ଭୁବନେଶ୍ୱର : ରାଜ୍ୟରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା କାର୍ଯ୍ୟକାରୀ ହେବାପରେ ଦୁଗ୍ଧ ଉତ୍ପାଦନ ପ୍ରାୟ ଲକ୍ଷେ ଲିଟର ବୃଦ୍ଧି ପାଇଥିବାବେଳେ ଏହି ଯୋଜନାରେ ୬୩୨୧ ଜଣ ଗାଈ ଓ ମଈଁଷି ଚାଷୀ ଉପକୃତ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରେ ଗୋପାଳଙ୍କ ସଂଖ୍ୟା ଅଧିକ ଥିବା ଜଣାଯାଇଛି ।
୨୦୨୪-୨୫ ବର୍ଷରେ ରାଜ୍ୟ ସରକାରଙ୍କର ଏହି ମହତ୍ୱାକାଂକ୍ଷୀ ଯୋଜନା ଆରମ୍ଭ ହୋଇଥିବାବେଳେ ଏଥିରେ ବର୍ତ୍ତମାନ ସୁଦ୍ଧା ୫୩୫୪ ଜଣ ଗୋପାଳକ ଓ ୯୬୭ ଜଣ ମଇଁଷି ପାଳକ ଉପକୃତ ହୋଇଛନ୍ତି । ଗୋପାଳକମାନଙ୍କୁ ଗାଈ କିଣିବାପାଇଁ ସରକାର ପାଖାପାଖି ୬୫ କୋଟି ଟଙ୍କା ଯୋଗାଇ ଦେଇଥିବାବେଳେ ମଇଁଷି ପାଳନ ପାଇଁ ପ୍ରାୟ ୧୩ କୋଟି ଟଙ୍କା ପ୍ରଦାନ କରିଛନ୍ତି । ସରକାରଙ୍କ ଠାରୁ ଅର୍ଥ ପାଇଲା ପରେ ଚାଷୀମାନେ ୯୬୦୧ଟି ଉନ୍ନତ କିସମର ଗାଈ କିଣିଥିବା ଜଣାଯାଇଛି ।
ସେହିଭଳି ଏହି ଯୋଜନାରେ ଗୋପାଳକମାନଙ୍କୁ ସହାୟତା ଲାଗି ଓମଫେଡ୍ ଜରିଆରେ ୧ଲକ୍ଷ ୬୦ହଜାର ଦୁଗ୍ଧ ଚାଷୀଙ୍କୁ ୪୨ କୋଟି ୨୦ଲକ୍ଷ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ଗାଈମାନଙ୍କୁ ସବୁଜ ଘାସ ଯୋଗାଇ ଦେବାପାଇଁ ତୃଣ ଉଦ୍ୟୋଗ ଯୋଜନାରେ ୧୧୭୩ଜଣ ହିତାଧିକାରୀଙ୍କୁ ୨କୋଟି ଟଙ୍କାର ସହାୟତା ମଧ୍ୟ ପ୍ରଦାନ କରାଯାଇଛି । ଏହି ଅର୍ଥ ମଧ୍ୟ ଓମଫେଡ୍ ଜରିଆରେ ଯୋଗାଇ ଦିଆଯାଇଛି ।
ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଉପକୃତ ହୋଇଥିବା ଗୋପାଳକମାନଙ୍କ ମଧ୍ୟରୁସର୍ବାଧିକ ୩୭୯ ଜଣ ଯାଜପୁର ଜିଲ୍ଲାର ହୋଇଥିବାବେଳେ ଜଗତ୍ସିଂହପୁରର ୩୫୩, କଟକର ୩୫୧, ଭଦ୍ରକର ୩୦୧, ପୁରୀର ୨୮୨, ବଲାଙ୍ଗିର ୨୫୯, କେନ୍ଦ୍ରାପଡାର ୨୫୮ ଜଣ ହିତାଧିକାରୀ ରହିଛନ୍ତି । ସବୁଠାରୁ କମ୍ ମାତ୍ର ୪୭ଜଣ ହିତାଧିକାରୀ ବୌଦ୍ଧ ଜିଲ୍ଲାରେ ରହିଥିବାବେଳେ ଦେବଗଡରେ ୫୮ ଓ ମାଲକାନଗିରିରେ ୭୦ଜଣ ହିତାଧିକାରୀ ରହିଛନ୍ତି ।
ଏହି ଯୋଜନାରେ ମଇଁଷି ପାଳନ କ୍ଷେତ୍ରରେ ଆଗରେ ରହିଛି ବଲାଙ୍ଗିର ଜିଲ୍ଲା । ଉପକୃତ ୯୬୭ଜଣ ମଇଁଷି ଚାଷୀଙ୍କ ମଧ୍ୟରୁ ବଲାଙ୍ଗିରରେ ସର୍ବାଧିକ ୭୩ଜଣ ଥିବାବେଳେ ଗଞ୍ଜାମରେ ୬୯ଜଣ, କଟକରେ ୫୯, ମୟୁରଭଞ୍ଜରେ ୫୧, ଭଦ୍ରକରେ ୪୫, ବାଲେଶ୍ୱରରେ ୪୪ଜଣ ମଇଁଷି ଚାଷୀ ରହିଛନ୍ତି । ସବୁଠାରୁ କମ୍ ମାତ୍ର ୪ଜଣ ଦେବଗଡ ଜିଲ୍ଲାରେ ରହିଥିବାବେଳେ ବୌଦ୍ଦରେ ୯ଜଣ ରହିଥିବା ଜଣାଯାଇଛି ।
ସେହିଭଳି ତୃଣ ଉଦ୍ୟୋଗ ଯୋଜନାରେ ଉପକୃତ ହୋଇଥିବା ୧୧୭୩ଜଣ ଦୁଗ୍ଧଚାଷୀଙ୍କ ମଧ୍ୟରୁ ସର୍ବାଧିକ ୧୦୪ ଜଣ କଟକ ଜିଲ୍ଲରେ ଥିବାବେଳେ କେନ୍ଦୁଝରରେ ୯୩, ବରଗଡରେ ୮୬, ବଲାଙ୍ଗିରରେ ୮୦ଜଣ ଚାଷୀ ରହିଛନ୍ତି । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ ଚାଷୀମାନେ ୯୬୦୧ଟି ଗାଈ କିଣିଥିବାବେଳେ ୧୮୦୯ଟି ମଇଁଷି ଖରିଦ କରିଥିବା ଜଣାଯାଇଛି ।
ଓମଫେଡ୍ ମାଧ୍ୟରେ ଦୁଗ୍ଧ ଉତ୍ପାଦକ ସମବାୟ ସମିତିଗୁଡିକୁ ରାଜ୍ୟ ସରକାର ଏହି ଯୋଜନାରେ ୪୨କୋଟି ୨୦ଲକ୍ଷ ୮୪ହଜାର ଟଙ୍କା ଯୋଗାଇ ଦେଇଥିବାବେଳେ ଏଥିରୁ ସର୍ବାଧିକ ପ୍ରାୟ ୧୪ କୋଟି ଟଙ୍କା କଟକ ଦୁଗ୍ଧ ସଂଘ ପାଇଥିବା ଜଣାଯାଇଛି । ବାଲେଶ୍ୱର, ଭଦ୍ରକ ଦୁଗ୍ଧ ସଂଘ ୭କୋଟି ୫୪ଲକ୍ଷ ୬୫ହଜାର ଟଙ୍କା ପାଇଥିବାବେଳେ ସମ୍ବଲପୁର ଦୁଗ୍ଧ ସଂଘ ୭କୋଟି ୫୨ଲକ୍ଷ ୨୬ହଜାର ଟଙ୍କା ପାଇଛନ୍ତି । ସବୁଠାରୁ କମ୍ ୨୬ଲକ୍ଷ ୨୮ହଜାର ଟଙ୍କା ମୟୁରଭଞ୍ଜ ଦୁଗ୍ଧ ସଂଘ ପାଇଥିବା ଜଣାଯାଇଛି । (ତଥ୍ୟ)

