ଭୁବନେଶ୍ୱର : ଆୟବର୍ହିଭୂତ ସମ୍ପତ୍ତି ଠୁଳ ଓ ଲାଞ୍ଚ କାରବାର ଅଭିଯୋଗରେ ପ୍ରାୟ ପ୍ରତିଦିନ ପୁଲିସ ଠାରୁ ଆରମ୍ଭ କରି ଡାକ୍ତର, ଇଞ୍ଜିନିୟର, କିରାଣୀ, ପିଅନଙ୍କ ପର୍ଯ୍ୟନ୍ତ ବିଭିନ୍ନ କିସମର ସରକାରୀ କର୍ମଚାରୀମାନେ ଦୁର୍ନୀତି ନିବାରଣ ବିଭାଗର ଜାଲରେ ପଡୁଛନ୍ତି । ଏହା ସତ୍ୱେ ଦୁର୍ନୀତି କିନ୍ତୁ ବନ୍ଦ ହେଉନାହିଁ । ଏବେ ଓଡିଶାରେ ବିଭିନ୍ନ ଜିଲ୍ଲାରେ ପ୍ରାୟ ୩୦ହଜାର ଅର୍ଥନୈତିକ ଅପରାଧ ଓ ଭିଜିଲାନ୍ସ ମାମଲା ବିଚାର ପ୍ରତୀକ୍ଷାରେ ପଡି ରହିଛି ।
ଭିଜିଲାନ୍ସ ମାମଲାଗୁଡିକରେ ଓଡିଶାରେ ଦଣ୍ଡବିଧାନ ହାର ଜାତୀୟ ସ୍ତର ସହ ପ୍ରାୟ ସମାନ ରହୁଥିବାବେଳେ ଅର୍ଥନୈତିକ ଅପରାଧ ମାମଲାରେ କିନ୍ତୁ ଦଣ୍ଡବିଧାନ ହାର ଓଡିଶାରେ ଢେର କମ୍ ରହୁଛି । ତେବେ ବାର୍ଷିକ ଦୁଇ ଶହ ପର୍ଯ୍ୟନ୍ତ ଭିଜିଲାନ୍ସ ମାମଲାର ବିଚାର ସରୁନଥିବାବେଳେ ଅର୍ଥନୈତିକ ଅପରାଧ କ୍ଷେତ୍ରରେ ଏହି ସଂଖ୍ୟା ଦେଢଶହରୁ କମ୍ ରହୁଛି ।
କ୍ରାଇମ୍ ଇନ୍ ଇଣ୍ଡିଆର ସର୍ବଶେଷ ରିପୋର୍ଟ ଅନୁଯାୟୀ ଜାତୀୟ ସ୍ତରରେ ଭିଜିଲାନ୍ସ ମାମଲାରେ ଦଣ୍ଡବିଧାନ ହାର ୪୨.୫ ପ୍ରତିଶତ ରହୁଥିବାବେଳେ ଓଡିଶାରେ ବି ଏହା ସମାନ ରହିଛି । ତେବେ ଯେତେ ସଂଖ୍ୟକ ଭିଜିଲାନ୍ସ ମାମଲା ବିଚାର ପାଇଁ ରହୁଛି ସେଥିରୁ ବର୍ଷକୁ ମାତ୍ର ୩.୯ ପ୍ରତିଶତ ଓଡିଶାରେ ଫଏସଲା ହେଉଛି । ଏନ୍ସିଆରବି ଦ୍ୱାରା ୨୦୨୨ ଅଗଷ୍ଟ ମାସରେ ପ୍ରକାଶିତ ପାଇଥିବା ରିପୋର୍ଟ ମୁତାବକ ବର୍ଷକରେ ଓଡିଶାରେ ମାତ୍ର ୧୪୬ ଭିଜିଲାନ୍ସ ମାମଲା ଫଏସଲା ହୋଇଥିବାବେଳେ ସେଥିରୁ ୫୦ଟିରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଛନ୍ତି ଓ ୩୭ଟିରେ ଦଣ୍ଡବିଧାନ ହୋଇଛି ।
ମୋଟାମୋଟି ଭାବେ ୨୦୨୨ ଆରମ୍ଭ ବେଳକୁ ଓଡିଶାରେ ୩୫୫୯ଟି ଭିଜିଲାନ୍ସ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ଯଦି ଫଏସଲା ହାର ବିଗତବର୍ଷ ଭଳି ଲାଗି ରୁହେ ତେବେ ଦୁର୍ନୀତିଖୋର ଅଧିକାରୀଙ୍କ ପାଇଁ ତାହା ପୁଷମାସ ଭଳି ହେବ । ଯେତିକି ବି ମାମଲାରେ ଦଣ୍ଡବିଧାନ ହେଉଛି ସେଥିରୁ ଅଧିକାଂଶରେ ଦଣ୍ଡିତ ଅଧିକାରୀମାନେ ଉପର ଅଦାଲତକୁ ଯିବା ଫଳରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଜେଲରେ ନରହି ଖୋଲାଖୋଲି ବୁଲୁଛନ୍ତି । ଏମିତିକି ବିଳମ୍ବିତ ବିଚାର ଯୋଗୁଁ କେତେକ କ୍ଷେତ୍ରରେ ଅଭିଯୁକ୍ତଙ୍କ ମୃତ୍ୟୁ ହୋଇ ଯାଉଥିବାରୁ ଏହି ମାମଲାଗୁଡିକ ମଧ୍ୟ ଅକାମୀ ହୋଇପଡୁଛି ।
ଅର୍ଥନୈତିକ ଅପରାଧ କ୍ଷେତ୍ରରେ ଉକ୍ତ ବର୍ଷରେ ଓଡିଶାରେ ମାତ୍ର ୧୩୨ଟି ମାମଲା ଫଏସଲା ହୋଇଥିବାବେଳେ ଏଥିରୁ ମାତ୍ର ୪ଟିରେ ଅଭିଯୁକ୍ତଙ୍କୁ ଦଣ୍ଡିତ କରାଯାଇଛି । ମୋଟ ମାମଲାର ୧ ପ୍ରତିଶତ ମଧ୍ୟ ବର୍ଷକରେ ଫଏସଲା ହେଉନଥିବା ଏହି ତଥ୍ୟରୁ ଜଣାପଡିଛି । ଏନ୍ସିଆରବି ତଥ୍ୟ ଅନୁଯାୟୀ ଓଡିଶାରେ ୨୫,୫୩୨ଟି ଅର୍ଥନୈତିକ ଅପରାଧ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଏବେ ଦେଢବର୍ଷ ମଧ୍ୟରେ ଯେତେ ସଂଖ୍ୟକ ଭିଜିଲାନ୍ସ ଓ ଅର୍ଥନୈତିକ ଅପରାଧ ମାମଲା ରୁଜୁ ହୋଇଛି ତାହାକୁ ହିସାବକୁ ନେଲେ ପ୍ରାୟ ୩୦ହଜାର ମାମଲା ବିଚାର ପ୍ରତୀକ୍ଷାରେ ରହିଛି ।
ଏଭଳି ମାମଲାର ତ୍ୱରିତ ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟମାନ ଗଠନ କରାଯାଇଛି ଏବଂ ଏହାର ସୁପରିଚାଳନା ଲାଗି ବି ସରକାର ସ୍ୱତନ୍ତ୍ର ତାଲିମପ୍ରାପ୍ତ ଓକିଲ ନିଯୁକ୍ତ କରୁଛନ୍ତି । ଏହା ସତ୍ୱେ ବି ମାମଲା ଫଏସଲା ହାର ଢେର କମ୍ ରହୁଛି । କେତେକ ମାମଲାରେ ସୁପ୍ରିମ୍କୋର୍ଟ ଦୁର୍ନୀତି ଅଭିଯୋଗ ମାମଲାଗୁଡିକର ତ୍ୱରିତ ଫଏସଲା ଲାଗି ମତବ୍ୟକ୍ତ କରିବା ସଂଗେ ସଂଗେ ଦୁର୍ନୀତି ଅଭିଯୁକ୍ତମାନେ ପଦ ପଦବୀରେ ରହିଲେ ତାହା ସେମାନଙ୍କ ଅଧସ୍ତନ ଓ ସାଥି ସରକାରୀ କର୍ମଚାରୀମାନଙ୍କ ଉପରେ ପ୍ରତିକୂଳ ପ୍ରଭାବ ପକାଇବ ବୋଲି ସ୍ପଷ୍ଟ ଉଲ୍ଲେଖ କରିଛନ୍ତି । ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଦୁର୍ନୀତି ନିବାରଣ ଜାଲରେ ପଡୁଥିବା କେତେକ ସରକାରୀ କର୍ମଚାରୀଙ୍କୁ ଇତି ମଧ୍ୟରେ ଚାକିରିରୁ ବିଦା କରିଛନ୍ତି । (ତଥ୍ୟ)