ଭୁବନେଶ୍ୱର : ଆମ ରାଜ୍ୟରେ ଦୈନିକ ଯେତିକି ପରିମାଣର ଦୁଗ୍ଧ ଆବଶ୍ୟକ ତାହାର ଅଧା ବି ଉତ୍ପାଦନ ହେଉନାହିଁ । ଫଳରେ ନକଲି ଦୁଗ୍ଧ ପ୍ରସ୍ତୁତକାରୀମାନେ ସେମାନଙ୍କର କାୟାବିସ୍ତାର କରିବାରେ ଲାଗିଛନ୍ତି ଓ ଲୋକେ ସହଜରେ ସେମାନଙ୍କ ଜାଲରେ ପଡୁଛନ୍ତି ।
ଆଇସିଏମ୍ଆରର ଆକଳନ ଅନୁଯାୟୀ ମୁଣ୍ଡପିଛା ଦୈନିକ ୩୦୦ ଗ୍ରାମ ଦୁଗ୍ଧ ହିସାବରେ ରାଜ୍ୟରେ ଦୈନିକ ୧୪.୬୭ ହଜାର ମେଟ୍ରିକ ଟନ୍ ଦୁଗ୍ଧ ଆବଶ୍ୟକ । ହେଲେ ଉତ୍ପାଦନ ହେଉଛି ମାତ୍ର ୬.୭୯ ହଜାର ମେଟ୍ରିକ ଟନ୍ । ଅଧାରୁ କମ୍ ଦୁଗ୍ଧ ଉତ୍ପାଦନ ହେଉଥିବାରୁ ଚାହିଦା ମେଣ୍ଟାଇବାପାଇଁ ଓଡିଶାକୁ ଦୁଗ୍ଧ ସମେତ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ ଅନ୍ୟାନ୍ୟ ରାଜ୍ୟରୁ ଆମଦାନୀ କରିବାକୁ ପଡୁଛି । ଏହା ଫଳରେ ଗୁଜୁରାଟର ଅମୁଲ ଭଳି ସଂସ୍ଥା ଓଡିଶାରେ ସେମାନଙ୍କର ବ୍ୟବସାୟ ବଢାଇବାରେ ଲାଗିଛନ୍ତି ।
ସେହିଭଳି କମ୍ ପରିମାଣରେ ଦୁଗ୍ଧ ଉତ୍ପାଦନ ଯୋଗୁଁ ବଜାରରେ ଏବେ ନକଲି ଦୁଗ୍ଧ ସହିତ ଅନ୍ୟାନ୍ୟ ଦୁଗ୍ଧାଜାତ ଦ୍ରବ୍ୟର ବ୍ୟାପକାର କାରବାର ହେଉଛି । ଅବସ୍ଥା ଏଭଳି ହେଲାଣି ଅପମିଶ୍ରଣକାରୀମାନେ ନିଜର ସ୍ୱତନ୍ତ୍ର ବ୍ରାଣ୍ଡ୍ ତିଆରି କରି ସେହି ନାମରେ ବଜାରକୁ ଦୁଗ୍ଧ ଓ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀ ଛାଡିବାରେ ଲାଗିଛନ୍ତି ।
ତିରୂପତି ମନ୍ଦିରରେ ଘିଅର ଅପମିଶ୍ରଣ କଥା ପଦାକୁ ଆସିବାପରେ ଓଡିଶାରେ ଏବେ ଶୁଦ୍ଧ ଘିଅ କାରବାରକୁ ନେଇ ପ୍ରଶ୍ନ ଉଠିଲାଣି । ଏପରିକି ଶ୍ରୀମନ୍ଦିର ସମେତ ଅନ୍ୟାନ୍ୟ ଦେବାଳୟରେ ଖାଦ୍ୟ ପ୍ରସ୍ତୁତି ସହ ଦୀପରେ ବ୍ୟବହୃତ ହେଉଥିବା ଘିଅର ମାନ ଯାଞ୍ଚ ପାଇଁ ସବୁ ସ୍ତରରୁ ଦାବି ହେବାରେ ଲାଗିଛି । ଯେହେତୁ ଓଡିଶାରେ ଦୁଗ୍ଧ ଉତ୍ପାଦନ କମ୍ ରହୁଛି ତେଣୁ ଲୋକଙ୍କର ଘିଅ ଚାହିଦା ପୂରଣ କରାଯାଇ ପାରୁନାହିଁ । ଏପରିକି ଓଡିଶାରେ ଦୁଗ୍ଧ କାରବାର କରୁଥିବା ଏକମାତ୍ର ସରକାରୀ ସଂସ୍ଥା ଓମ୍ଫେଡ୍ ମଧ୍ୟ ଘିଅର ଚାହିଦା ମେଣ୍ଟାଇବାପାଇଁ ଅନ୍ୟ ଉପରେ ନିର୍ଭରଶୀଳ ହେଉଛି
ରାଜ୍ୟରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଥିବାବେଳେ ଦୁଗ୍ଧ ଉତ୍ପାଦନ ଯେଭଳି ବୃଦ୍ଧି ପାଇବାକଥା ତାହା ହୋଇପାରୁ ନାହିଁ । ୨୦୧୪ ମସିହାରେ ରାଜ୍ୟରେ ୧୯୦୨ ହଜାର ମେଟ୍ରିକ ଟନ୍ ଦୁଗ୍ଧ ଉତ୍ପାଦନ ହୋଇଥିବାବେଳେ ୨୦୨୩-୨୪ ବର୍ଷରେ ତାହା ୨୬୫୩ ହଜାର ମେଟ୍ରିକ ଟନ୍ରେ ପହଞ୍ଚିଛି । ବୃଦ୍ଧି ପାଉଥିବା ଏହି ଦୁଗ୍ଧ ଉତ୍ପାଦନ ବି ରାଜ୍ୟର ଚାହିଦା ମେଣ୍ଟାଇବାପାଇଁ ଯଥେଷ୍ଟ ହେଉନାହିଁ ।
ତେବେ ରାଜ୍ୟ ସରକାର ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଇଁ କୃତ୍ରିମ ପ୍ରଜନନ, ଲିଙ୍ଗ ନିରୂପିତ କୃତ୍ରିକ ପ୍ରଜନନ, ସୁବୁଜ ଘାସ ଚାଷ, ରୋଗ ନିରାକରଣ ଓ ପ୍ରାଣୀ ଚିକିତ୍ସା ସେବା, ମଇଁଷି ପାଳନ ପାଇଁ ରିହାତି ପ୍ରଦାନ ଆଦି କାର୍ଯ୍ୟକାରୀ କରୁଛନ୍ତି । ତେବେ ରାଜ୍ୟରେ ଉନ୍ନତ ପ୍ରଜାତିର ଗୋବଂଶ ବୃଦ୍ଧି ନହେବା ଏବଂ ଗୋପାଳନ ପାଇଁ ଆବଶ୍ୟକ ଗୋଖାଦ୍ୟର ଅହେତୁକ ମୂଲ୍ୟବୃଦ୍ଧି ଯୋଗୁଁ ଦୁଗ୍ଧଚାଷୀମାନେ ଏହି ବେଉସାରୁ ମୁହଁ ଫେରାଉଛନ୍ତି । ଏହାର ଫାଇଦା ନେଇ ରାଜ୍ୟ ବାହାରର ଦୁଗ୍ଧ ଓ ଦୁଗ୍ଧଜାତ ବ୍ୟବସାୟୀମାନେ ଓଡିଶା ବଜାରକୁ ଦଖଲ କରୁଥିବାବେଳେ ଅପମିଶ୍ରଣକାରୀ ଓ କଳାବଜାରୀମାନେ ମଧ୍ୟ ବଜାରକୁ ନକଲି କ୍ଷୀର ସହିତ ଘିଅ ଓ ଛେନା ଆଦି ବଜାରକୁ ଛାଡିବାର ସୁଯୋଗ ପାଉଛନ୍ତି । (ତଥ୍ୟ)