Home News in Odia ଦୁର୍ଘଟଣା ହାର କମୁଥିଲେ ବି ବଢୁଛି ମୃତ୍ୟୁ

ଦୁର୍ଘଟଣା ହାର କମୁଥିଲେ ବି ବଢୁଛି ମୃତ୍ୟୁ

ଭୁବନେଶ୍ୱର : ରାଜ୍ୟରେ ସଡକ ଦୁର୍ଘଟଣାର ହାର କମୁଥିବାବେଳେ ଦୁର୍ଘଟଣାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ହାର କିନ୍ତୁ ବଢିବାରେ ଲାଗିଛି । ଦୁର୍ଘଟଣା ପରବର୍ତ୍ତୀ ସମୟରେ ଚିକିତ୍ସାରେ ବିଳମ୍ବ ଯୋଗୁଁ ଅନେକ ମୂଲ୍ୟବାନ ଜୀବନ ଚାଲିଯାଉଥିବା କୁହାଯାଉଛି ।

ସର୍ବଶେଷ ସୂଚନା ଅନୁଯାୟୀ ରାଜ୍ୟରେ ୨୦୨୨ମସିହାରେ ୧୧,୬୬୩ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ଏହାର ହାରାହାରି ସଂଖ୍ୟା ଥିଲା ୨.୮୨ ପ୍ରତିଶତ । କିନ୍ତୁ ୨୦୨୪ରେ ଏହି ହାର ୦.୨ ପ୍ରତିଶତକୁ ହ୍ରାସ ପାଇଛି । ଯଦିଓ ଦୁର୍ଘଟଣା ସଂଖ୍ୟା ବୃଦ୍ଧି ପାଇ ୧୨ହଜାରକୁ ଟପିଛି । କିନ୍ତୁ ଯେଉଁ ହାରରେ ରାଜ୍ୟରେ ଦୁର୍ଘଟଣା ଘଟୁଥିଲା ସେଥିରେ ଲଗାମ ଲାଗିଛି । ଦୁର୍ଘଟଣା ରୋକିବାକୁ ରାଜ୍ୟ ସରକାର ବ୍ୟାପକ ଯୋଜନା ହାତକୁ ନେଇ ସହିତ ଡ୍ରାଇଭରମାନଙ୍କୁ ସଚେତନ କରିବା ଦ୍ୱାରା ଏହି ହାର ହ୍ରାସ ପାଇଥିବା ଲକ୍ଷ୍ୟ କରାଯାଇଛି ।

ତେବେ ରାଜ୍ୟରେ ଦୁର୍ଘଟଣା ମୃତ୍ୟୁରେ କିନ୍ତୁ ଲଗାମ ଲାଗିପାରୁ ନାହିଁ । ୨୦୨୨ରେ ରାଜ୍ୟରେ ସଡକ ଦୁର୍ଘଟଣାରେ ୫୪୬୭ ଜଣ ବ୍ୟକ୍ତି ମୃତ୍ୟୁବରଣ କରିଥିବାବେଳେ ମୃତ୍ୟୁହାର ହାରାହାରି ୪.୯୮ ପ୍ରତିଶତ ଥିଲା । କିନ୍ତୁ ୨୦୨୪ରେ ସଡକ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୬ହଜାରକୁ ଟପିବା ସହିତ ମୃତ୍ୟୁହାର ୫.୨୪ ପ୍ରତିଶତରେ ପହଞ୍ଚି ଯାଇଛି ।

ଦୁର୍ଘଟଣା ପରେ ପରେ ଆହତଙ୍କୁ ଠିକଣା ସମୟରେ ଡାକ୍ତରଖାନାରେ ପହଞ୍ଚାଯାଇବା ସହିତ ଉପଯୁକ୍ତ ଚିକିତ୍ସା ଯୋଗାଯାଇ ପାରିଲେ ଆହୁରି ଅନେକ ଜୀବନ ରକ୍ଷାପାଇ ଯାଆନ୍ତା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ତେବେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ରାସ୍ତାକଡ ବ୍ୟବସାୟୀଙ୍କୁ ଏ ସଂକ୍ରାନ୍ତରେ ଯେତେ ପ୍ରକାର ସଚେତନ କରାଗଲେ ବି ସେଭଳି ସୁଫଳ ମିଳିପାରୁ ନାହିଁ । ଅନେକ ସ୍ଥାନରେ ଲୋକେ ପୁଲିସ୍‍ ମାମଲାରେ ଛନ୍ଦି ହେବାକୁ ଭୟକରି ଆହତକୁ ଡାକ୍ତରଖାନା ନେବାକୁ ପଛଘୁଞ୍ଚା ଦେଉଛନ୍ତି ।

ତେବେ ରାଜ୍ୟରେ ଦୁର୍ଘଟଣା ହ୍ରାସ ସହିତ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲାଗି ରାଜ୍ୟ ସରକାର ଉଦ୍ୟମକୁ ଜୋରଦାର କରୁଛନ୍ତି । ସଡକ ସୁରକ୍ଷା ସଚେତନତା ନାଁରେ ବ୍ୟାପକ ଅର୍ଥ ବ୍ୟୟ ହେଉଥିବାବେଳେ ଏବେ ଶୂନ ଦୁର୍ଘଟଣା ଲକ୍ଷ୍ୟକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷକରି ଦୁର୍ଘଟଣାପ୍ରବଣ ସ୍ଥାନଗୁଡିକ ଚିହ୍ନଟ କରାଯିବା ସହିତ ସେଠାରେ ଟ୍ରାଫିକ ନିୟନ୍ତ୍ରଣ ଉପରେ ଅଧିକ ଜୋର ଦିଆଯାଉଛି । ସେହିଭଳି ତାଲିମପ୍ରାପ୍ତ ଗାଡିଚାଳକଙ୍କ ଉପରେ ମଧ୍ୟ ପରିବହନ ବିଭାଗ ପକ୍ଷରୁ ଜୋର ଦିଆଯାଉଛି । ବିଶେଷକରି ଭାରିଯାନ ଚଳାଉଥିବା ଚାଳକମାନେ ଯେଭଳି ଠିକଣା ତାଲିମ ପାଇବେ ସେଥିପାଇଁ ରାଜ୍ୟରେ ୪ଟି ସରକାରୀ ତାଲିମକେନ୍ଦ୍ର ଖୋଲିଥିବାବେଳେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କ୍ଷେତ୍ରରେ ମଧ୍ୟ ପ୍ରଚଳିତ ବ୍ୟବସ୍ଥାକୁ ଅଧିକ କଡାକଡି କରାଯାଉଛି ।

ତେବେ ରାଜ୍ୟରେ ଦୁଇ ଓ ଚାରିଚକିଆ ଯାନର ସଂଖ୍ୟା ଯେଭଳି ହୁ ହୁ ଭାବେ ବଢିବାରେ ଲାଗିଛି ଓ ଯୁବକମାନେ ଅତ୍ୟନ୍ତ ବେପରୁଆ ଭାବେ ଗାଡି ଚାଳନା କରୁଛନ୍ତି ତାହା ଉପରେ ବ୍ରେକ୍‍ ନଲାଗିଲେ ରାଜ୍ୟରେ ଶୂନ ଦୁର୍ଘଟଣା ଲକ୍ଷ୍ୟ ଆଦୌ ସମ୍ଭବପର ନୁହେଁ ବୋଲି ପରିବହନ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)