Home General ଦୁଇ ବର୍ଷରେ ୪ଟି ବାତ୍ୟା

ଦୁଇ ବର୍ଷରେ ୪ଟି ବାତ୍ୟା

ଭୁବନେଶ୍ୱର : ଗତ ଦୁଇ ବର୍ଷ ମଧ୍ୟରେ ଓଡିଶା ଉପକୂଳରେ ୪ଟି ବାତ୍ୟା ଆସିଛି । ଏଥି ମଧ୍ୟରୁ ୨୦୨୦ରେ ଗୋଟିଏ ବାତ୍ୟା ଆସିଥିବାବେଳେ ୨୦୨୧ ରେ ତିନିଟି ବାତ୍ୟା ଆସିଛି ।

ଓଡିଶା ଉପକୂଳରେ ଆସୁଥିବା ବାତ୍ୟା ସଂକ୍ରାନ୍ତରେ ବିଜେପି ବିଧାୟିକା କୁସୁମ ଟେଟେ ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ଉପକୁଳରେ ୨୦୨୦ ରେ ବାତ୍ୟା ଅମ୍ଫାନ ଆସିଥିଲା । ଏଥିରେ ରାଜ୍ୟରେ ୨୩୬.୬୮ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବା ଆକଳନ କରାଯାଇଥିଲା ।

୨୦୨୧ ରେ ଆସିଥିବା ବାତ୍ୟା ୟାସରେ ୮୨୩.୪୯ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିବାବେଳେ ବାତ୍ୟା ଗୁଲାବ ପ୍ରଭାବରେ ୩୪.୨୧ କୋଟି ଏବଂ ଜୱାଦ ପ୍ରଭାବରେ ୩୭୬.୬୫ କୋଟି ଟଙ୍କାର କ୍ଷୟକ୍ଷତି ହୋଇଥିଲା । ତେବେ ଉପକୂଳରେ ଲୋକଙ୍କୁ ବାତ୍ୟା ଓ ସୁନାମୀର ଆଗୁଆ ସୂଚନା ଦେବାପାଇଁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାର ୨୨ଟି ବ୍ଲକ ଅଧିନସ୍ଥ ୧୨୨ଟି ସ୍ଥାନରେ ଆଗୁଆ ସୂଚନା ଦେବା ବ୍ୟବସ୍ଥା ପାଇଁ ଏନସିଆରଏମ୍‌ପି ପ୍ରକଳ୍ପ ଜରିଆରେ ସ୍କ୍ରିନ୍‌ ଟାୱାର ନିର୍ମାଣ କରାଯାଇଛି । ଏହା ଜରିଆରେ ବାତ୍ୟା ଓ ସୁନାମୀର ଆଗାମୀ ସୂଚନା ଲୋକଙ୍କୁ ସୂଚନା ଶବ୍ଦ ଓ ସ୍ୱର ବାର୍ତ୍ତା ମାଧ୍ୟମରେ ପଠାଯାଉଛି ।

ସେହିଭଳି ରାଜ୍ୟରେ ଥିବା ୩୪୩ ଅଗ୍ନିଶମ ବାହିନୀକୁ ଜରୁରୀକାଳୀନ ଯନ୍ତ୍ରପାତି ଓ ତାଲିମ ଦିଆଯାଇଥିବାବେଳେ ଅଧିକ କ୍ଷତିଗ୍ରସ୍ତ ଆଶଙ୍କା ଥିବା ଗଞ୍ଜାମ, ପୁରୀ ଏବଂ ଚିଲିକା ନିକଟ ଖୋର୍ଦ୍ଧା ଜିଲ୍ଲାରେ ୧୬,୫୭୨ଟି ବିପର୍ଯ୍ୟୟ ପ୍ରତିରୋଧକ ବାସଗୃହ ନିର୍ମାଣ କରାଯାଇଛି । (ତଥ୍ୟ)