ଭୁବନେଶ୍ୱର : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଓ ଅନ୍ୟାନ୍ୟ ଦୁର୍ନୀତି ମାମଲାରେ ବିଚାର ପ୍ରକ୍ରିୟା ବିଳମ୍ବିତ ହେଉଥିବା ବେଳେ ସରକାର ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆଧାରରେ ଏଭଳି ମାମଲାରେ ଛନ୍ଦି ହେଉଥିବା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାକିରିରୁ ବିଦା କରୁଛନ୍ତି ।
୨୦୨୦ ଶେଷ ସୁଦ୍ଧା ଓଡ଼ିଶାରେ ୩୫୦୯ଟି ଦୁର୍ନୀତି ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ବିଭିନ୍ନ କାରଣରୁ ବିନା ବିଚାରରେ ୧୪ଟି ମାମଲାର ଫଏସଲା ହୋଇଥିବା ବେଳେ ୧୬ଟିରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ ଓ ଆଉ ୧୬ଟିରେ ସେମାନଙ୍କୁ ଦୋଷମୁକ୍ତ କରାଯାଇଥିଲା । ମୋଟାମୋଟି ଭାବେ ଏ କ୍ଷେତ୍ରରେ ରାଜ୍ୟରେ ଦଣ୍ଡବିଧାନ ହାର ୫୦ ପ୍ରତିଶତ ଥିବାବେଳେ ଫଏସଲା ହୋଇଥିଲା କିନ୍ତୁ ମାତ୍ର ୧.୩ ପ୍ରତିଶତ ମାମଲା ।
ଏହାକୁ ଆଖିଆଗରେ ରଖି ଦୁର୍ନୀତି ମାମଲାଗୁଡିକର ତ୍ୱରିତ ଫଏସଲା ଓ ଏହି ମାମଲାଗୁଡିକର ତଦନ୍ତ ଏବଂ ପରିଚାଳନାରେ ଉନ୍ନତି ଆଣିବା ଲାଗି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଉଛି । ଏବେ ସାଢ଼େ ୩ ହଜାରରୁ ଅଧିକ ଦୁର୍ନୀତି ମାମଲା ବିଚାର ପ୍ରତୀକ୍ଷାରେ ଓଡ଼ିଶାରେ ଥିବାବେଳେ ସାରା ଦେଶରେ ଏହି ସଂଖ୍ୟା ୨୬ ହଜାରରୁ ଅଧିକ ବୋଲି କୁହାଯାଉଛି ।
ବିଚାର ପ୍ରତୀକ୍ଷାରେ ଥିବା ସର୍ବାଧିକ ଦୁର୍ନୀତି ମାମଲା ମହାରାଷ୍ଟ୍ରରେ ପଡି ରହିଥିବା ବେଳେ ଏହାପଛକୁ ଯଥାକ୍ରମେ: ଓଡ଼ିଶା ଓ ରାଜସ୍ଥାନ ଦ୍ୱିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଗତବର୍ଷ ସମଗ୍ର ଦେଶରେ ମାତ୍ର ୧୦୫୭ଟି ଦୁର୍ନୀତି ମାମଲା ଫଏସଲା ହୋଇଥିବା ବେଳେ ସେଥିରୁ ୩୬୯ଟି ଦଣ୍ଡବିଧାନ ହୋଇଥିଲା ।
ଆଇନ ବିଶେଷଜ୍ଞମାନେ କହୁଛନ୍ତି ଯେ ନିମ୍ନ ଅଦାଲତରେ ଦୁର୍ନୀତି ସଂକ୍ରାନ୍ତୀୟ ମାମଲା ଫଏସଲା ଲାଗି ବେଶ ବିଳମ୍ବ ଘଟୁଛି ଏବଂ ଯେତିକି ବି ମାମଲା ଫଏସଲା ହେଉଛି ସେଥିରୁ ଅଧିକାଂଶରେ ଦୋଷୀ ସାବ୍ୟସ୍ତ ଅଧିକାରୀ ଉପର ଅଦାଲତକୁ ଯିବାରୁ ପୁଣି ମାମଲା ବର୍ଷ ବର୍ଷ ଧରି ଗଡୁଛି । ଫଳରେ ସରକାରୀ ଚାକିରିରୁ ଅବସର ଗ୍ରହଣ କରି କେତେକ କ୍ଷେତ୍ରରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଯିବାରୁ ଏଭଳି ମାମଲା ଏକ ପ୍ରକାର ଅକାମୀ ହୋଇଯାଉଛି ।
ତେଣୁ ଆୟ ବହିର୍ଭୁତ ସମ୍ପତ୍ତି ଠାବ ଓ ଅନ୍ୟାନ୍ୟ ଦୁର୍ନୀତି ମାମଲା ରୁଜୁ ହେବାର ମାସେ ଦୁଇମାସ ଭିତରେ ଚାର୍ଜସିଟ୍ ଦାଖଲ କରାଯାଇ ୬ ମାସ ମଧ୍ୟରେ ନିମ୍ନ ଅଦାଲତରେ ମାମଲା ଫଏସଲା ଲାଗି ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଣୟନ କରାଯାଇପାରିଲେ ଦୁର୍ନୀତି ବ୍ୟାଧି ବହୁ ପରିମାଣରେ କମିପାରିବ ।
ସରକାରୀ ତଥ୍ୟ ମୁତାବକ ଗତବର୍ଷ ସାରା ଦେଶରେ ଦୁର୍ନୀତି ଅଭିଯୋଗରେ ୯୩ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଥିବା ବେଳେ ଆଉ ୨୨୯ ଜଣଙ୍କ ପ୍ରତି ବିଭାଗୀୟ ଦଣ୍ଡବିଧାନ ବ୍ୟବସ୍ଥା କରାଯାଇଥିଲା । ଏହି କ୍ରମରେ ଦୁର୍ନୀତି ମାମଲାରେ ଫସିଥିବା ଓଡିଶାର ୧୭ଜଣ ସରକାରୀ କର୍ମଚାରୀଙ୍କ ପ୍ରତି ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆଧାରରେ ଦଣ୍ଡବିଧାନ କରାଯାଇଛି ।
ସମ୍ବିଧାନର ୩୧୧ ଧାରାର ପ୍ରୟୋଗ କରାଯାଇ ବିନା ତଦନ୍ତରେ ବି କେତେକ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି । ତେବେ ଦୁର୍ନୀତି ମାମଲାରେ ଫସୁଥିବା ସରକାରୀ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ପାରୁଥିବା ବେଳେ ସମାନ ଅଭିଯୋଗରେ ଯେଉଁ ରାଜନେତାମାନଙ୍କ ବିରୋଧରେ ମାମଲା ହେଉଛି ସେମାନେ କିନ୍ତୁ ବିଳମ୍ବିତ ବିଚାର ପ୍ରକ୍ରିୟାରୁ ଫାଇଦା ଉଠାଇ ବଞ୍ôଚ ଯାଉଛନ୍ତି ।
କେବଳ ସରକାରୀ ଅଧିକାରୀ ନୁହନ୍ତି, ଦଳମତ ନିର୍ବିଶେଷରେ ଯେଉଁ ରାଜନେତା, ଠିକାଦାର, ବ୍ୟବସାୟୀ ଏବଂ ସରକାରୀ ଅର୍ଥ କାରବାରରେ ଜଡିତ ଅନ୍ୟ ସଂସ୍ଥା ଓ ବ୍ୟକ୍ତି ବିଶେଷ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ସହିତ ଦୁର୍ନୀତିରେ ସଂପୃକ୍ତ ରହୁଛନ୍ତି ସେମାନେଙ୍କ ବିରୋଧରେ ବି ଦୃଷ୍ଟାନ୍ତମୂଳକ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଲାଗି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । (ତଥ୍ୟ)