ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟ ସ୍ତରୀୟ ଦୁର୍ନୀତି ନିବାରଣ ସପ୍ତାହ ୨୦୨୪ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୁର୍ନୀତିକୁ ଦୃଢ ଭାବେ ବିରୋଧ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ। ଏଥି ସହିତ ବିଜେଡି ସରକାର ଅମଳରେ କିଭଳି ଦୁର୍ନିତୀ ହେଉଥିଲା ତାହାକୁ ଇଙ୍ଗିତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଥିଲେ ସେକାଳ ପଖାଳ ଆଉ ନାହିଁ । ଦୁର୍ନୀତି ଆଜି ଦୁର୍ନୀତିଖୋରଙ୍କ ପାଇଁ ଇତିହାସ ହୋଇ ସାରିଛି। ଦୁର୍ନୀତି ବିରୋଧରେ ଲଢେଇ କେବଳ ଲୋକସେବା ଭବନ ଅଥବା ରାଜଧାନୀ ଭୁବନେଶ୍ବରରେ ସୀମିତ ନରହି ତୃଣମୂଳ ପର୍ଯ୍ୟନ୍ତ ନେବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଆଜି ଜିଲ୍ଲା ସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଜିଲ୍ଲାପାଳ ମାନଙ୍କୁ କ୍ଷମତାପନ୍ନ କରାଯାଇଛି। ଜିଲ୍ଲା ସ୍ତରରେ ହେଉଥିବା ଦୁର୍ନୀତି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନଙ୍କ ହାତ ଖୋଲା ରଖା ଯାଇଛି।
ଦୁର୍ନୀତି ବିରୋଧରେ ଲଢେଇ କରିବା ପାଇଁ ଆମ ସରକାର ଉଭୟ ଟପ ଡାଉନ ଓ ବଟମ ଅପ୍ ଆଭିମୁଖ୍ୟ କାର୍ଯ୍ୟକାରୀ କରିଛନ୍ତି। ଦୁର୍ନୀତି ବିରୋଧରେ କେବଳ ଗୋଟିଏ ଦୁଇଟି କିମ୍ବା ଅଳ୍ପ କିଛି ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ନୁହେଁ। ଏହି ଅଭିଯାନ ଦୀର୍ଘସ୍ଥାୟୀ ଭାବେ ଚାଲିବା ଦରକାର। ତାହେଲେ ଯାଇ ଦୁର୍ନୀତିଖୋରଙ୍କ ନିଦ ହଜି ଯିବ ଏବଂ ସେମାନଙ୍କ ମନରେ ଦୁର୍ନୀତି ପାଇଁ ଜେଲ୍ର ଭୟ ରହିବ। ତାହେଲେ ଦୁର୍ନୀତିଖୋରଙ୍କ ପାଇଁ ଏହା ଏକ କଠୋର କାର୍ଯ୍ୟାନୁଷ୍ଠାନ ହେବ। ଆମ ସରକାର ଦୁର୍ନୀତିର ସମ୍ଭାବନାକୁ ହ୍ରାସ କରିବା ପାଇଁ ସବୁସ୍ତରରେ ଆବଶ୍ୟକ ପଦକ୍ଷପ ନେଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସେ ପୁଣି କହିଥିଲେ ଯେ ଦୁର୍ନୀତିର ଚେର ଆଜି ରାଜ୍ୟରେ ମଜଭୁତ୍ ହେଇଯାଇଛି। ଏହାକୁ ଗୋଟିଏ ଦିନ ବା ମାସ ବା ବର୍ଷରେ ବନ୍ଦ କରିହେବ ନାହିଁ। ଏଥିପାଇଁ ନିରନ୍ତର ସଂଗ୍ରାମ ଚାଲିବା ଦରକାର। ଉପସ୍ଥିତ ଅଧିକାରୀ ମାନଙ୍କୁ ଉଦାହାରଣ ଦେଇ କହିଥିଲେ ଯେ ଆମେ ଯଦି ସାଧୁତାର ସହ କର୍ତ୍ତବ୍ୟ ପାଳନ କରୁଥିବା ତେବେ ଆମେ ମଧ୍ୟ ଅନ୍ୟ ପାଇଁ ଉଦାହାରଣ ହେବା, ପ୍ରଶଂସନୀୟ ହେବା। ବାତ୍ୟା ଦାନା ସମୟରେ ନିଜ କର୍ତ୍ତବ୍ୟକୁ ସଠିକ୍ ଭାବେ ପାଳନ କରିଥିବା ରାଜନଗରର ଆଶା କର୍ମୀ ଶିବାନୀ ମଣ୍ଡଳ ହେଉଛନ୍ତି ତାର ଜ୍ବଳନ୍ତ ଉଦାହରଣ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦୁର୍ନୀତି ହେଉଛି ଭୟଙ୍କର ମଧୁମେହ ରୋଗ ସଦୃଶ୍ୟ। ଦୁର୍ନୀତିର କୁପ୍ରଭାବ ପ୍ରଥମେ ଜଣା ପଡିବ ନାହିଁ, ଧିରେ ଧିରେ ଏହା ବ୍ୟକ୍ତିଗତ ସ୍ତରରେ ଓ ସମାଜ ସ୍ତରରେ ଭୟଙ୍କର କୁପ୍ରଭାବ ପକାଇଥାଏ। ଭାରତୀୟ ସମାଜରେ ଦୁର୍ନୀତିର କୁପ୍ରଭାବ ଯେ କେତେ ଥିଲା, ଏହା ଜାଣିବାକୁ ରକେଟ ବିଜ୍ଞାନର ଜ୍ଞାନ ଆବଶ୍ୟକତା ନାହିଁ। ଏ ଦେଶର ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ନିଜେ ଗୋଟିଏ ସାଧାରଣ ସଭାରେ କହିଥିଲେ ଯେ ମୁଁ ଦିଲ୍ଲୀରୁ ଗୋଟିଏ ଟଙ୍କା ପଠାଇଲେ ହିତାଧିକାରୀ ମାତ୍ର ୧୫ ପଇସା ପାଉଛି। ଏଠାରେ ପ୍ରଶ୍ନ ହୁଏ, ଯେ ବାକି ୮୫ ପଇସା କାହା ପକେଟକୁ ଯାଉଥିଲା। ଏହାର ଉତ୍ତର ଆପଣମାନେ ସମସ୍ତେ ଜାଣିଛନ୍ତି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଦୁର୍ନୀତି ନିବାରଣ ବିଭାଗର ଆଜି ଦୋଷୀ ସାବ୍ୟସ୍ତ ହାର ୫୦ ପ୍ରତିଶତରୁ ଅଧିକ ଏବଂ ଆୟବହିର୍ଭୁତ ଦୋଷୀ ସାବ୍ୟସ୍ତ ହାର ୮୦ ପ୍ରତିଶତରୁ ଅଧିକ। ଆମ ସରକାର ପ୍ରଯୁକ୍ତିବିଦ୍ୟା, ଭିତ୍ତିଭୂମି ଓ ମାନବ ସମ୍ବଳ ବୃଦ୍ଧି କରି ଓଡିଶା ଭିଜିଲାନ୍ସକୁ ସୁଦୃଢ କରିବା ପାଇଁ ଅନେକ ପଦକ୍ଷେପ ନେଉଛନ୍ତି। ଭିଜିଲାନ୍ସ ବିଭାଗ ପାଇଁ ୮ଟି ନୂତନ ଅତିରିକ୍ତ ଏସ୍ପି ପଦବୀ ଓ ୨୪ ଟି ନୂତନ ଡିଏସ୍ପି ପଦବୀ ବୃଦ୍ଧି କରାଯିବ। ଏସବୁ ପଦବୀ ଗୁଡିକ ଭିଜିଲାନସ ବିଭାଗର ତଦନ୍ତ ଅନୁସନ୍ଧାନ, ତଦାରଖ ଓ ଦୁର୍ନୀତି ମାମଲାର ବିଚାର ପ୍ରକ୍ରିୟାରେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ କରିବ। ତଦନ୍ତ ଏବଂ ଅନୁସନ୍ଧାନରେ ସହାୟତା କରିବା ପାଇଁ ୧୬ ଜଣ ସବ୍ଇନସିପେକ୍ଟରଙ୍କୁ ମଧ୍ୟ ନିୟୋଜିତ କରାଯିବ। ଏହା ସହିତ ଆଗାମୀ ଦିନରେ ୨୪ ଜଣ ଚାଟାର୍ଡ ଆକାଉଣ୍ଟାଟ ଓ ବ୍ୟାଙ୍କିଙ୍ଗ ଓ ସାଇବର ବିଶେଷଜ୍ଞ ମଧ୍ୟ ବିଭାଗରେ ଅନ୍ତର୍ଭୁକ୍ତ ହେବା ପାଇଁ ଅନୁମୋଦନ ହୋଇଛି। ଭିଜିଲାନ୍ସ ଟିମର ଗତିଶୀଳତା ବୃଦ୍ଧି କରିବା ପାଇଁ ୧୩୫ଟି ନୂତନ ମୋଟରସାଇକେଲ, ୧୫୦ଟି ନୂତନ ଡେସ୍କଟପ/ଲାପଟପ ଯୋଗାଇ ଦିଆଯିବ ଏଥି ସହିତ ରାଜ୍ୟ ଫରେନସିକ ବିଜ୍ଞାନ ପରୀକ୍ଷାଗାର ନିର୍ଦ୍ଦେଶାଳୟ ମଧ୍ୟରେ ପ୍ରତିଷ୍ଠା କରାଯିବ।
ଦୁର୍ନୀତିଖୋରଙ୍କୁ କଡା ଚେତାବନୀ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଦୁର୍ନୀତିକୁ କୌଣସି ସ୍ତରରେ ବରଦାସ୍ତ କରାଯିବ ନାହିଁ। କର୍କଟ ରୋଗକୁ ଠିକ୍ କରିବାକୁ ହେଲେ ଯେଭଳି ପ୍ରଭାବିତ ସ୍ଥାନକୁ ସର୍ଜରୀ ମାଧ୍ୟମରେ କାଢିବାକୁ ପଡେ ଠିକ୍ ସେହିଭଳି ସଭ୍ୟ ସମାଜରୁ ଦୁର୍ନୀତିଖୋରଙ୍କୁ ବାହାର କରି ଜେଲ୍କୁ ପଠାଇବାର ବ୍ୟବସ୍ଥା ରହିଛି। ଆମ ସରକାର ଆସିବାର ୧୪୦ ଦିନ ମଧ୍ୟରେ ୬ ଜଣ ମୁଖ୍ୟ ଯନ୍ତ୍ରୀଙ୍କ ବିରୋଧରେ ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗ ମାମଲା ରୁଜ୍ଜୁ କରାଯାଇ ଗିରଫ କରାଯାଇଛି । ସେମାନଙ୍କ ସମ୍ପତ୍ତି ଜବତ କରାଯାଇ ସେମାନଙ୍କୁ କୋର୍ଟ ଚାଲଣ କରାଯାଇଛି। ଏ ସବୁ ଆୟବହିର୍ଭୁତ ସମ୍ପତ୍ତି ସେମାନେ ସାଧାରଣ ଜନତାଙ୍କ ଟଙ୍କାରେ ଠୁଳ କରିଥିଲେ। ବିଭିନ୍ନ ଭିତ୍ତିଭୂମି କାମ ସବୁ ନିମ୍ନମାନର ହେଉଥିଲା। ସରକାରୀ ଅର୍ଥ ବାଟ ମାରଣା ହେଉଥିଲା। କେବଳ ମୁଖ୍ୟ ଯନ୍ତ୍ରୀ ନୁହେଁ ବିଭିନ୍ନ ବର୍ଗର ପ୍ରାୟ ୨୦ ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ଗିରଫ କରାଯାଇଛି।
କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଯୋଗଦେଇ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଅବଲମ୍ବନ। ଦୁର୍ନୀତି ରୋକିବା ପାଇଁ ଆମକୁ ସରକାରୀ ସିଷ୍ଟମରେ ପରିବର୍ତ୍ତନ ଆଣିବା ଦରକାର। ସବୁଥିରେ ସ୍ବଚ୍ଛତା ରହିବା ଦରକାର ଏବଂ ନାଗରିକ ମାନଙ୍କୁ ସରକାରୀ ସିଷ୍ଟମ ସହ ଯୋଡିବା ଦରକାର। ତାହେଲେ ଯାଇ ଦୁର୍ନୀତି କମିବ। ଆଗାମୀ ଦିନରେ ଗୁଡ୍ ଗଭର୍ଣ୍ଣାନ୍ସ ଓ ଦୁର୍ନୀତି ମୁକ୍ତ ସରକାରର ୨୦୩୬ ବିକଶିତ ଓଡିଶା ଗଠନରେ ବହୁ ଅବଦାନ ରହିବ ବୋଲି ସେ କହିଥିଲେ ।