Home Education ଦୁର୍ଦ୍ଦିନରେ କାଳ କାଟୁଛି ରମାଦେବୀ ବିଶ୍ୱବିଦ୍ୟାଳୟ

ଦୁର୍ଦ୍ଦିନରେ କାଳ କାଟୁଛି ରମାଦେବୀ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର : ବେସରକାରୀ ସ୍ତରରେ ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ଓ ସମାଜସେବୀ ମା’ ରମାଦେବୀଙ୍କ ୧୨୫ତମ ଜନ୍ମବାର୍ଷିକୀ ରାଜ୍ୟ ଭିତରେ ଓ ବାହାରେ ପାଳନ କରାଯାଉଥିବାବେଳେ ତାଙ୍କ ନାମରେ ଖୋଦ ରାଜଧାନୀରେ ପ୍ରତିଷ୍ଠା କରାଯାଇଥିବା ଓଡିଶାର ଏକମାତ୍ର ମହିଳା ବିଶ୍ୱବିଦ୍ୟାଳୟ ଘୋର ଦୁର୍ଦ୍ଦିନ ଭିତରେ ଗତି କରୁଛି ।

ପ୍ରାୟ ବର୍ଷେ ହେବ ଏହି ବିଶ୍ୱବିଦ୍ୟାଳୟର ନିୟମିତ କୁଳପତି ନାହାନ୍ତି । ଏବେ ପିଜି କାଉନସିଲର ଅଧ୍ୟକ୍ଷ ଅସ୍ଥାୟୀଭାବେ ଏହି ଦାୟିତ୍ୱ ନିର୍ବାହ କରୁଛନ୍ତି । ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳ ୨୦୨୪ ନଭେମ୍ବର ୨୬ ତାରିଖରେ ପୂରିବ ବୋଲି ସରକାର ପୂର୍ବରୁ ଜାଣିଥିଲେ ମଧ୍ୟ ନୂଆ କୁଳପତି ନିଯୁକ୍ତି ପାଇଁ ଠିକଣା ସମୟରେ ପ୍ରକ୍ରିୟା ଆରମ୍ଭ କରିନଥିଲେ । ଏବେ ଅବଶ୍ୟ ରାଜ୍ୟର ଅନ୍ୟ ୧୪ଟି ବିଶ୍ୱବିଦ୍ୟାଳୟ ସହିତ ରମାଦେବୀ, ଉତ୍କଳ, ରେଭେନ୍ସା ଆଦି ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ପ୍ରକ୍ରିୟା ଚାଲିଛି ଏବଂ ଏହା ଶେଷହୋଇ ଚଳିତର୍ବେ ଶେଷସୁଦ୍ଧା ନୂଆ କୁଳପତି ନିଯୁକ୍ତ ହୋଇପାରନ୍ତି ବୋଲି ଆଶା କରାଯାଉଛି ।

ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଲାଗି ୧୩ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ କୌଣସି ପ୍ରକାରେ ମାତ୍ର ୫ଜଣ ପ୍ରଫେସରଙ୍କୁ ନେଇ ଏହି ବିଶ୍ୱବିଦ୍ୟାଳୟ ଚାଲିଛି । ଫଳରେ ଅନେକ ବିଷୟରେ ନିୟମିତ ପ୍ରଫେସର ନାହାନ୍ତି । ସେହିପରି ଏହି ବିଶ୍ୱବିଦ୍ୟାଳୟ ପାଇଁ ୩୮ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ବି ପ୍ରାୟ ୨୫ଟି ପଦବୀ ଖାଲି ।

ସରକାରୀ ତଥ୍ୟ ମୁତାବକ ଉକ୍ତ ବିଶ୍ୱବିଦ୍ୟାଳୟ ଲାଗି ୮୬ଟି ମଞ୍ଜୁରୀପ୍ରାପ୍ତ ସହଯୋଗୀ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ଅନ୍ୟୁନ ୪୬ଟି ଖାଲି ପଡିଛି । ମୋଟାମୋଟି ଭାବେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଲାଗି ୧୩୭ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥି ମଧ୍ୟରୁ ୭୭ରୁ ଅଧିକ ପଦବୀ ଖାଲି ପଡିଛି । ଏହି ବିଶ୍ୱବିଦ୍ୟାଳୟ ଲାଗି ୧୦୧ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୮୮ଟି ଖାଲି ପଡିଥିବା ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ପ୍ରଶାସନିକ, ଶୈଖିକ ଓ ପରୀକ୍ଷା ପରିଚାଳନା କାର୍ଯ୍ୟ କିପରି ହେଉଥିବ ତାହା ସହଜରେ ଅନୁମେୟ ।

ପ୍ରାୟ ୬୧ବର୍ଷ ତଳେ ଭୁବନେଶ୍ୱରର ପ୍ରଥମ ମହିଳା କଲେଜ ପ୍ରତିଷ୍ଠା ହୋଇଥିଲା ଏବଂ ୧୯୬୯ ମସିହାରେ ମହାତ୍ମାଗାନ୍ଧୀଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ମା’ରମାଦେବୀଙ୍କ ନାମରେ ଏହା ନାମିତ ହେବାସହ ରୁପାଲିଛକ ନିକଟବର୍ତ୍ତୀ ବର୍ତ୍ତମାନର କ୍ୟାମ୍ପସକୁ ସ୍ଥାନାନ୍ତରିତ ହୋଇଥିଲା । ପୂର୍ବରୁ ଏହି ମହିଳା କଲେଜ ୩ନମ୍ବର ୟୁନିଟ୍‍ର ଶ୍ରମ କମିଶନର ଦପ୍ତର ପରିସର ଓ ପରେ ୟୁନିଟ୍‍-୧ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟ ଗୃହରେ ଚାଲୁଥିଲା ।

୨୦୧୫ ମସିହାରେ ଏହି ଅଗ୍ରଣୀ ସ୍ୱୟଂଶାସିତ ଉଚ୍ଚଶିକ୍ଷାନୁଷ୍ଠାନକୁ ରାଜ୍ୟ ସରକାର ବିଶ୍ୱବିଦ୍ୟାଳୟ ଭାବେ ଘୋଷଣା କରିଥିଲେ । ଏହା ସହିତ ୪୫ରୁ ଅଧିକ ମହିଳା କଲେଜ ଅନୁବନ୍ଧିତ ହୋଇ ରହିଛି । ତେବେ ବହୁ ଘୋଷଣା ସତ୍ୱେ ବିଗତ ୧୦ବର୍ଷ ମଧ୍ୟରେ ରାଜଧାନୀରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ପାଇଁ ସରକାର ଜମି ଯୋଗାଇ ପାରିନଥିବାରୁ ପୂର୍ବର ଡିଗ୍ରୀ କଲେଜ କ୍ୟାମ୍ପସରେ ଏହା ଚାଲିଛି । ବିଭିନ୍ନ ବେସରକାରୀ ଶିକ୍ଷାନୁଷ୍ଠାନ ଓ ଶିଳ୍ପାନୁଷ୍ଠାନ ପାଇଁ ଜମି ଯୋଗାଯାଉଥିବାବେଳେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ କିନ୍ତୁ ଏଥିରୁ ବଞ୍ଚିତ ହୋଇଛି ।

ଏବେ ଏହାର ପରିସରରେ ଯୁକ୍ତ ଦୁଇରୁ ଡିଗ୍ରୀ, ପିଜି ଓ ପିଏଚ୍‍ଡି ପର୍ଯ୍ୟନ୍ତ ବିଭିନ୍ନ ପାଠ୍ୟକ୍ରମ ଚାଲୁଛି । ଆବଶ୍ୟକତା ମେଣ୍ଟାଇବାପାଇଁ ଗୁଡିଏ ନିର୍ମାଣକାର୍ଯ୍ୟ ହୋଇଥିବାରୁ ଏବେ ଏହାର ପରିସର ଭିତରେ ପିଲାମାନଙ୍କ ପାଇଁ ଖେଳପଡିଆ କିମ୍ବା କ୍ୟାଣ୍ଟିନଟିଏ ବି ନାହିଁ । ଏହି ବିଶ୍ୱବିଦ୍ୟାଳୟକୁ ଆସୁଥିବା ଛାତ୍ରୀ, ଅଧ୍ୟାପିକା, କର୍ମଚାରୀ ଏବଂ ଅନୁବନ୍ଧିତ କଲେଜର ଛାତ୍ରୀ ଓ ଅଧ୍ୟାପିକମାନେ ବାରମ୍ବାର ସଡକ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ପରିପ୍ରେକ୍ଷୀରେ ୨୦୧୧ ମସିହା ସ୍ୱାୟତ୍ତଶାସନ ଦିବସରେ ୧୨ଜଣ ନେତା ଏହା ସମ୍ମୁଖରେ ଫୁଟଓଭର ବ୍ରିଜ୍‍ ନିର୍ମାଣ ସରକାରୀ ଉତ୍ସବରେ ଫଳକ ପୋତିଥିଲେ ମଧ୍ୟ ତାହା ବି ହୋଇପାରୁ ନାହିଁ । (ତଥ୍ୟ)