Home News in Odia ଦୁର୍ଘଟଣା ରୋକିପାରୁନି ଆଇଆଇଟି ପରାମର୍ଶ

ଦୁର୍ଘଟଣା ରୋକିପାରୁନି ଆଇଆଇଟି ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ ପାଇଁ ରାଜ୍ୟ ସରକାର ଆଇଆଇଟି ମାଡ୍ରାସ ସହିତ ରାଜିନାମା କରିଥିବାବେଳେ ସେଥିରୁ ସେଭଳି ସୁଫଳ ମିଳିପାରି ନାହିଁ । ରାଜିନାମା ସ୍ୱାକ୍ଷର ପରେ ସଡକ ଦୁର୍ଘଟଣା ଓ ତଦ୍‍ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି ।

ନିକଟରେ ପରିବହନ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ରାଜ୍ୟ ବିଧାନସଭାରେ ଦିଆଯାଇଥିବା ସୂଚନାରୁ ଜଣାଯାଇଛି ଯେ ସଡକ ଦୁର୍ଘଟଣା ବିଷୟରେ ସଚେତନତା ସୃଷ୍ଟି କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ସହଯୋଗ ପାଇଁ ୨୦୨୪ ଡିସେମ୍ବର ମାସରେ ଆଇଆଇଟି ମାଡ୍ରାସ ସହିତ ଓଡିଶା ସରକାର ରାଜିନାମା ସ୍ୱାକ୍ଷର କରିଥିଲେ । ଏହି ରାଜିନାମା ଅନୁଯାୟୀ ଉକ୍ତ ସଂସ୍ଥାକୁ ବିଭିନ୍ନ ପର୍ଯ୍ୟାୟରେ ଅର୍ଥ ଦିଆଯାଇଥାଏ । ବର୍ତ୍ତମାନ ସୁଦ୍ଧା ଏହି ସଂସ୍ଥାକୁ ଓଡିଶା ସରକାର ୪ କୋଟି ୫୨ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ପ୍ରଦାନ କରିସାରିଲେଣି ।

ତେବେ ସଡକ ଦୁର୍ଘଟଣା ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ଆଇଆଇଟି ମାଡ୍ରାସ ସହିତ ଚୁକ୍ତିନାମା ସ୍ୱାକ୍ଷରିତ ସମୟରେ ଅର୍ଥାତ୍‍ ୨୦୨୪ରେ ରାଜ୍ୟରେ ଦୈନିକ ସଡକ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ହାରାହାରି ୧୭ ରହିଥିବାବେଳେ ୨୦୨୫ରେ ତାହା ୧୮କୁ ବୃଦ୍ଧି ପାଇଛି । ସେହିଭଳି ଆହତମାନଙ୍କ ସଂଖ୍ୟାରେ ବି ବୃଦ୍ଧି ପରିଲକ୍ଷିତ ହୋଇଛି ।

ଏହି ସୂଚନା ଅନୁଯାୟୀ ୨୦୨୪ ବର୍ଷରେ ରାଜ୍ୟରେ ୧୨,୩୭୫ଟି ସଡକ ଦୁର୍ଘଟଣା ଘଟିଥିବାବେଳେ ୨୦୨୫ରେ ତାହା ୧୨,୭୮୨କୁ ବୃଦ୍ଧି ପାଇଛି । ସେହିଭଳି ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ସଂଖ୍ୟା ୨୦୨୪ରେ ୬୧୪୨ ଥିବାବେଳେ ୨୦୨୫ରେ ତାହା ୬୪୮୩କୁ ବୃଦ୍ଧି ପାଇଛି । ସେହିଭଳି ଆହତ ବ୍ୟକ୍ତିଙ୍କ ସଂଖ୍ୟା ଏହି ସମୟ ମଧ୍ୟରେ ୧୦,୭୭୦ ରୁ ୧୦,୮୦୬କୁ ବଢିଥିବାବେଳେ ଦୈନିକ ହାରାହାରି ମୃତ୍ୟୁ ସଂଖ୍ୟା ୧୭ ରୁ ୧୮କୁ ବଢିଛି । ତେବେ ଦୈନିକ ହାରାହାରି ଆହତଙ୍କ ସଂଖ୍ୟା ୩୦ରେ ଅପରିବର୍ତ୍ତିତ ରହିଛି ।

ଗୋଟିଏ ଖ୍ୟାତି ସମ୍ପନ୍ନ ସଂସ୍ଥା ସହିତ ରାଜିନାମା କରିବା ଓ ଏହି ସଂସ୍ଥାକୁ କୋଟି କୋଟି ରାଜକୋଷରୁ ଦେବାପରେ କି ସୁଫଳ ମିଳିଛି ତାହାକୁ ନେଇ ଏବେ ପ୍ରଶ୍ନ ଉଠିଛି । ଏହି ସଂସ୍ଥା ଓଡିଶା ସରକାରଙ୍କୁ କି ପ୍ରକାର ସହଯୋଗ କଲା ଓ ପରାମର୍ଶ ଦେଲା ଏବଂ ଓଡିଶା ସରକାର ତାହାକୁ କିଭଳି କାର୍ଯ୍ୟରେ ଲଗାଇଲେ ତାହା ଏବେ ଆଲୋଚନାରେ ବିଷୟବସ୍ତୁ ପାଲଟିଛି । ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ ପାଇଁ ଆଇଆଇଟି ମାଡ୍ରାସ ସହିତ ରାଜିନାମା କରିବାପରେ ଉକ୍ତ ସଂସ୍ଥା ଓଡିଶାରେ ତାହାର ଏକ ଦପ୍ତର ଖୋଲିଥିବାବେଳେ ଏଥିରେ କିଛି ଅବସରପ୍ରାପ୍ତ ଅଧିକାରୀ ଓ ଆଉ କିଛି ଯୁବକଙ୍କୁ ନିଯୁକ୍ତ ପ୍ରଦାନ କରିଥିଲା ।

ଆଇଆଇଟି ମାଡ୍ରାସର ବିଶେଷଜ୍ଞମାନେ ଓଡିଶା ଗସ୍ତରେ ଆସୁଥିବାବେଳେ ସେମାନଙ୍କର ସମସ୍ତ ଖର୍ଚ୍ଚ ବି ରାଜ୍ୟ ସରକାର ବହନ କରୁଥିଲେ । ଇତି ମଧ୍ୟରେ ଆଇଆଇଟି ପକ୍ଷରୁ ରାଜ୍ୟ ସରକାରଙ୍କୁ ଅନେକଗୁଡିଏ ପରାମର୍ଶ ଦିଆଯାଇଥିଲେ ମଧ୍ୟ ତାହା ରାଜ୍ୟରେ ସଡକ ଦୁର୍ଘଟଣାକୁ ରୋକିବାରେ ସହାୟକ ହୋଇନଥିବା ଖୋଦ ପରିବହନ ବିଭାଗର ସୂଚନାରୁ ଦେଖିବାକୁ ମିଳିଛି । (ତଥ୍ୟ)