ଭୁବନେଶ୍ୱର : ରାଜ୍ୟରେ ସଡକ ଦୁର୍ଘଟଣା ଦିନକୁ ଦିନ ବେକାକୁ ହେଉଥିବାବେଳେ ଏଥିରେ ଏକାଧିକ ମହିଳା ଓ ଶିଶୁଙ୍କ ଜୀବନ ଯାଉଛି । ବିଗତ ୫ବର୍ଷରେ ରାଜ୍ୟରେ ୪ହଜାରରୁ ଅଧିକ ମହିଳା ଓ ଶିଶୁ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଲେଣି ।
ଦୁର୍ଘଟଣା ଜନିତ ମୃତ୍ୟୁ ସଂକ୍ରାନ୍ତରେ ମିଳିଥିବା ସୂଚନା ଅନୁଯାୟୀ ବିଗତ ୫ବର୍ଷରେ ରାଜ୍ୟରେ ୪୧୩୭ଜଣ ମହିଳା ଓ ଶିଶୁ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରେ ୧୧୯୪ ଜଣ ୧୮ବର୍ଷ ବୟସରୁ କମ୍ ପିଲା ରହିଥିବାବେଳେ ୨୯୪୩ ଜଣ ମହିଳା ରହିଛନ୍ତି ।
ଏହି ୫ବର୍ଷ ମଧ୍ୟରେ ସଡକ ଦୁର୍ଘଟଣାରେ ମୋଟ୍ ମୃତକଙ୍କ ସଂଖ୍ୟା ୨୭,୨୬୭ ରହିଛି । ଦୁର୍ଘଟଣାର ମୁଖ୍ୟ କାରଣ ମଧ୍ୟରେ ଦ୍ରୁତ ଗତିରେ ଗାଡି ଚଳାଇବା, ରାସ୍ତାର ଭୁଲ୍ ପାଶ୍ୱର୍ରେ ଗାଡି ଚାଳନା କରିବା, ନିଶା ସେବନ କରି ଗାଡି ଲାଇବା ଓ ଗାଡି ଚାଳନା ସମୟରେ ମୋବାଇଲରେ କଥାବାର୍ତ୍ତା ଆଦି ରହିଥିବା ଖୋଦ୍ ସରକାର ସ୍ୱୀକାର କରୁଛନ୍ତି ।
ତେବେ ଏହିସବୁ ବେପରୁଆ କାର୍ଯ୍ୟକୁ ରୋକିବାପାଇଁ ଆଇନ୍ ଅନୁଯାୟୀ ଜୋରିମାନା ବ୍ୟବସ୍ଥା ଥିଲେ ମଧ୍ୟ ତାହାକୁ ଗାଡିଚାଳକମାନେ ସାମାନ୍ୟ ଖାତିର କରୁନାହାନ୍ତି । କେତେକ କ୍ଷେତ୍ରରେ ଯାଞ୍ଚ ଅଧିକାରୀମାନେ ମଧ୍ୟ ଏମାନଙ୍କୁ ଧରିବା ବି ସହଜ ହେଉନାହିଁ । ବିଶେଷକରି ଗାଡି ଚାଳନା ସମୟରେ ମୋବାଇଲ୍ରେ ନଗପିବାପାଇଁ ବାରମ୍ବାର ତାଗିଦା କରାଗଲେ ମଧ୍ୟ ତାହାକୁ ପ୍ରାୟତଃ କେହି ମାନୁ ନାହାନ୍ତି । ଅଧିକାଂଶ ଚାରିଚକିଆ ଯାନରେ ମୋବାଇଲ୍ରେ କଥା ହେବାପାଇଁ ବ୍ଲୁଟୁଥ୍ ବ୍ୟବସ୍ଥା ଥିବାରୁ ଚାଳକମାନଙ୍କୁ କଥାହେବା ସମୟରେ ଧରିବା ସହଜ ହେଉନାହିଁ । ସେହିଭଳି ଦୁଇ ଚକିଆ ଆରୋହୀମାନେ ହେଲମେଟ୍ ଭିତରେ କାନରେ ଛୋଟ ଛୋଟ ମାଇକ୍ରୋଫୋନ୍ ଲଗାଇ ରାସ୍ତାରେ କଥାହୋଇ ଯାଉଥିବାବେଳେ ସେମାନଙ୍କୁ ଠାବ କରିବା ବି ସହଜ ନୁହେଁ ।
ଏହାବାଦ୍ ମଦ୍ୟପ ଗାଡିଚାଳକଙ୍କ ପାଇଁ ବହୁ ସ୍ଥାନରେ ଦୁର୍ଘଟଣାରେ ଲୋକଙ୍କ ଜୀବନ ଯାଉଥିଲେ ମଧ୍ୟ ମଦୁଆଙ୍କୁ ନିୟନ୍ତ୍ରଣ କରିବା ସହଜ ହେଉନାହିଁ । କାଁ ଭାଁ ଯାଞ୍ଚରେ କିଛି ମଦୁଆ ଧରାପଡି ଜୋରିମାନା ଗଣୁଛନ୍ତି । ହେଲେ ରାସ୍ତାକଡରେ ଓ ଗାଡି ରହଣି ସ୍ଥାନରେ ସହଜରେ ମଦ ମିଳୁଥିବାରୁ ଚାଳକମାନେ ଏହାକୁ ସେବନ କରି ମାତାଲା ହୋଇଗାଡି ଚଳାଉଛନ୍ତି ।
ଅମାନିଆ ଚାଳକଙ୍କୁ ସାବାଡ କରିବାପାଇଁ ପରିବହନ ବିଭାଗ ୩୭ଟି ଇଣ୍ଟରସେପ୍ଟର ଯାନ ଓ ୩୮ଟି ରାଜପଥ ପାଟ୍ରୋଲିଂ ଯାନ ମୁତୟନ କରିଛି । ହେଲେ ଏମାନଙ୍କ କାର୍ଯ୍ୟ କେବଳ ଜୋରିମାନା ଆଦାୟରେ ସୀମିତ ରହୁଥିବା ଲକ୍ଷ୍ୟ କରାଯାଉଛି । ରାଜପଥରେ ଏମାନଙ୍କ ପଇଁତରା ଖବର ପାଇବାପରେ ଅମାନିଆ ଚାଳକାମାନେ ସେତିକି ରାସ୍ତାକୁ ସୁନାପିଲା ଭଳି ପାର୍ହୋଇ ଯାଉଛନ୍ତି ।
ପରିବହନ ବିଭାଗ ଓ ପୁଲିସ୍ ହେଲମେଟ୍ ସହିତ ଗାଡିମୋଟରର କାଗଜପତ୍ର ଯାଞ୍ଚରେ ଯେତିକି ମାନବସମ୍ବଳ ଓ ଯାନବାହାନ ମୁତୟନ କରୁଛନ୍ତି ସେତିକି ସମ୍ବଳ ମଦ୍ୟପ ଚାଳକ ଓ ଅମାନିଆ ଚାଳକଙ୍କୁ ଧରିବାରେ ନିୟୋଜିତ କରି ଦୁର୍ଘଟଣାର ମାତ୍ରା କିଛି ପରିମାଣରେ ହ୍ରାସ ପାଇପାରନ୍ତା ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)

