ଭୁବନେଶ୍ୱର : ଆଇନ୍ ମୁତାବକ ଟିକସ ଦାଖଲ କରୁନଥିବା ଗାଡିମୋଟରକୁ ଧରି ସେମାନଙ୍କ ଠାରୁ ଅର୍ଥ ଆଦାୟ ପାଇଁ ପରିବହନ ବିଭାଗ ଟୋଲ ଗେଟ୍ରେ ଖଞ୍ଜିଥିବା ଯନ୍ତ୍ରରେ ଏବେ ଦୁଇ ଚକିଆ ଯାନର ପରମିଟ୍ କଟୁଛି । ଖାଲି କଟୁନି, ପରମିଟ୍ ନଥିବାରୁ ୧୦ହଜାର ଟଙ୍କାର ଜୋରିମାନା ଲଗାଇ ତାହା ପଇଠ ପାଇଁ ନୋଟିସ୍ ବି ଯାଉଛି ।
ଏଭଳି ବିଚିତ୍ର ନୋଟିସ୍ ପାଇଛନ୍ତି କଟକ ଜିଲ୍ଲାର ଜଣେ ସ୍କୁଟି ମାଲିକ । ପିପିଲି ଟୋଲ୍ ଗେଟ୍ରେ କଟିଥିବା ଜୋରିମାନା ନୋଟିସ୍ ତାଙ୍କ ପାଖକୁ ଯାଇଛି । ଏଥିରେ ପରମିଟ୍ ଫି ୧୦,୦୦୦ ଟଙ୍କା ଦାଖଲ ପାଇଁ କୁହାଯାଇଛି । ତେବେ ଏହି ନୋଟିସ୍ରେ ଯାନ ଟି ଦୁଇଚକିଆ ସ୍କୁଟି ଓ ଏହାର ନମ୍ବର ଓଡି୦୫ବିଡି ୭୮୯୧ ବୋଲି ସ୍ପଷ୍ଟ ଭାବେ ଉଲ୍ଲେଖ ଥିବାବେଳେ ପରିବହନ ବିଭାଗ କିଭଳି ନୋଟିସ୍ ପଠାଇଲା ତାହା ଏବେ ଅନେକଙ୍କୁ ଚକିତ କରିଛି ।
କେବଳ ଏହି ଗୋଟିଏ ଘଟଣା ନୁହେଁ ଜୋରିମାନା ଆଦାୟରେ ମାତିଥିବା ପରିବହନ ବିଭାଗ ଓ ପୁଲିସ୍ ବିଭାଗ ଏଭଳି ବିଚିତ୍ର ନୋଟିସ୍ମାନ ପଠାଉଛନ୍ତି । ତେବେ ପିପିଲି ଟୋଲ ଗେଟ୍ରେ କଟକର ଗୋଟିଏ ସ୍କୁଟିର ପରମିଟ୍ ପାଇଁ କିଭଳି ୧୦ହଜାର ଟଙ୍କାର ଜୋରିମାନା ଲାଗିଲା ତାହା କେତେକ ପରିବହନ କର୍ତ୍ତୃପକ୍ଷଙ୍କୁ ଚକିତ କରିଛି । କାରଣ ସାଧାରଣତଃ ଚାରିଚକିଆ ବ୍ୟବସାୟିକ ଯାନଗୁଡିକ ନିୟମିତ ବ୍ୟବଧାନରେ ପରମିଟ୍ ଅର୍ଥ ଦାଖଲ କରିଥାନ୍ତି ଓ ଯେଉଁମାନେ ଧାର୍ଯ୍ୟ ସମୟରେ ଦାଖଲ କରିନଥାନ୍ତି ସେମାନେ ଜୋରିମାନା ଗଣିଥାନ୍ତି ।
ପୂର୍ବରୁ ରାସ୍ତାଘାଟରେ ଗାଡିମୋଟର ଅଟକାଇ ସେମାନଙ୍କ ପରମିଟ୍ ଯାଞ୍ଚ ସହିତ ଜୋରିମାନା ଆଦାୟ ହୋଇଥିଲା । ହେଲେ ଏବେ ଜ୍ଞାନକୌଶଳ ବ୍ୟବହାର କରାଯାଇ ସ୍ୱୟଂକ୍ରିୟ ଭାବେ ଜୋରିମାନା ଆଦାୟ ପାଇଁ ବିଭାଗ ଜାଲ ବିଛାଇଛି । ଏଥିପାଇଁ ଟୋଲଗେଟ୍ରେ ଯନ୍ତ୍ର ଖଞ୍ଜାଯାଇଛି । ହେଲେ ପରିବହନ ବିଭାଗର ଏହି ଜାଲରେ ଚାରିଚକିଆ ଟିକସଫାଙ୍କି ବାଲା ଧରାପଡିବେ କ’ଣ ଦୁଇ ଚକିଆ ଗାଡିମାଲିକ ପଡି ଘାଣ୍ଟି ହେଲେଣି ।
କେବଳ ପରିବହନ ବିଭାଗ ନୁହେଁ କମିଶନରେଟ ପୁଲିସ୍ ବି ଏଭଳି ବିଚିତ୍ର ନୋଟିସ୍ ପଠାଇବାରେ ଲାଗିଛି । ସହରର ସାରା ଲାଗିଥିବା ସିସିଟିଭିରେ ଫଟୋ ଉଠାଇ ଯେଉଁ ଜୋରିମାନା ନୋଟିସ୍ ପଠାଯାଉଛି ସେଥିରେ ଦୁଇ ଚକିଆ ଯାନରେ ଜଣେ ବସିଥିବା ସ୍ପଷ୍ଟ ଦୃଶ୍ୟମାନ ହେଉଥିବାବେଳେ ନୋଟିସ୍ରେ କିନ୍ତୁ ବିନା ହେଲମେଟରେ ଗାଡିରେ ଦୁଇଜଣ ବସିଥିବା ଦର୍ଶାଇ ୧୦୦୦ ଟଙ୍କା ଜୋରିମାନା ପଇଠ କରିବାକୁ କୁହାଯାଉଛି ।
ବର୍ତ୍ତମାନ ଉଭୟ ପରିବହନ ବିଭାଗ ଓ ପୁଲିସ୍ ବିଭାଗ ଗାଡିମୋଟର ମାଲିକଙ୍କ ଠାରୁ ଜୋରିମାନା ଆଦାୟ ପାଇଁ ଏକ ପ୍ରକାର ପ୍ରତିଯୋଗିତା ଚଳାଇଥିବାବେଳେ ଏଥିରେ କିଛି ସଚ୍ଚୋଟ ଗାଡି ଚାଳକ ଓ ମାଲିକ ପଡି ଘାଣ୍ଟି ହେଉଛନ୍ତି । ସେହିଭଳି ଜୋରିମାନା ଆକାରରେ ନଗଦ ଓ ଡିଜିଟାଲକୁ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯେଉଁ ଜୋରିମାନା ପାଇଁ ନଗଦରେ ୫୦୦ ଟଙ୍କା ଦେବାକୁ ପଡୁଛି ସମାନ ଜୋରିମାନା ପାଇଁ ଡିଜିଟାଲ ପେମେଣ୍ଟରେ ୧୦୦୦ ଟଙ୍କା ଗଣିବାକୁ ପଡୁଛି । ଏପରିକି କେତେକ ଜୋରିମାନା କେବଳ ନଗଦ ଆକାରରେ ଦେବାକୁ ପଡିବ ବୋଲି ସ୍ପଷ୍ଟଭାବେ କୁହାଯାଉଛି ।
ତେବେ ସାଧାରଣ ଲୋକଙ୍କ ଠାରୁ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ଜୋରିମାନା ଆଦାୟ ପୂର୍ବରୁ ଲୋକଙ୍କୁ ସଚେତନ କରିବା ଓ ଖଞ୍ଜାଯାଉଥିବା ଯନ୍ତ୍ରଟି ଶତପ୍ରତିଶତ ସଠିକ୍ ଅଛି କି ନାହିଁ ତାହା ପରଖିବା ପାଇଁ ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)