ଭୁବନେଶ୍ୱର : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପତ୍ରସୂଚନା କାର୍ଯ୍ୟାଳୟ (ପିଆଇବି) ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋ (ସିବିସି) ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହାର ଅଂଶବିଶେଷ ସ୍ୱରୂପ, ଦୁର୍ନୀତି ନିବାରଣ ଉପରେ ଏକ ସ୍ବତନ୍ତ୍ର ଜ୍ଞାନ ବିନିମୟ ଅଧିବେଶନ ଅନୁଷ୍ଠିତ ହୋଇଥିଲା ।
ଏଥିରେ ଦୁର୍ନୀତି ନିବାରଣ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା । କାର୍ଯ୍ୟସ୍ଥଳୀରେ ଅସତ୍ ଆଚରଣକୁ ରୋକିବା ଏବଂ ସ୍ବଚ୍ଛତା ଓ ନୈତିକ ଅଭ୍ୟାସ ଆଚରଣ କରିବା ଉପରେ ବରିଷ୍ଠ ଅଧିକାରୀମାନେ ଗୁରୁତ୍ବାରୋପ କରିଥିଲେ ।
କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ଆଇଏଏସ ପ୍ରଦୀପ କୁମାର ବିଶ୍ବାଳ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ପିଆଇବିର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଏବଂ କେନ୍ଦ୍ରୀୟ ସଂଚାର ବ୍ୟୁରୋର ନିର୍ଦ୍ଦେଶକ ଡକ୍ଚର ଗିରିଶ ଚନ୍ଦ୍ର ଦାସ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ । ବିଭାଗର ଅଧିକାରୀ ଓ କର୍ମଚାରୀମାନେ ଦୁର୍ନୀତି ନିବାରଣ ପାଇଁ ଶପଥ ପାଠ କରିଥିଲେ ।