ଭୁବନେଶ୍ୱର : ଓଡିଶାରୁ ବାହାରକୁ ଯାଇଥିବା ପ୍ରବାସୀ ଶ୍ରମିକଙ୍କ ମଧ୍ୟରୁ ଦୁଇ ବର୍ଷ ମଧ୍ୟରେ ୨୪୬ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି । ସେମାନଙ୍କ ପରିବାରକୁ ରାଜ୍ୟ ସରକାର ୩୬ଲକ୍ଷରୁ ଅଧିକ ଟଙ୍କାର ସହାୟତା ପ୍ରଦାନ କରିଥିବାବେଳେ ଏବେ କିଛି ମୃତକଙ୍କ ପରିବାର କ୍ଷତିପୂରଣ ଅପେକ୍ଷାରେ ରହିଛନ୍ତି ।
ସୂଚନା ଅନୁଯାୟୀ କେନ୍ଦ୍ରାପଡା ଓ ସମ୍ବଲପୁର ଜିଲ୍ଲାକୁ ବାଦ୍ ଦେଲେ ଅନ୍ୟ ସମସ୍ତ ଜିଲ୍ଲାରୁ ଯାଇଥିବା ପ୍ରବାସୀ ଶ୍ରମିକମାନଙ୍କ ମଧ୍ୟରୁ କେହି ନା କେହି ରାଜ୍ୟ ବାହାରେ ମୃତ୍ୟୁବରଣ କରିଛନ୍ତି । ତେବେ ଓଡିଶା ବାହାରେ ମୃତ୍ୟୁବରଣ କରୁଥିବା ଏହି ପ୍ରବାସୀ ଶ୍ରମିକମାନଙ୍କୁ ରାଜ୍ୟ ସରକାରଙ୍କ ଉଦ୍ୟମ କ୍ରମେ ଅଣାଯାଉଥିବାବେଳେ ସେମାନଙ୍କ ପରିବାରକୁ ବି ସହାୟତା ରାଶି ଯୋଗାଇ ଦିଆଯାଉଛି । ତେବେ ସବୁଠାରୁ ଅଧିକ ୪୩ଜଣ ମୃତ ପ୍ରବାସୀ ଶ୍ରମିକ ଗଜପତି ଜିଲ୍ଲାରୁ ରହିଛନ୍ତି । ବଲାଙ୍ଗିରରେ ଏହି ସଂଖ୍ୟା ୨୬ ଥିବାବେଳେ କଳାହାଣ୍ଡିରେ ୨୩ ରହିଛି । ରାୟଗଡାରୁ କାମପାଇଁ ବାହାରକୁ ଯାଇଥିବା ୧୭ ଜଣ ପ୍ରବାସୀ ଶ୍ରମିକ ମୃତ୍ୟୁବରଣ କରିଥିବାବେଳେ ନବରଙ୍ଗପୁରରେ ୧୩ ଜଣ ରହିଛନ୍ତି । ଅନ୍ୟ ସମସ୍ତ ଜିଲ୍ଲାର ମୃତ ପ୍ରବାସୀଙ୍କ ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି ।
ସେହିଭଳି ବରଗଡ, ଭଦ୍ରକ, ଜଗତ୍ସିଂହପୁର, ଯାଜପୁର, ଝାରସୁଗୁଡା, ଖୋରଧା, ନୂଆପଡା ଆଦି ଜିଲ୍ଲାରୁ କାମ ଅନ୍ୱେଷଣରେ ଯାଇ ରାଜ୍ୟ ବାହାରେ ମୃତ୍ୟୁବରଣ କରିଥିବା ପ୍ରବାସୀଙ୍କ ପରିବାରକୁ କ୍ଷତିପୂରଣ ମିଳିପାରି ନାହିଁ । ଏମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲାରୁ ଜଣେ ପ୍ରବାସୀ ଶ୍ରମିକ ମୃତ୍ୟୁବରଣ କରିଥିବାବଳେ ଯାଜପୁର ଜିଲ୍ଲାରୁ ସର୍ବାଧିକ ୭ଜଣ ରହିଛନ୍ତି ।
ସରକାରୀ ହିସାବ ଅନୁଯାୟୀ ଚଳିତ ବର୍ଷର ଦଶମାସ ମଧ୍ୟରେ ୬୦ହଜାରରୁ ଅଧିକ ଶ୍ରମିକ କାମ ଅନ୍ୱେଷଣରେ ଅନ୍ୟ ରାଜ୍ୟ ତଥା ବିଦେଶକୁ ଯାଇଛନ୍ତି । ଏମାନେ ସମସ୍ତ ଲାଇସେନ୍ସପ୍ରାପ୍ତ ଠିକାଦାରଙ୍କ ସହାୟତାରେ ଯାଇଛି । ଶ୍ରମିକମାନଙ୍କୁ ରାଜ୍ୟ ବାହାରେ ନିୟୋଜନ କରିବାପାଇଁ ସରକାର ୮୮୩ଟି ଠିକାଦାରୀ ଲାଇସେନ୍ସ ଜାରି କରିଥିବାବେଳେ ଏମାନେ ଲୋକମାନଙ୍କୁ ନେଇ କାମରେ ଲଗାଉଛନ୍ତି ।
ଏହି ଦଶମାସ ମଧ୍ୟରେ ବଲାଙ୍ଗିର ଜିଲ୍ଲାରୁ ୪୩ହଜାରରୁ ଅଧିକ ପ୍ରବାସୀ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି ଯାହାକି ସର୍ବାଧିକ । ତେବେ ଏହି ସୂଚନା ଅନୁଯାୟୀ ବୌଦ, ଦେବଗଡ, ଜଗତ୍ସିଂହପୁର, କନ୍ଧମାଳ, କୋରାପୁଟ, ମାଲକାନଗିରି, ମୟୁରଭଞ୍ଜ, ନୟାଗଡ ଓ ସୁବର୍ଣ୍ଣପୁର ଜିଲ୍ଲାରୁ ଶ୍ରମ ଠିକାଦାରଙ୍କ ମାଧ୍ୟମରେ କୌଣସି ଶ୍ରମିକ ରାଜ୍ୟ ବାହାରକୁ କାମପାଇଁ ଯାଇ ନାହାନ୍ତିା ଯାଜପୁର ଜିଲ୍ଲାରୁ ଏହି ସମୟରେ ସବୁଠାରୁ କମ୍ ମାତ୍ର ୫୦ ଜଣ ଶ୍ରମିକ ରାଜ୍ୟ ବାହାରକୁ ଯାଇଛନ୍ତି । ନୂଆପଡାରୁ ଯାଇଥିବା ଶ୍ରମିକଙ୍କ ସଂଖ୍ୟା ପାଖାପାଖି ୧୦ହଜାର ରହିଛି ।
ତେବେ ଶ୍ରମିକମାନଙ୍କୁ ରାଜ୍ୟ ଭିତରେ କର୍ମସଂସ୍ଥାନ ଯୋଗାଇ ଦେବାପାଇଁ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି । ବିଶେଷକରି ଦାଦନ ବହୁଳ ଜିଲ୍ଲାଗୁଡିକରେ ଏମଜିନରେଗା କାର୍ଯ୍ୟଦିସରେ ବୃଦ୍ଧି କରାଯାଉଥିବାବେଳେ ପଶୁପାଳନ ଓ ଅନ୍ୟାନ୍ୟ କୃଷି ଜରିଆରେ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବାପାଇଁ ଉଦ୍ୟମ ଜାରି ରହିଛି । ସେହିଭଳି ଗାଁ ଗହଳର ଲୋକଙ୍କ ହାତକୁ କାମ ଯୋଗାଇ ଦେବାପାଇଁ ସରକାର ଏମଏସଏମଇ ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)