁ ସ୍ୱଳ୍ପ ବେତନରେ ଖଟାଯାଉଛି । ସେହିଭଳି କଟକସ୍ଥିତ ସ୍ପାଇନାଲ୍ ଇଞ୍ଜୁରୀ ସେଣ୍ଟର ସମେତ ରାଜ୍ୟର ଅନ୍ୟାନ୍ୟ ସରକାରୀ ଡାକ୍ତରଖାନାରେ ବି ଠିକା ଓ ଆଉଟ୍ ସୋର୍ସିଂ କର୍ମଚାରୀମାନଙ୍କ ମାଧ୍ୟମରେ କାମ ଚଳାଯାଉଛି । ରାଜଧାନୀର କ୍ୟାପିଟାଲ୍ ହସ୍ପିଟାଲରେ ଥିବା ସ୍ନାତକୋତ୍ତର ସଂସ୍ଥାନର ନିୟମିତ ନର୍ଦ୍ଦେଶକଙ୍କ ସମେତ ବହୁ ଡାକ୍ତର ଓ ଅଣ ଡାକ୍ତର ପଦବୀ ଖାଲି ପଡିଛି । ଅସ୍ଥାୟୀ କର୍ମଚାରୀମାନଙ୍କୁ ଏହି ସଂସ୍ଥାନଗୁଡ଼ିକରେ ସ୍ଥାୟୀ କରିବା ସହିତ ଭିତ୍ତିଭୂମିର ବିକାଶ ଓ ଆଧୁନିକୀକରଣ କରାଯାଇପାରିଲେ ଆୟୁଷ୍ମାନ ଭାରତ ଓ ଗୋପବନ୍ଧୁ ଜନଆରୋଗ୍ୟ ଯୋଜନା ଉପରେ ଅର୍ଥ ବୋଝ ହାଲୁକା ହୁଅନ୍ତା ବୋଲି ପୁରୁଖା ଡାକ୍ତରମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)