ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ଓମଫେଡ୍ ବଜାରକୁ ଦୈନିକ ୪ଲକ୍ଷ ଲିଟରରୁ ଅଧିକ ପରିମାଣର ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ବିକ୍ରି ପାଇଁ ଛାଡୁଥିବାବେଳେ ଘରୋଇ ସଂସ୍ଥାଗୁଡିକ କିନ୍ତୁ ଓମ୍ଫେଡ୍ ବାଟରେ କଣ୍ଟା ହେଉଛନ୍ତି । ତୀବ୍ର ବ୍ୟବସାୟିକ ପ୍ରତିଯୋଗିତା ଯୋଗୁଁ ଘରୋଇ ଦୁଗ୍ଧ କମ୍ପାନୀମାନେ ବହୁ ସ୍ଥାନରେ ଓମଫେଡ୍ ବ୍ୟବସାୟରେ ଭାଗ ବସୁଛନ୍ତି ।
ଓଡିଶାରେ ଏବେ ଓମଫେଡ୍ ସହିତ ପ୍ରାୟ ୬ଟି କମ୍ପାନୀ ସେମାନଙ୍କର ବ୍ୟବସାୟ ପାଇଁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଏମାନଙ୍କ ମଧ୍ୟରେ ରାଜ୍ୟ ବାହାରର ଦୁଇଟି ସଂସ୍ଥା ରହିଥିବାବେଳେ ଅନ୍ୟଗୁଡିକ ରାଜ୍ୟ ଭିତରେ ଥିବା ସଂସ୍ଥା । ତେବେ ଏମାନଙ୍କ ମଧ୍ୟରେ ରାଜ୍ୟରୁ ଦୈନିକ ସର୍ବାଧିକ ୫ଲକ୍ଷ ଲିଟରରୁ ଅଧିକ ଦୁଗ୍ଧ ସଂଗ୍ରହ କରୁଛି ଓମଫେଡ୍ । ଓମଫେଡ୍ ବଜାରକୁ ଦୁଗ୍ଧ ସହିତ ଦହି, ପନିର, ଛେନାପୋଡ, ପେଡା, ମିଠାଦହି, ଦୁଇ ପ୍ରକାରର ଘିଅ ଆଦି ଛାଡୁଛି ।
ଅନ୍ୟ ଦୁଗ୍ଧ କମ୍ପାନୀଗୁଡିକ ଓଡିଶାରୁ କମ୍ ପରିମାଣରେ କ୍ଷୀର ସଂଗ୍ରହ କରୁଥିଲେ ମଧ୍ୟ ଓମଫେଡ୍ ସହିତ ତୀବ୍ର ପ୍ରତିଦ୍ୱନ୍ଦିତା କରୁଛନ୍ତି । ବିଜ୍ଞାପନରେ ଓମଫେଡ୍କୁ ପଛରେ ପକାଇବା ସହିତ ସେମାନଙ୍କ ସାମଗ୍ରୀ ବିକ୍ରି ପାଇଁ ବିଭିନ୍ନ ଲୋଭନୀୟ ଅଫର ଛାଡୁଛନ୍ତି । ତେବେ ଏହିସବୁ କମ୍ପାନୀ ଏତେ କମ୍ ପରିମାଣରେ କ୍ଷୀର ସଂଗ୍ରହ କରିବା ଓ କିଛି କମ୍ପାନୀ ଓଡିଶାରୁ ଆଦୌ କ୍ଷୀର ସଂଗ୍ରହ କରୁନଥିବାବେଳେ ଓଡିଶା ବଜାରରେ କିଭଳି ଆଖିଦୃଶିଆ ବ୍ୟବସାୟ କରୁଛନ୍ତି ତାହା ଅନେକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ତେବେ ଘରୋଇ କମ୍ପାନୀଗୁଡିକର ମୁକାବିଲା ପାଇଁ ଓମ୍ଫେଡ୍ ଚଳିତ ଆର୍ଥିକ ବର୍ଷରେ ୨୫୦ଟି ନୂତନ ଖୁଚୁରା ବିକ୍ରୟ କେନ୍ଦ୍ର ଓ ୧୦ଟି ପାଇକାରୀ ବିକ୍ରୟ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ଗ୍ରହଣ କରିଛି । ଏହିସବୁ କେନ୍ଦ୍ର ଖୋଲିଲା ପରେ ଓମଫେଡ୍ ଖାଉଟିଙ୍କର ଆହୁରି ନିକଟତର ହେବା ସହିତ ଆହୁରି ଅଧିକ କିସମର ଦୁଗ୍ଧଜାତି ସାମଗ୍ରୀ ପ୍ରସ୍ତୁତ କରିପାରିବ ।
ବର୍ତ୍ତମାନ ଓମଫେଡ୍ ବଜାରକୁ ଛାଡୁଥିବା ବିଭିନ୍ନ କିସମର ଦୁଗ୍ଧ ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀରେ କେତେ ପରିମାଣରେ ଘିଅ, ଛେନା, ଭିଟାମିନ୍ ଆଦି ରହୁଛି ତାହା ସାର୍ବଜନୀନ କରୁଛି । ଯଦିଓ ଅନ୍ୟ କମ୍ପାନୀଗୁଡିକ ସେମାନଙ୍କ ଉତ୍ପାଦନ ପ୍ୟାକେଟରେ ଏହା ଉଲ୍ଲେଖ କରୁଛନ୍ତି କିନ୍ତୁ ନିୟମିତ ଭାବେ ମାନ ପରୀକ୍ଷା କରାଯାଉନଥିବାରୁ ଲୋକେ ଏହାର ସଠିକ୍ତା ଜାଣିପାରୁ ନାହାନ୍ତି । ତେଣୁ ରାଜ୍ୟରେ ବିକ୍ରି ହେଉଥିବା ସମସ୍ତ ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀର ସରକାରୀ ପରୀକ୍ଷାଗାରରେ ନିୟମିତ ପରୀକ୍ଷଣ ପାଇଁ ମତପ୍ରକାଶ ପାଉଛି ।
ସେହିଭଳି ଓମଫେଡ୍ ରାଜ୍ୟର ଦୁଗ୍ଧଚାଷୀମାନଙ୍କ ସହିତ ଯୋଡି ହୋଇ ରହିଥିବାବେଳେ ଅନ୍ୟ ସଂସ୍ଥାମାନେ ସେତେଟା ସକ୍ରିୟ ହୋଇପାରୁ ନାହାନ୍ତି । ଗାଁ ଗହଳରୁ ପ୍ରତିଯୋଗିତା ଭିତିରେ ଓମଫେଡ୍ ଦୁଗ୍ଧରେ ଭାଗ ବସିବାପରେ ସେମାନଙ୍କର କାମ ଏକ ପ୍ରକାର ସାରି ଦେଉଛନ୍ତି । ତେଣୁ ରାଜ୍ୟରୁ ଦୁଗ୍ଧ ସଂଗ୍ରହ କରିବା ସହିତ ବ୍ୟବସାୟ କରୁଥିବା ସଂସ୍ଥାଗୁଡିକ ପାଇଁ ସରକାର ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିବାକୁ ଦୁଗ୍ଧଚାଷୀମାନେ ମତ ଦେଉଛନ୍ତି । (ତଥ୍ୟ)

