ଭୁବନେଶ୍ୱର : ଯେତେ ସଂଖ୍ୟକ ସରକାରୀ ଚାକିରି ଖାଲି ହେଉଛି ସେହି ଅନୁପାତରେ ନିଯୁକ୍ତି ଦିଆଯାଉ ନଥିବାରୁ ସରକାରୀ ତଥ୍ୟ ମୁତାବକ ୨ଲକ୍ଷରୁ ଅଧିକ ପଦ ପଦବୀ ଖାଲି ପଡିଛି । ତେବେ କେବେସୁଦ୍ଧା ସମସ୍ତ ଖାଲି ପଦ ପଦବୀ ପୂରଣ ହେବ ସେ ସୂଚନା କେହି ଦେଇପାରୁନଥିବାବେଳେ ବିଜେପି ସରକାର ଅମଳରେ ୧ଲକ୍ଷ ୬୫ହଜାର ନିଯୁକ୍ତି ଦିଆଯିବ ବୋଲି ନିର୍ବାଚନ ସଙ୍କଳ୍ପପତ୍ରରେ ଉଲ୍ଲେଖ ରହିଛି ।
ସରକାରୀ ତଥ୍ୟ ମୁତାବକ ୨୦୨୦ ଡିସେମ୍ବର ଶେଷସୁଦ୍ଧା ରାଜ୍ୟ ସରକାରଙ୍କ ବିଭିନ୍ନ ଚାକିରିରେ ୧ଲକ୍ଷ ୯୦ ହଜାରରୁ ଅଧିକ ପଦବୀ ଖାଲି ପଡିଥିବାବେଳେ ଏହି ସଂଖ୍ୟା କମିବା ପରିବର୍ତ୍ତେ ୨୦୨୧ ଡିସେମ୍ବର ଶେଷ ବେଳକୁ ପାଖାପାଖି ୨ଲକ୍ଷ ୭ହଜାରରେ ପହଞ୍ଚିଥିଲା । ୨୦୨୧ ଡିସେମ୍ବର ଶେଷ ବେଳକୁ ଏହି ସଂଖ୍ୟା ୨ଲକ୍ଷ ୧୨ହଜାରକୁ ଟପିଥିବାବେଳେ ୨୦୨୩ ଡିସେମ୍ବର ଶେଷ ବେଳକୁ ରାଜ୍ୟ ସରକାରଙ୍କ ବିଭିନ୍ନ ଚାକିରିରେ ଖାଲି ପଦବୀ ସଂଖ୍ୟା ସାମାନ୍ୟ ହ୍ରାସ ପାଇ ୨,୦୫,୨୨୮ ହୋଇଥିଲା । ୨୦୨୪ ଡିସେମ୍ବର ଶେଷ ସୁଦ୍ଧା କେତେ ପଦବୀ ଖାଲିଥିଲା ତାହାର ହିସାବ ବାର୍ଷିକ ଏଷ୍ଟାବ୍ଲିଶମେଣ୍ଟ ରିଭ୍ୟୁ ରିପୋର୍ଟରୁ ଜଣାପଡିବ । ତେବେ ଗତ ବିଧାନସଭାରେ ସେପ୍ଟେମ୍ବର ୨୨ତାରିଖରେ ମୁଖ୍ୟମନ୍ତ୍ରୀ ଯେଉଁ ତଥ୍ୟ ଦେଇଛନ୍ତି ସେଥିରୁ ଜଣାପଡୁଛି ଯେ ୨୦୨୪-୨୫ ବର୍ଷ ଲାଗି ତଥ୍ୟସଂଗ୍ରହ ପ୍ରକ୍ରିୟା ଜାରି ରହିଛି ।
ଗତ ସେପ୍ଟେମ୍ବର ୧୫ତାରିଖରେ ହୋଇଥିବା ନିଯୁକ୍ତିମେଳାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ସୂଚନା ମୁତାବକ ୧୫ମାସ ଭିତରେ ତାଙ୍କ ସରକାର ୩୦,୦୩୨ ପଦବୀରେ ନିଯୁକ୍ତି ଦେଇଛନ୍ତି । ତେବେ ୨୦୨୪ ଜାନୁୟାରୀ ପହିଲାରୁ ଏଯାବତ୍ କେତେ ପଦବୀ ଅବସର, ଇସ୍ତଫା, ବହିଷ୍କାର, ଅସମୟ ମୃତ୍ୟୁ ଆଦି କାରଣରୁ ଖାଲି ପଡିଛି ସେ ହିସାବ କିନ୍ତୁ ମିଳିପାରି ନାହିଁ । ଖାଲି ହେଉଥିବା ପଦବୀକୁ ହିସାବକୁ ନେଲେ ୧୫ମାସରେ ଦିଆଯାଇଥିବା ନିଯୁକ୍ତି ସଂଖ୍ୟା କମିବ କି ବଢିବ ତାହା ବାର୍ଷିକ ଏଷ୍ଟାବ୍ଲିଶମେଣ୍ଟ ରିଭ୍ୟୁରୁ ସ୍ପଷ୍ଟ ହେବ ।
ତେବେ ଗତ ସରକାର ସମୟରେ ୨୦୨୦ରୁ ୨୦୨୪ ମଧ୍ୟରେ ପ୍ରତିବର୍ଷ ଯେତେ ସଂଖ୍ୟକ ସରକାରୀ ପଦ ପଦବୀ ପୂରଣ କରାଯାଇଥିଲା ତାହା ତୁଳନାରେ ବର୍ତ୍ତମାନର ସରକାରଙ୍କ ୧୫ମାସର ଶାସନ ଭିତରେ ତୁଳନାତ୍ମକ ଭାବେ ଅଧିକ ନିଯୁକ୍ତି ଦିଆଯାଇଥିବା କୁହାଯାଉଛି ।
୨୦୨୩ ଡିସେମ୍ବର ଶେଷସୁଦ୍ଧା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାୟ ୬୪ହଜାର ପଦବୀ ଖାଲି ପଡିଥିବାବେଳେ ସ୍ୱାସ୍ଥ୍ୟ ବିଭାଗରେ ବି ୩୯ହଜାରରୁ ଅଧିକ ପଦବୀ ଖାଲି ପଡିଥିଲା । ଯାହାର ପ୍ରତିଫଳନ ଏବେ ସରକାରୀ ଡାକ୍ତରଖାନା ଓ ବିଦ୍ୟାଳୟଗୁଡିକରେ ଜଳ ଜଳ ଦେଖାଯାଉଛି । ଏହାଛଡା ଉଚ୍ଚଶିକ୍ଷା ବିଭାଗର ବି ନିଯୁକ୍ତି ସଙ୍କଟ ଯୋଗୁଁ ଏବେ ଅନ୍ୟୁନ ୧୪ଟି ସରକାରୀ ବିଶ୍ୱବିଦ୍ୟାଳୟରେ ସ୍ଥାୟୀ କୁଳପତି ନାହାନ୍ତି । ସଂଖ୍ୟାଧିକ ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଓ ସ୍କୁଲ ବି ଭାରପ୍ରାପ୍ତ ଅଧ୍ୟକ୍ଷ/ପ୍ରଧାନଶିକ୍ଷକଙ୍କ ଦ୍ୱାରା ଚାଲୁଛି । ଏଭଳି ସ୍ଥିତିରେ ଓଟିଇଟି ପରୀକ୍ଷାରେ ଦୁର୍ନୀତି ଓ ଜାଲ୍ ସାର୍ଟିଫିକେଟ ବଳରେ ଶିକ୍ଷକ ଏବଂ ଅନ୍ୟାନ୍ୟ ପାହ୍ୟାରେ ନିଯୁକ୍ତି ସମସ୍ୟା ବଢି ବଢି ଚାଲୁଛି ।
ଗୋଟିଏ ପଟେ ରାଜ୍ୟରେ ବେକାରୀ ସମସ୍ୟା ଉତ୍କଟ ସ୍ଥିତିରେ ଥିବାବେଳେ ଅନ୍ୟ ପଟେ ସରକାରୀ ଦପ୍ତରଗୁଡିକରେ ଏବଂ ଡାକ୍ତରଖାନା, ଥାନା, ଶିକ୍ଷାନୁଷ୍ଠାନ ଆଦିରେ ମାଳ ମାଳ ପଦବୀ ଖାଲି ପଡୁଥିବାରୁ ସମସ୍ୟା ଉତ୍କଟତର ହେଉଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୨୩ ଡିସେମ୍ବର ଶେଷ ସୁଦ୍ଧା ଗୃହ ବିଭାଗ, ରାଜସ୍ୱ ବିଭାଗ ଆଦିରେ ମଧ୍ୟ ହଜାର ହଜାର ଚାକିରି ଖାଲି ପଡିଥିଲା ।
ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାରୀ ଚାକିରିରେ ପାଖାପାଖି ୪୦ ପ୍ରତିଶତ ପଦବୀ ଖାଲି ପଡିଥିବା ଏବଂ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପଦବୀରୁ ପାଖାପାଖି ୫୦ ପ୍ରତିଶତ ଖାଲି ରହିଥିବାରୁ ତୁରନ୍ତ ସମସ୍ତ ପଦବୀ ପ୍ରତ୍ୟକ୍ଷ ନିଯୁକ୍ତି ଓ ପଦୋନ୍ନତି ଆଦି ଭିତ୍ତିରେ ପୂରଣ କରିବାଲାଗି ଦାବି ଉଠୁଛି । (ତଥ୍ୟ)