ଭୁବନେଶ୍ୱର : କମିଶନରେଟ ପୁଲିସ୍ କେବେ ଦୁଇ ଚକିଆ ପାଟ୍ରୋଲିଂ ଆରମ୍ଭ କରିବ ତାହାକୁ ସହରବାସୀ ଚାହିଁ ବସିଛନ୍ତି । କାରଣ ଏଭଳି ପାଟ୍ରୋଲିଂ କେବଳ ସହରରେ ଆଇନ୍ଶୃଙ୍ଖଳାରେ ସୁଧାର ଆଣିବ ନାହିଁ, ଖବର ପାଇବାମାତ୍ରେ ଲୋକଙ୍କ ନିକଟରେ ତତ୍କାଳ ପହଞ୍ଚି ବି ପାରିବ ।
ସହରରେ ଲୋକଙ୍କୁ ସେବା ଯୋଗାଣ ପାଇଁ କମିଶନରେଟ ପୁଲିସ୍ ନିକଟରେ ଏବେ ପିସିଆର ଭ୍ୟାନ ହିଁ ଏକମାତ୍ର ସାଧନ । ହେଲେ ଏଥିରେ ଅଧିକ ଅର୍ଥ ବ୍ୟୟ ସହିତ କର୍ମଚାରୀ ଆବଶ୍ୟକ । ଫଳରେ ସହରରେ ଥିବା ପିସିଆରଗୁଡିକ ବିଭିନ୍ନ ସ୍ଥାନରେ ଚକ୍କର କାଟିବା ବଦଳରେ ଅଧିକାଂଶ ସମୟରେ ଗଳି କନ୍ଦିରେ ଛିଡାହୋଇ ରହୁଛନ୍ତି । କଣ୍ଟ୍ରୋଲ ରୁମ୍ରୁ ନିର୍ଦ୍ଦେଶ ପାଇଲେ ସେଠାକୁ ଯାଉଛନ୍ତି । ଦେଉଳକୁ ମୁଖଶାଳା ବଳାଇଲା ଭଳି ଏହି ପିସିଆର ଭ୍ୟାନଗୁଡିକର ଖର୍ଚ୍ଚ ଏବେ ପୁଲିସ୍ କର୍ତ୍ତୃପକ୍ଷଙ୍କୁ ବଳାଇ ଗଲାଣି ।
ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୁଲିସ୍ ୫୦ଟି ବୁଲେଟ୍ ମୋଟର ସାଇକେଲ କିଣିବାକୁ ଯୋଜନା କରିଥିଲେ । ଏଥିପାଇଁ ୭୫ଲକ୍ଷ ଟଙ୍କା ବ୍ୟୟ ଆକଳନ ହୋଇଥିଲା । ହେଲେ ଏହି ଦୁଇ ଚକିଆଯାନ କେବେ ଆସିବ ଓ ଏହାକୁ ଧରି ପୁଲିସ୍ ବାବୁମାନେ ସହରରେ ଚକ୍କର କାଟି ଚୋର ତସ୍କରଙ୍କ ଉପରେ ନଜର ରଖି ତାହାକୁ ସହରବାସୀ ଅପେକ୍ଷା କରିଛନ୍ତି ।
ଅତୀତରେ ମଧ୍ୟ ଆଇନ୍ଶୃଙ୍ଖଳାକୁ ସୁଧାରିବାପାଇଁ କମିଶନରେଟ ପୁଲିସ୍ ଦୁଇ ଚକିଆ ପାଟ୍ରୋଲିଂ ବ୍ୟବସ୍ଥା ଆରମ୍ଭ କରିଥିଲେ । ଏଥିପାଇଁ ଧଳା ରଙ୍ଗର ଦୁଇ ଚକିଆ ମୋଟରସାଇକେଲ ଖରିଦ ହୋଇଥିଲା । ପ୍ରଥମେ ପ୍ରଥମେ ଏଥିରୁ ବେଶ୍ ସୁଫଳ ବି ମିଳିଥିଲା । କାରଣ ଗୋଟିଏ ଗାଡିରେ ଦୁଇଜଣ ପୁଲିସ୍ କର୍ମଚାରୀ ହାତରେ ବାଡି ଧରି ସହରର ଗଳି କନ୍ଦିରେ ବୁଲିବା ଦ୍ୱାରା ଚୋରଙ୍କ ଠାରୁ ଆରମ୍ଭକରି ନିଶାଡିଙ୍କ ପର୍ଯ୍ୟନ୍ତ କେହି ଆଉ ରାସ୍ତା ଉପରେ ଖୁଲମଖୁଲା ବୁଲିବା କିମ୍ବା ନିଶା ସେବନ କରିବାକୁ ସାହସ କରିନଥିଲେ ।
ହେଲେ କିଛିଦିନ ପରେ ସେହିସବୁ ଗାଡିଗୁଡିକ ଭାଙ୍ଗିରୁଜି ଯାଇଥିଲା । ନୂଆ ଗାଡି କିଣିବା ତ ଦୂରରକଥା, ଏହାକୁ ମରାମତି କରିବାକୁ ବି କେହି ଆଗ୍ରହ ପ୍ରକାଶ କରିନଥିଲେ । ଏଗୁଡିକ ଭାଙ୍ଗିରୁଜି ଯିବା ଫଳରେ ସହରରେ ଦୁଇ ଚକିଆ ପାଟ୍ରୋଲିଂ ବ୍ୟବସ୍ଥାରେ ପୂର୍ଣ୍ଣଛେଦ ପଡିଥିଲା । ଏବେ ପୁଣିଥରେ କମିଶନରେଟ ପୁଲିସ୍ ଏଥିପ୍ରତି ଆଗ୍ରହ ପ୍ରକାଶ କରିଥିବାବେଳେ ତାହା କେବେସୁଦ୍ଧା ଆରମ୍ଭ ହେବ ତାହାକୁ ଲୋକେ ଚାହିଁ ବସିଛନ୍ତି ।
ଉଲ୍ଲେଖନୀୟ ଯେ ରାଜଧାନୀର ମୁଖ୍ୟ ରାସ୍ତା ବଦଳରେ ଗଳି କନ୍ଦି ରାସ୍ତାରେ ଚୋର ବିଶେଷକରି ଛନ୍ତାଇ ଗୋଷ୍ଠି ଉତ୍ପାତ କରିବାରେ ଲାଗିଛନ୍ତି । ଭିଡି ସମୟରେ ଏମାନଙ୍କୁ ପିସିଆର ଭ୍ୟାନରେ ଗୋଡାଇ ଧରିବା ସହଜ କଥା ନୁହେଁ । ଏବେ ଚୋରମାନେ ବେଗଗାମୀ ଦୁଇ ଚକିଆ ଯାନ ବ୍ୟବହାର କରୁଥିବାରୁ ସେମାନଙ୍କ ପାଇଁ ଦକ୍ଷ ଦୁଇ ଚକିଆ ଆରୋହୀ ପୁଲିସ୍ କର୍ମଚାରୀ ଆବଶ୍ୟକ । ତେଣୁ କମିଶନରେଟ ପୁଲିସ୍ ଯେତେଶୀଘ୍ର ସହରରେ ଏହି ବ୍ୟବସ୍ଥା ଆରମ୍ଭ କରିବେ ଓ ଏଥିପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟବସ୍ଥା କରିବେ ସେତେଶୀଘ୍ର ସହରବାସୀ ଆଶ୍ୱସ୍ତ ହେବେ । (ତଥ୍ୟ)