Home Mining ଦୁଇ ଜିଲ୍ଲାରେ ସୁନା ଖଣି

ଦୁଇ ଜିଲ୍ଲାରେ ସୁନା ଖଣି

ଭୁବନେଶ୍ୱର : ଓଡିଶାର ମାଟି ତଲେ ପାଖାପାଖି ୨ହଜାର କିଲୋ ସୁନା ମହଜୁଦ ଥିବା ଆକଳନ କରାଯାଇଛି । ଏହି ସୁନା ଦେବଗଡ ଜିଲ୍ଲାର ଅଦାସ ଓ କେନ୍ଦୁଝର ଜିଲ୍ଲାର ଗୋପୁର ଅଞ୍ଚଳରେ ଥିବା ସୂଚନା ଦେଇଛନ୍ତି ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ବିଜେଡି ବିଧାୟକ ଅଶ୍ୱିନୀ କୁମାର ପାତ୍ର ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ଓଡିଶାରେ ମହଜୁଦ ଥିବା ବିଭିନ୍ନ ଖଣିଜ ସମ୍ପଦ ମଧ୍ୟରେ ସୁନା ଓ ରୂପା ଭଳି ମୂଲ୍ୟବାନ ଧାତୁ ରହିଛି । ଏଥି ସହିତ ପ୍ଲାଟିନମ ଯୁକ୍ତ ପଥର ମଧ୍ୟ ରହିଛି । ଏହି ସୂଚନା ଅନୁଯାୟୀ ରାଜ୍ୟର ଦୁଇ ଜିଲ୍ଲା ଦେବଗଡ ଓ କେନ୍ଦୁଝରରେ ସୁନା ଅଛି । ଦେବଗଡର ଅଦାସ ଓ କେନ୍ଦୁଝରର ଗୋପୁର ଠାରେ ପାଖପାଖି ୨ହଜାର କିଲୋ ସୁନା ରହିଛି ।

ସେହିଭଳି ଦେବଗଡର ଅଦାସ ଓ ସୁନ୍ଦରଗଡର ସର୍ଗୀପଲ୍ଲୀ ବେସମେଟାଲ ଅଞ୍ଚଳରେ ରୂପା ଗଚ୍ଛିତ ଅଛି । ଗଚ୍ଛିତ ରୂପାର ପରିମାଣ ପ୍ରାୟ ୬୫ ଟନ୍‍ ହେବ ବୋଲି ଆକଳନ କରାଯାଇଛି । ଏହାବାଦ୍‍ କେନ୍ଦୁଝର ଜିଲ୍ଲାର ବାଙ୍ଗୁର, ବଣିଆପଙ୍କ ଅଞ୍ଚଳରେ ୧୪ଟନ୍‍ରୁ ଅଧିକ ପରିମାଣର ପ୍ଲାଟିନମ ଯୁକ୍ତ ପଥର ମହଜୁଦ ରହିଛି । ସୁନା, ରୂପା ଭଳି ପ୍ଲାଟିନମ୍‍ ମଧ୍ୟ ଅତ୍ୟନ୍ତ ଦୁର୍ମୁଲ୍ୟ ଧାତୁ ତାଲିକାରେ ରହିଛି ।

ଏହାବାଦ୍‍ ମାଲକାନଗିରି ଜିଲ୍ଲାରେ ଟିଣ ପଥର, ମୟୁରଭଞ୍ଜରେ ଭାନାଡିୟମ, ସୁନ୍ଦରଗଡ ଓ ଯାଜପୁର ଜିଲ୍ଲାରେ ଡ୍ୱାନାଇଟ୍‍ ଭଳି ମୂଲ୍ୟବାନ୍‍ ଧାତୁ ଗଚ୍ଛିତ ରହିଛି । ଓଡିଶାରେ ୦.୦୧୫୬ ନିୟୁତ ଟନ୍‍ର ଟିଣପଥର ଗଚ୍ଛିତ ଥିବାବେଳେ ମୟୁରଭଞ୍ଜର କୁମାଧୁବି, ବତେଇଝରଣ ଆଦି ଅଞ୍ଚଳର ୪.୮୬୫ ନିୟୁତ ଟନ୍‍ ପରିମାଣର ଭାନାଡିୟମ ଧାତୁ ରହିଛି । ସେହିଭଳି ୧୨ ନିୟୁତ ଟନ୍‍ରୁ ଅଧିକ ପରିମାଣର ଡ୍ୱନାଇଟ୍‍ ଗଚ୍ଛିତ ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

ଓଡିଶାରେ ଗଚ୍ଛିତ ସର୍ବାଧିକ ଖଣିଜ ସମ୍ପଦ ତାଲିକାରେ ରହିଛି କୋଇଲା । ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ ଜିଲ୍ଲାରେ ୯୪ହଜାର ନିୟୁତ ଟନ୍‍ରୁ ଅଧିକ କୋଇଲା ଗଚ୍ଛିତ ରହିଛି । ଏହା ପଛକୁ ରହିଛି ଲୁହାପଥର । କେନ୍ଦୁଝର, ସୁନ୍ଦରଗଡ, ମୟୁରଭଞ୍ଜ, ଯାଜପୁର ଓ ନବରଙ୍ଗପୁରର ବିଭିନ୍ନ ଅଞ୍ଚଳରେ ମାଟି ତଳେ ୯୭୫୮ ନିୟୁତ ଟନ୍‍ରୁ ଅଧିକ ଲୁହାପଥର ଗଚ୍ଛିତ ରହିଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ।

ଏହାବାଦ୍‍ ଓଡିଶାର ମାଟିତଲେ ୨୪୫ ନିୟୁତ ଟନ୍‍ରୁ ଅଧିକ ମାଙ୍ଗାନିଜ୍‍, ୨୭୩୧ ନିୟୁତ ଟନ୍‍ରୁ ଅଧିକ ବକ୍ସାଇଟ୍‍, ୨୧୭୩ ନିୟୁତ ଟନ୍‍ରୁ ଅଧିକ ଚୂନପଥର, ୨୫ ନିୟୁତ ଟନ୍‍ରୁ ଅଧିକ ଗ୍ରାଫାଇଟ୍‍, ୩୧୪ ନିୟୁତ ଟନ୍‍ରୁ ଅଧିକ କ୍ରୋମାଇଟ୍‍, ୧୭୭ ନିୟୁତ ଟନ୍‍ ନିକେଲ, ୯୨୬ ନିୟୁତ ଟନ୍‍ ଡୋଲୋମାଇଟ୍‍, ୧୪୩ ନିୟୁତ ଟନ୍‍ କ୍ୱାର୍ଜାଇଟ୍‍, ୭୫ ନିୟୁତ ଟନ୍‍ରୁ ଅଧିକ କ୍ୱାର୍ଜ ଭଳି ମୂଲ୍ୟବାନ୍‍ ଧାତୁ ରହିଛି । ଏହିସବୁ ଖଣିଜ ପଦାର୍ଥ ଉତ୍ତୋଳନରୁ ରାଜ୍ୟ ରାଜକୋଷକୁ ଗତ ୫ବର୍ଷ ମଧ୍ୟରେ ୯୪୪୦ କୋଟି ଟଙ୍କାରୁ ଅଧିକ ରାଜସ୍ୱ ଆସିପାରିଛି । (ତଥ୍ୟ)