Home News in Odia ଦୁର୍ନୀତି ମାମଲାରେ ଖସୁଛନ୍ତି ଅଧିକ

ଦୁର୍ନୀତି ମାମଲାରେ ଖସୁଛନ୍ତି ଅଧିକ

ଭୁବନେଶ୍ୱର : ଦୁର୍ନୀତି ଗଣତାନ୍ତ୍ରିକ ବ୍ୟବସ୍ଥାର ସବୁଠାରୁ ବଡ଼ ବ୍ୟାଧି ହୋଇଥିବାବେଳେ ବର୍ଷକୁ ବର୍ଷ ଦୁର୍ନୀତି ନିବାରଣ ଆଇନରେ ମାମଲା ସଂଖ୍ୟା ବଢି ଚାଲୁଛି । ତେବେ ଏହି ମାମଲାରେ ଦଣ୍ଡବିଧାନ ହାର ଜାତୀୟ ସ୍ତରରେ ୪୦ ପ୍ରତିଶତରୁ କମ୍‍ ରହୁଥିବାବେଳେ ଦୁର୍ନୀତି ନିବାରଣ ମାମଲାର ଫଇସଲା ହାର ମାତ୍ର ୭ ପ୍ରତିଶତରୁ କମ୍‍ ରହୁଛି ।

୨୦୨୩ ଆରମ୍ଭ ବେଳକୁ ସାରା ଦେଶରେ ୨୮,୬୫୫ଟି ଦୁର୍ନୀତି ମାମଲା ବିଚାରାଧିନ ଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ୩,୬୩୩ ରହିଛି । ୨୦୨୨ ବର୍ଷରେ ସାରା ଦେଶରେ ମାତ୍ର ୧୮୨୪ଟି ଏହି କିସମର ମାମଲା ଫଇସଲା ହୋଇଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ଥିଲା ୨୪୭ । ତେବେ ଆମ ରାଜ୍ୟରେ ର୍ଦୁନୀତି ନିବାରଣ ମାମଲାରେ ଦଣ୍ଡବିଧାନ ହାର ୩୬.୪ ପ୍ରତିଶତ ଥିବାବେଳେ ଜାତୀୟ ସ୍ତରରେ ଏହା ୩୯.୬ ପ୍ରତିଶତ ରହିଛି । ଦୁର୍ନୀତି ମାମଲାରେ ଦଣ୍ଡବିଧାନ ହାର କ୍ଷେତ୍ରରେ ଯେଉଁସବୁ ରାଜ୍ୟ ଓଡ଼ିଶା ଠାରୁ ପଛରେ ରହିଛନ୍ତି ସେଗୁହିକ ମଧ୍ୟରେ ଜାମ୍ମୁ-କାଶ୍ମୀର, ଉତ୍ତରପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକ, ହିମାଚଳପ୍ରଦେଶ ଆଦିର ନାମ ଉଲ୍ଲେଖଯୋଗ୍ୟ ।

ତେବେ ଦୁର୍ନୀତି ମାମଲାରେ ପୁଡିଚେରିରେ ଦଣ୍ଡବିଧାନ ହାର ୧୦୦ ପ୍ରତିଶତ ରହିଥିବାବେଳେ ଏହା ଦିଲ୍ଲୀରେ ୫୦, ଉତ୍ତରାଖଣ୍ଡରେ ୬୦, ତେଲେଙ୍ଗାନାରେ ୫୩, ତାମିଲନାଡୁରେ ୬୪, ରାଜସ୍ଥାନରେ ୫୧, ମିଜୋରାମରେ ୭୫, ମଧ୍ୟପ୍ରଦେଶରେ ୬୩, କେରଳରେ ୭୫, ଝାଡଖଣ୍ଡରେ ୫୭, ବିହାରରେ ୮୩, ଆସାମରେ ୬୬ ଓ ଆନ୍ଧ୍ରରେ ୫୦ ପ୍ରତିଶତ ରହିଥିବା କେନ୍ଦ୍ର ସରକାରଙ୍କ ସଦ୍ୟ ପ୍ରକାଶିତ ଏନ୍‍ସିଆର୍‍ବି ରିପୋର୍ଟରୁ ଜଣାପଡିଛି ।

ଅରୁଣାଚଳ, ମଣିପୁର, ମେଘାଳୟ, ସିକିମ୍‍, ପଶ୍ଚିମବଙ୍ଗ ଆଦି ରାଜ୍ୟରେ ଗୋଟିଏ ହେଲେ ଦୁର୍ନୀତି ନିବାରଣ ମାମଲା ଫଇସଲା ହୋଇନାହିଁ । ସାରା ଦେଶରେ ମାତ୍ର ୬.୬ ପ୍ରତିଶତ ଦୁର୍ନୀତି ନିବାରଣ ମାମଲା ଫଇସଲା ହୋଇଥିବାବେଳେ ଓଡ଼ିଶାରେ ଏହି ହାର ରହିଛି ୬.୪ ପ୍ରତିଶତ । ଦେଶର ଅଧିକାଂଶ ରାଜ୍ୟରେ ଦୁର୍ନୀତି ନିବାରଣ ମାମଲାରେ ଫଇସଲା ହାର ୧୦ ପ୍ରତିଶତରୁ କମ୍‍ ରହିଛି । ଓଡ଼ିଶା ସମେତ ସବୁ ରାଜ୍ୟରେ ଦୁର୍ନୀତି ନିବାରଣ ମାମଲା ବିଚାର ପାଇଁ ସ୍ୱତନ୍ତ୍ର କୋର୍ଟ ସହିତ ସ୍ୱତନ୍ତ୍ର ତାଲିମ ପ୍ରାପ୍ତ ସରକାରୀ ଓକିଲ ରହିଥିବା ଏବଂ ଏଭଳି ମାମଲାର ଧରପଗଡ଼ ଓ ତଦନ୍ତ ପାଇଁ ସ୍ୱତନ୍ତ୍ର ଭିଜିଲାନ୍ସ ପୋଲିସ ରହିଥିଲେ ବି ମାମଲା ଫଇସଲା ଓ ଦଣ୍ଡବିଧାନ ହାର କମ୍‍ ରହୁଛି । ବିଶେଷ କରି ବର୍ଷ ବର୍ଷ ଧରି ଏଭଳି ମାମଲାର ବିଚାର ଗଡୁଥିବା ଏବଂ ଯେଉଁ କେତେକ କ୍ଷେତ୍ରରେ ଅଭିଯୁକ୍ତମାନେ ଦଣ୍ଡିତ ହେଉଛନ୍ତି ସେମାନେ ଉପର ଅଦାଲତକୁ ଅପିଲ୍‍ରେ ଯାଉଥିବାରୁ ବସ୍ତୁତଃ ସଂଖ୍ୟାଧିକ କ୍ଷେତ୍ରରେ ଅପରାଧୀମାନେ ଜେଲ୍‍ରେ ରହୁନାହାନ୍ତି ।

ଏହି ରିପୋର୍ଟ ଅନୁଯାୟୀ ୨୦୨୨ ବର୍ଷରେ ସାରା ଦେଶରେ ୨୦୩୬ଟି ଦୁର୍ନୀତି ମାମଲାର ଫଇସଲା ହୋଇଥିବାବେଳେ ଏଥିରୁ ମାତ୍ର ୭୨୨ଟିରେ ଅଭିଯୁକ୍ତ ଦଣ୍ଡିତ ହୋଇଛନ୍ତି । ଉକ୍ତ ବର୍ଷରେ ଓଡିଶାରେ ୨୪୭ଟି ଦୁର୍ନୀତି ମାମଲା ଅଦାଲତରେ ଫଇସଲା ହୋଇଥିବାବେଳେ ସେଥିରୁର ମାତ୍ର ୯୦ଟିରେ ଦଣ୍ଡବିଧାନା କରାଯାଇଛି । ୧୦୭ଟି ମାମଲାରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବାବେଳେ ୫୦ଟି ଡିସ୍‍ଚାର୍ଜ ହୋଇଯାଇଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୨୨ ବର୍ଷରେ ସାରା ଦେଶରେ ୩୦,୬୯୧ଟି ଦୁର୍ନୀତି ମାମଲା ବିଚାର ପାଇଁ ଥିବାବେଳେ ଓଡ଼ିଶାରେ ବିଚାର ପ୍ରତୀକ୍ଷାରେ ଥିଲା ୩୮୮୦ଟି ମାମଲା । ଏହାଛଡା ସାରା ଦେଶରେ ୧୧,୧୪୨ଟି ଓ ଓଡ଼ିଶାରେ ୧୫୧୯ଟି ଭିଜିଲାନ୍ସ ମାମଲାର ତଦନ୍ତ ବାକିଥିଲା ।

୨୦୨୨ ବର୍ଷରେ ଦେଶରେ ୪୧୩୯ଟି ଭିଜିଲାନ୍ସ ମାମଲା ରୁଜୁ ହୋଇଥିବାବେଳେ ଓଡ଼ିଶାରେ ରୁଜୁ ହୋଇଥିଲା ୨୮୭ଟି । ଏଥିରୁ ୧୧୮ଟି ଟ୍ରାପ୍‍ କେସ୍‍ ଥିବାବେଳେ ୮୫ଟି ଥିଲା ଆୟବର୍ହିଭୂତ ସମ୍ପତ୍ତି ମାମଲା । ପ୍ରକାଶିତ ରିପୋର୍ଟର ତଥ୍ୟ ମୁତାବକ ଦୁର୍ନୀତି ଅଭିଯୋଗରେ ସାରା ଦେଶରେ ୧୩୩ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଥିବାବେଳେ ଓଡ଼ିଶାରେ ବି ୩୦ଜଣଙ୍କୁ ବହିଷ୍କାର କରାଯାଇଛି । (ତଥ୍ୟ)