ଭୁବନେଶ୍ୱର : ବାହାନାଗା ରେଳ ଦୁର୍ଘଟଣା ପଛରେ ଥିବା କାରଣ ସଂକ୍ରାନ୍ତରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପ୍ରଥମଥର ପାଇଁ ମୁହଁ ଖୋଲିଛନ୍ତି । ସିଗ୍ନାଲିଂ ସର୍କିଟ ପରିବର୍ତ୍ତନରେ ତ୍ରୁଟି ଯୋଗୁଁ ଏଭଳି ଦୁର୍ଘଟଣା ଘଟିଲା ବୋଲି ସେ ସଂସଦରେ ସୂଚନା ଦେଇଛନ୍ତି ।
ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ରେଳମନ୍ତ୍ରୀ ଦର୍ଶାଇଛନ୍ତି ଯେ ରେଳବାଇ ସୁରକ୍ଷା କମିଶନର (ସିଆରଏସ୍) ଦୁର୍ଘଟଣାର କାରଣ ସଂକ୍ରାନ୍ତରେ ତାଙ୍କର ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଅତୀତରେ ନର୍ଥ ସିଗ୍ନାଲିଂ ଗୁମୁଟିରେ ସିଗ୍ନାଲିଂ ସର୍କିଟ ପରିବର୍ତ୍ତନ କାର୍ଯ୍ୟ ହାତକୁ ନିଆଯାଇଥିଲା ଏବଂ ଲେଭଲ କ୍ରସିଂ ଫାଟକ ନମ୍ବର ୯୪ରେ ଇଲେକଟ୍ରିକ ଲିଫ୍ଟିଂ ବାରିଅର ବଦଳାପାଇଁ ସିଗ୍ନାଲିଂ କାର୍ଯ୍ୟ ଚାଲିଥିଲା । ଯାହା ଦ୍ୱାରା ୧୨୮୪୧ ନମ୍ବର କରୋମଣ୍ଡଳ ଏକ୍ସପ୍ରେସକୁ ଭୁଲ୍ ସିଗ୍ନାଲ ମିଳିଥିଲା ।
ଯେତେବେଳେ ଷ୍ଟେସନରୁ ମୁଖ୍ୟ ଲାଇନ୍ରେ ଯିବାପାଇଁ ସବୁଜ ସଙ୍କେତ ମିଳିଥିଲା ସେତିକିବେଳେ କ୍ରସଓଭର ସଂଯୋଗ ଯୋଗୁଁ ମୁଖ୍ୟ ଅପ୍ ଲାଇନ୍ ଲୁପ୍ ଲାଇନ୍ ସହିତ ସଂଯୋଗ ହୋଇଥିଲା । ଫଳରେ ରେଳଗାଡି ମୁଖ୍ୟ ଲାଇନ୍ରେ ଯିବା ବଦଳରେ ଲୁପ୍ ଲାଇନ୍ରେ ଯାଇଥିଲା ଓ ମାଲଗାଡିକୁ ପଛକୁ ଧକ୍କା ଦେଇଥିଲା । ତେବେ ପୂର୍ବରୁ ଉକ୍ତ ଷ୍ଟେସନରେ ଘଟିଥିବା ଦୁର୍ଘଟଣାରେ ସିଗ୍ନାଲିଂ ସମସ୍ୟା ନଥିବା ମନ୍ତ୍ରୀ କହିଛନ୍ତି ।
ବାହାନାଗା ଠାରେ ଘଟିଥିବା ଏହି ମର୍ମନ୍ତୁଦ ରେଳ ଦୁର୍ଘଟଣାରେ ୨୯୫ ଯାତ୍ରୀଙ୍କର ଜୀବନ ଯାଇଥିବାବେଳେ ୧୭୬ ଜଣ ଗୁରୁତର ଆହତ ହୋଇଛନ୍ତି । ୪୫୧ ଜଣ ସାମାନ୍ୟ ଆହତ ହୋଇଥିବାବେଳେ ୧୮୦ ଜଣଙ୍କୁ ପ୍ରାରମ୍ଭିକ ଚିକିତ୍ସା ପରେ ଛଡାଯାଇଥିବା ନେଇ ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦ ପଚାରିଥିବା ଅନ୍ୟଏକ ପ୍ରଶ୍ନର ଉତ୍ତର ମନ୍ତ୍ରୀ କହିଛନ୍ତି ।
ଏହି ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରୁ ୨୫୪ ଜଣଙ୍କୁ ଚିହ୍ନଟ ସହିତ ମୃତ ଶରୀରକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ବର୍ତ୍ତମାନ ସୁଦ୍ଧା ୪୧ଟି ମୃତ ଶରୀରକୁ ଚିହ୍ନଟ କରାଯାଇ ପାରିନାହିଁ । ମୃତ ଶରୀରଗୁଡିକୁ ଭୁବନେଶ୍ୱର ଏମ୍ସ ଠାରେ ରଖାଯାଇଛି । ମୃତ ଶରୀର ହସ୍ତାନ୍ତର ପାଇଁ ଡିଏନଏ ନମୂନାକୁ ନୂଆଦିଲ୍ଲୀର ସିଏଫ୍ଏସଏଲ ଠାରେ କରାଯାଉଛି । ମୃତ ଶରୀରର ଦାବିଦାରମାନଙ୍କ ଡିଏନଏ ସହିତ ମୃତକଙ୍କର ଡିଏନଏ ମେଳ ଖାଇଲା ପରେ ସେଗୁଡିକୁ ହସ୍ତାନ୍ତର କରାଯାଉଛି ।
ଜୁଲାଇ ୧୬ ତାରିଖ ସୁଦ୍ଧା ପ୍ରତ୍ୟେକ ମୃତ ପରିବାରଙ୍କ ନିକଟ ସମ୍ପର୍କୀୟଙ୍କୁ ୧୦ଲକ୍ଷ ଟଙ୍କା ହିସାବରେ ମୋଟ୍ ୨୯.୪୯କୋଟି ଟଙ୍କା ପ୍ରଦାନ କରାଯାଇଛି । ସେହିଭଳି ପ୍ରତ୍ୟେକ ଗୁରୁତର ଆହତଙ୍କୁ ୨ଲକ୍ଷ ଟଙ୍କା ଏବଂ ସାମାନ୍ୟ ଆହତଙ୍କୁ ୫୦ହଜାର ଟଙ୍କା କରି ଦିଆଯାଉଛି । (ତଥ୍ୟ)