ନୂଆଦିଲ୍ଲୀ : କେନ୍ଦ୍ର ସରକାର ଆଜି ୟୁପିଆଇ ଉପରେ ମର୍ଚାଣ୍ଟ ଡିସକାଉଣ୍ଟ ରେଟ୍ (ଏମଡିଆର) ଲାଗୁ କରିବାକୁ ଘୋଷଣା କରିଛନ୍ତି । ସେପ୍ଟେମ୍ବର ୧୫ରେ ଅନୁଷ୍ଠିତ ୟୁପିଆଇ ପରିଚାଳନା କମିଟି ବୈଠକରେ ୨,୦୦୦ ଟଙ୍କାରୁ ଅଧିକ ଟ୍ରାଞ୍ଜାକ୍ସନ ପାଇଁ ୟୁପିଆଇ ଏମଡିଆରକୁ ୪୦ ବିପିଏସ୍ କିମ୍ବା ୦.୪ ପ୍ରତିଶତ କରାଯାଇଛି । ଏହାର ଅର୍ଥ ହେଉଛି ୨,୦୦୦ରୁ ଅଧିକ ପେମେଣ୍ଟ ଉପରେ ବ୍ୟବସାୟୀଙ୍କୁ ୦.୪ ପ୍ରତିଶତ ଚାର୍ଜ ଦେବାକୁ ପଡ଼ିବ ।
ଅକ୍ଟୋବର ୧୫, ୨୦୨୬ରୁ କେତେକ ନିର୍ଦ୍ଦିଷ୍ଟ ମର୍ଚାଣ୍ଟ ଟ୍ରାଞ୍ଜାକସନ୍ (ପିଟୁଏମ) ଉପରେ ୟୁପିଆଇ ମର୍ଚାଣ୍ଟ ଡିସକାଉଣ୍ଟ ରେଟର ନୂଆ ଫ୍ରେମୱାର୍କ ଲାଗୁ ହେବ । ତେବେ ପରସ୍ପର ମଧ୍ୟରେ ୟୁପିଆଇ ଜରିଆରେ ଟଙ୍କା ଟ୍ରାନ୍ସଫର କଲେ ଏହି ଚାର୍ଜ ଲାଗିବ ନାହିଁ । ଏହା କେବଳ କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀଙ୍କ ଉପରେ ହିଁ ଲାଗୁ ହେବ । ଏନପିସିଆଇ ଅନୁଯାୟୀ, ୨୦୦୦ ଟଙ୍କାରୁ ଅଧିକ କାରବାର ଉପରେ ବ୍ୟବସାୟୀଙ୍କଠାରୁ ୦.୪% ଶୁଳ୍କ ନିଆଯିବ । ୭୫,୦୦୦ କିମ୍ବା ତା’ଠାରୁ ଅଧିକ ଦେୟ ପାଇଁ ସର୍ବାଧିକ ଶୁଳ୍କ ହେଉଛି ୩୦୦ । ଏହି ନୂତନ ଢାଞ୍ଚାର ଲକ୍ଷ୍ୟ ୟୁପିଆଇ ଇକୋସିଷ୍ଟମ ପାଇଁ ଏକ ଅଧିକ ସ୍ଥାୟୀ ବ୍ୟବସାୟ ମଡେଲ ସୃଷ୍ଟି କରିବା ।
ନୂଆ ନିୟମ ଅନୁଯାୟୀ, କ୍ୟୁଆର୍ କୋଡ୍ ଜରିଆରେ ପ୍ରତି ମାସରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ଛୋଟ ମର୍ଚାଣ୍ଟଙ୍କୁ କୌଣସି ଏମଡିଆର୍ ଦେବାକୁ ପଡ଼ିବ ନାହିଁ । ରେଳବାଇ ଏବଂ ଫ୍ୟୁଏଲ୍ (ଇନ୍ଧନ) ଭଳି କ୍ୟାଟେଗୋରୀରେ ୨,୦୦୦ରୁ ଅଧିକ ଟ୍ରାଞ୍ଜାକ୍ସନ ଉପରେ ୫ ଟଙ୍କାର ଫ୍ଲାଟ୍ ଫି’ ଲାଗିବ ଏବଂ ଅଧିକ ଭାଲ୍ୟୁ ଥିବା ଅନ୍ୟ ପିଟୁଏମ୍ ଟ୍ରାଞ୍ଜାକସନ୍ ଉପରେ ୦.୪% ଚାର୍ଜ ଲାଗିବ, ଯାହାର ସର୍ବାଧିକ ସୀମା ୩୦୦ ହେବ।
ଏହାର ଅର୍ଥ ହେଉଛି, ଯଦି ଆପଣ ୨୦୦୦ ଟଙ୍କାରୁ ଅଧିକର ପର୍ସନାଲ୍ ଟୁ ମର୍ଚାଣ୍ଟ ପେମେଣ୍ଟ କରୁଛନ୍ତି, ତେବେ ଟଙ୍କା ଗ୍ରହଣ କରୁଥିବା ବ୍ୟବସାୟୀଙ୍କୁ ସର୍ବାଧିକ ୩୦୦ ଟଙ୍କା ଦେବାକୁ ପଡ଼ିବ । ଏହାଠାରୁ ଅଧିକ ଏମଡିଆର୍ ବ୍ୟବସାୟୀଙ୍କଠାରୁ ଆଦାୟ କରାଯିବ ନାହିଁ । ପେଟ୍ରୋଲ ଏବଂ ଡିଜେଲ ଭଳି ଫ୍ୟୁଏଲ୍ ଉପରେ ମର୍ଚାଣ୍ଟଙ୍କୁ ୟୁପିଆଇରେ ଏମଡିଆର ସର୍ବାଧିକ ୫ ଟଙ୍କା ହିଁ ଦେବାକୁ ପଡ଼ିବ ।
ନୂଆ ନିୟମରେ କୁହାଯାଇଛି ଯେ, ୨୦୦୦ ଟଙ୍କାରୁ କମ୍ ପେମେଣ୍ଟ ଗ୍ରହଣ କରୁଥିବା ବ୍ୟବସାୟୀଙ୍କୁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ । ୟୁପିଆଇରେ ଏହିପରି ମୋଟ ଟ୍ରାଞ୍ଜାକ୍ସନ ୯୫ ପ୍ରତିଶତ ରହିଛି । ଏହାର ଅର୍ଥ ହେଉଛି କେବଳ ୫ ପ୍ରତିଶତ ମର୍ଚାଣ୍ଟ ବ୍ୟବସାୟୀଙ୍କୁ ଏହି ଚାର୍ଜ ଦେବାକୁ ପଡ଼ିବ । ସରକାରଙ୍କ ଏହି ପଦକ୍ଷେପ ଅଧୀନରେ ଛୋଟ ଭେଣ୍ଡର ଏବଂ ଟାୟାର-୩ ବଜାର ପାଇଁ ଡିଜିଟାଲ୍ ପେମେଣ୍ଟ ଇନଫ୍ରାଷ୍ଟ୍ରକ୍ଚରକୁ ଅପଗ୍ରେଡ୍ କରିବା ପାଇଁ ଏକ ସ୍ୱତନ୍ତ୍ର ଫଣ୍ଡ ମଧ୍ୟ ତିଆରି କରାଯିବ । ତେବେ ବ୍ୟକ୍ତିଗତ ସ୍ତରରେ ଗୋଟିଏ ବ୍ୟାଙ୍କ ଖାତାରୁ ଅନ୍ୟ ଏକ ବ୍ୟାଙ୍କ ଖାତାକୁ ହେଉଥିବା ସିଧାସଳଖ ନେଣଦେଣ ପୂର୍ବପରି ସମ୍ପୂର୍ଣ୍ଣ ମାଗଣା ରହିବ।
ସରକାରଙ୍କ ଯୁକ୍ତି ହେଉଛି, ୟୁପିଆଇ ଏବେ ବହୁତ ବଡ଼ ହୋଇସାରିଛି ଏବଂ ଏହାର ସୁରକ୍ଷିତ ପରିଚାଳନା ପାଇଁ ଅର୍ଥର ଆବଶ୍ୟକତା ରହିଛି । ସାଇବର ସିକ୍ୟୁରିଟି ଏବଂ ଠକେଇ ରୋକିବା ସହ ନୂଆ ଇନୋଭେସନ୍ ପାଇଁ କ୍ରମାଗତ ନିବେଶର ଆବଶ୍ୟକତା ରହିଛି । କେବଳ ସରକାରୀ ସବସିଡି ଉପରେ ନିର୍ଭର କରିବା ସମ୍ଭବ ନୁହେଁ । ଏଭଳି ପରିସ୍ଥିତିରେ ସରକାର ୟୁପିଆଇ ପେମେଣ୍ଟ ଉପରେ ଏମଡିଆର ଲାଗୁ କରି ଫଣ୍ଡ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି ।

