ଭୁବନେଶ୍ୱର : ସଂଯୁକ୍ତ ଆରବ ଅମିରାତର ଇଂଟରକଂଟିନେଂଟାଲ୍ ଦୁବାଇ ଫେଷ୍ଟିଭାଲ୍ ସିଟିରେ ମାର୍ଚ୍ଚ ୨୩ ରୁ ୨୫ ପର୍ଯ୍ୟନ୍ତ ଅନୁଷ୍ଠିତ ଆନ୍ତର୍ଜାତିକ ଏଡୁକେଶନ୍ ୨.୦ କନ୍ଫରେନ୍ସରେ ଶିକ୍ଷା ଓ ଅନୁସନ୍ଧାନକୁ ‘ପୂର୍ବ ଭାରତର ଶ୍ରେଷ୍ଠ ଶିକ୍ଷାନୁଷ୍ଠାନ’ ସମ୍ମାନରେ ସମ୍ମାନିତ କରାଯାଇଛି ।
ସୋଆର ଆନ୍ତର୍ଜାତିକ ସଂପର୍କ ଓ ଆଉଟରିଚ୍ ପ୍ରୋଗ୍ରାମର ନିର୍ଦ୍ଦେଶକ ପ୍ରଫେସର ନଚିକେତା କେ. ଶର୍ମା ଓ ଆଇଟିଇଆର୍ର ପ୍ଲେସ୍ମେଂଟ ହେଡ ଶ୍ରୀ ରିପ୍ତି ରଞ୍ଜନ ଦାସ ଏହି ସମ୍ମାନ ଗ୍ରହଣ କରିଥିଲେ ।
ଏହି ସମ୍ମିଳନୀରେ ଡିଜିଟାଲ୍ ସାକ୍ଷରତାକୁ ମଜଭୁତ କରିବା ପାଇଁ ଆବଶ୍ୟକୀୟ ଯୋଜନା ଓ କୌଶଳ ଉପରେ ଆୟୋଜିତ ଏକ ପ୍ୟାନେଲ୍ ଆଲୋଚନାରେ ଭାଗ ନେଇ ପ୍ରଫେସର ଶର୍ମା କହିଥିଲେ ଯେ ଶିକ୍ଷା ଓ ଅନୁସନ୍ଧାନ ଜାତୀୟ ଶିକ୍ଷା ନୀତି-୨୦୨୦ ଆଧାରରେ ନିଜକୁ ଏକ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଓ ମଲ୍ଟିଡିସିପ୍ଲିନାରୀ ଏଡୁକେଶନ୍ ଓ ରିସର୍ଚ୍ଚ ୟୁନିଭର୍ସିଟିରେ ପରିଣତ କରିବା ପାଇଁ ଏକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରିଛି ।
ଏହି ଏଡୁକେସନ୍ ୨.୦ କନ୍ଫରେନ୍ସରେ ବିଭିନ୍ନ ଦେଶର ୪୦୦ ପାଖାପାଖି ପ୍ରତିନିଧି ଯୋଗ ଦେଇଥିଲେ । ଏଥିରେ ସିଙ୍ଗାପୁର, ଜର୍ମାନୀ, ଫିଲିପାଇନ୍ସ, କାତାର, ପୋଲାଣ୍ଡ, ବ୍ରିଟେନ୍, ସାଉଦିଆରବ, ତାଞ୍ଜାନିଆ, ଦକ୍ଷିଣ ଆଫ୍ରିକା, ମାଲେସିଆ, ତୁର୍କି, ଇଣ୍ଡୋନେସିଆ, ଜାପାନ, ନେପାଳ, ବାଂଲାଦେଶ, ୟୁଏଇ ଓ ଭାରତରୁ ଶିକ୍ଷା ସହିତ ଜଡ଼ିତ ଅନେକ କମ୍ପାନୀ, ବିଶ୍ୱବିଦ୍ୟାଳୟ ଓ ଅନୁଷ୍ଠାନ ଅଂଶ ଗ୍ରହଣ କରିଥିଲେ ।