Home News in Odia ଦୁର୍ଘଟଣା ହ୍ରାସ ଉପରେ ଡିଜିପିଙ୍କ ଗୁରୁତ୍ୱ

ଦୁର୍ଘଟଣା ହ୍ରାସ ଉପରେ ଡିଜିପିଙ୍କ ଗୁରୁତ୍ୱ

ଭୁବନେଶ୍ୱର : ରାଜ୍ୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମକୁ ପ୍ରଭାବୀ କରିବାକୁ ପୋଲିସ ମହାନିର୍ଦ୍ଦେଶକ ଓ୍ୱାଇବି ଖୁରାନିଆଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ (କ୍ରାଇମ୍) ବିନୟତୋଷ ମିଶ୍ର, ପରିବହନ ଆୟୁକ୍ତ ତଥା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଅମିତାଭ ଠାକୁରଙ୍କ ସମେତ ଆଇଆଇଟି ମାଡ୍ରାସର ପ୍ରଫେସର ଭେଙ୍କଟେଶ ବାଲ୍ ସୁବ୍ରମନିଅନ ଉପସ୍ଥିତ ଥିଲେ ।

 କ୍ରମାଗତ ଭାବେ ବଢ଼ୁଥିବା ସଡ଼କ ଦୁର୍ଘଟଣା ଓ ତଦଜନିତ ମୃତ୍ୟୁସଂଖ୍ୟାକୁ ନେଇ ଡିଜିପି ଚିନ୍ତାବ୍ୟକ୍ତ କରିଥିଲେ । ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରିବା ସହ ଏନଫୋର୍ସମେଣ୍ଟକୁ ବୃଦ୍ଧି କରିବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଏଥିପାଇଁ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ମିଳିତ ଭାବେ କଡ଼ାକଡ଼ି ଏନଫୋର୍ସମେଣ୍ଟ କରିବା ଉପରେ ସେ ପ୍ରାଧାନ୍ୟ ଦେଇଥିଲେ ।

ଓଡ଼ିଶାରେ ସଡ଼କ ସୁରକ୍ଷାକୁ ପ୍ରଭାବୀ କରିବା ପାଇଁ ଚୁକ୍ତିବଦ୍ଧ ହୋଇଥିବା ଆଇଆଇଟି ମାଡ୍ରାସ ପକ୍ଷରୁ ତିନି ବର୍ଷିଆ ଯୋଜନା ଉପସ୍ଥାପିତ ହୋଇଥିଲା । ଏଥିରେ ଅବସରପ୍ରାପ୍ତ ସୈନିକଙ୍କୁ ନେଇ ସଡ଼କ ସୁରକ୍ଷା ବଳ ଭଳି କନସେପ୍ଟ ସୃଷ୍ଟି ପାଇଁ ପ୍ରସ୍ତାବ ରଖାଯାଇଥିଲା । ସେହିଭଳି ତଥ୍ୟ ଆଧାରରେ ଏନଫୋର୍ସସେଣ୍ଟ, ଭୁବନେଶ୍ୱରରେ ଶୂନ୍ୟ ଦୁର୍ଘଟଣା ଦିବସ ପାଳନ ଭଳି ପ୍ରସ୍ତାବ ମଧ୍ୟ ଉପସ୍ଥାପିତ ହୋଇଥିଲା ।

ଦୁର୍ଘଟଣା ହ୍ରାସ ପାଇଁ ଏନଫୋର୍ସମେଣ୍ଟ ଓ ସଚେତନତା ବ୍ୟତୀତ ଦୁର୍ଘଟଣା ଘଟିଲେ କିଭଳି ଜୀବନ ରକ୍ଷା ହୋଇପାରିବ ସେଥିପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ସହଭାଗିତାରେ ବିଶେଷ ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି । ଟ୍ରମା କେୟାର ସେଣ୍ଟର ସହ ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଛି । ଏହାସହ ସଡ଼କ ନିର୍ମାଣକାରୀ ସଂସ୍ଥା ସହଭାଗିତାରେ ରାସ୍ତା ଇଞ୍ଜିନିୟରିଂ ଦିଗ ଉପରେ ମଧ୍ୟ ଗୁରୁତ୍ୱ ରହିବ । ରୋଡ୍ ସାଇନେଜ ଅଡିଟ, ଦୁର୍ଘଟଣାପ୍ରବଣ ଅଞ୍ଚଳ ତଥା ବ୍ଲାକସ୍ପଟ ଚିହ୍ନଟ ଓ ସମାଧାନ କରାଯିବ ।

ଆଇଆଇଟି ମାଡ୍ରାସ ପକ୍ଷରୁ ନିୟମିତ ଭାବେ କର୍ମଶାଳା ଆୟୋଜନ, ଦୁର୍ଘଟଣାର ସଠିକ କାରଣ ଚିହ୍ନଟ ଏବଂ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ପାଳନର ମାନସିକତା ବୃଦ୍ଧି ଦିଗରେ କାର୍ଯ୍ୟ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି ।