Home Election ଦୁଇ ଦଳର ଅଲଗା ଅଲଗା ଶପଥ ତାରିଖ

ଦୁଇ ଦଳର ଅଲଗା ଅଲଗା ଶପଥ ତାରିଖ

ଭୁବନେଶ୍ୱର : ନିର୍ବାଚନ ପାଇଁ ଓଡିଶାରେ ପ୍ରାର୍ଥୀପତ୍ର ଦାଖଲ ଶେଷ ହୋଇନାହିଁ କି ଭୋଟ ଗଣନା ତ ଦୂରରକଥା ଭୋଟ ଗ୍ରହଣ ହୋଇନଥିଲେ ମଧ୍ୟ ବିଭିନ୍ନ ରାଜନୈତିକଦଳ ପକ୍ଷରୁ ସରକାର ଗଠନ ଲାଗି ଶପଥ ଗ୍ରହଣ ଉତ୍ସବ କେବେ ହେବ ତାହା ଘୋଷଣା କରାଯାଇ ସାରିଲାଣି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଓ ନବରଙ୍ଗପୁରରେ ଅନୁଷ୍ଠିତ ଦୁଇଟି ନିର୍ବାଚନୀ ସଭାରେ ଭାଷଣ ଦେଇ ଏଥର ଓଡିଶାରେ ନିଶ୍ଚିତ ବିଜେପି ସରକାର ଗଢିବ ଏବଂ ଓଡିଶା ମାଟିର ପୁଅ କିମ୍ବା ଝିଅ ଜଣେ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିବା ସହିତ ଜୁନ୍‍ ୮ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯିବ ଓ ୧୦ତାରିଖରେ ନୂଆ ବିଜେପି ସରକାର ଭୁବନେଶ୍ୱରରେ ଶପଥ ଗ୍ରହଣ କରିବ ବୋଲି ଘୋଷଣା କରିଛନ୍ତି । ଜୁନ୍‍ ୧୦ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବିଜେପି ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀଙ୍କ ଶପଥଗ୍ରହଣ ସମାରୋହରେ ଯୋଗ ଦେବାପାଇଁ ବ୍ରହ୍ମପୁର ଓ ନବରଙ୍ଗପୁର ସଭାରେ ଜନସାଧାରଣଙ୍କୁ ନିବେଦନ କରିଛନ୍ତି ।

ଅନ୍ୟ ପକ୍ଷରେ ଭବାନୀପାଟଣା ଓ ଖଡିଆଳ ଠାରେ ଅନୁଷ୍ଠିତ ବିଜେଡିର ଦୁଇଟି ନିର୍ବାଚନ ସଭାରେ ଅଭିଭାଷଣ ରଖି ଦଳର ଅନ୍ୟତମ ତାରକା ପ୍ରଚାରକ ଭି.କେ.ପାଣ୍ଡିଆନ କହିଛନ୍ତି ଯେ ଜୁନ୍‍ ୯ ତାରିଖରେ ନବୀନ ପଟ୍ଟନାୟକ ପୁଣି ଥରେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ । ଭବାନୀପାଟଣାରୁ ଖଡିଆଳ ଯିବା ବାଟରେ ଆକାଶମାର୍ଗରୁ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହ ତାଙ୍କ ବାର୍ତ୍ତାଳାପର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଛାଡିଛନ୍ତି । ଏଥିରେ ନବୀନ ପଟ୍ଟନାୟକ କଟାକ୍ଷ କରି କହିଛନ୍ତି ଯେ ବହୁତ ଦିନ ହେଲା ବିଜେପି ଦିନରେ ସ୍ୱପ୍ନ ଦେଖୁଛି ।

ଓଡିଶାରେ ୨୪ବର୍ଷ ଧରି ଚାଲିଥିବା ବିଜେଡି ସରକାରର ଏକ୍ସାପାରୀ ଡେଟ୍‍ ଜୁନ୍‍ ୪ତାରିଖ ବୋଲି ପ୍ରଧାନମନ୍ତ୍ରୀ ନିର୍ବାଚନୀ ସଭାରେ ଦେଇଥିବା ବକ୍ତବ୍ୟ ଉପରେ ମଧ୍ୟ ବିଜେଡି ପ୍ରତିକୂଳ ମନ୍ତବ୍ୟ ଦେଇଛି ।

ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ବିଜେପି ଓ ବିଜେଡିର ତୁଙ୍ଗ ନେତାମାନେ ସେମାନଙ୍କ ଦଳ ସରକାରର ଶପଥଗ୍ରହଣ ତାରିଖ ଘୋଷଣା କରିସାରିଥିବାବେଳେ ବିଧାନସଭାରେ ୯ ରୁ ଆସନ ସଂଖ୍ୟା ୯୦ କୁ ଟପାଇ ଓଡିଶାରେ ଏଥର କଂଗ୍ରେସ ସରକାର ଗଢିବ ବୋଲି ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ, ଓଡିଶା ପାଇଁ ଥିବା କଂଗ୍ରେସ ପ୍ରଭାରୀ ଡକ୍ଟର ଅଜୟ କୁମାରଙ୍କ ସମେତ ଅନ୍ୟ କଂଗ୍ରେସ ନେତାମାନେ ଦମ୍ଭୋକ୍ତି କରୁଥିଲେ ମଧ୍ୟ କେହି କଂଗ୍ରେସ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ତାରିଖ କେବେ ହେବ ସେକଥା କହୁନାହାନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଓଡିଶାରେ ଚାରିଟି ପର୍ଯ୍ୟାୟରେ ଲୋକସଭା ଓ ବିଧାନସଭା ଆସନଗୁଡିକ ପାଇଁ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟରେ କଳାହାଣ୍ଡି, ନବରନଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ଲୋକସଭା ଓ ତାହା ଅର୍ନ୍ତଗତ ୨୮ଟି ବିଧାନସଭା ଆସନ ପାଇଁ ଚଳିତ ମାସ ୧୩ତାରିଖରେ ଭୋଟଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମଇ ୨୦, ତୃତୀୟ ପର୍ଯ୍ୟାୟ ପାଇଁ ମଇ ୨୫ ଓ ଶେଷ ପର୍ଯ୍ୟାୟ ପାଇଁ ଜୁନ୍‍ ୧ରେ ଭୋଟ ଗ୍ରହଣ ହେବାକୁ ଥିବାବେଳେ ଜୁନ୍‍ ୪ତାରିଖରେ ସମସ୍ତ ଆସନର ଭୋଟ ଗଣତି ହେବ ।

ଏ ପରିପ୍ରେକ୍ଷୀରେ ମତଗ୍ରହଣ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଶପଥଗ୍ରହଣ ଉତ୍ସବ ପାଇଁ ବିଜେପି ଓ ବିଜେଡି ପକ୍ଷରୁ ଯେଉଁ ଘୋଷଣା କରାଯାଇଛି ତାହା ଦଳୀୟ କର୍ମୀ ଓ ପ୍ରାର୍ଥୀମାନଙ୍କୁ ଉତ୍ସାହିତ କରିଥିବାବେଳେ ଝଡ ପୂର୍ବର ନିରବତା ଭଳି ନିରପେକ୍ଷ ଭୋଟରମାନେ କିନ୍ତୁ ନିରବ ରହିଛନ୍ତି । (ତଥ୍ୟ)