Home Health ଦୁଇ କୋଭିଡ ଆକ୍ରାନ୍ତ ଚିହ୍ନଟ

ଦୁଇ କୋଭିଡ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ପ୍ରଥମ ଥର ପାଇଁ ସାର୍ସ-କୋଭ୍-୨ ସବ୍ ଭାରିଆଣ୍ଟ ଜେଏନ୍.୧ ଚିହ୍ନଟ ହୋଇଛି। ଦୁଇ ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି।   

ଆଜି ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ବିଜୟ କୁମାର ମହାପାତ୍ର କହିଛନ୍ତି, ଓଡ଼ିଶାରେ ଏପର୍ଯ୍ୟନ୍ତ ୨୮ ଜଣ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ଏବଂ ସମସ୍ତ ନମୁନା ଜିନୋମ ସିକ୍ୱେନ୍ସିଂ ପାଇଁ ପଠାଯାଇଥିଲା, ଯେଉଁଥିରୁ ୨ ଜଣ ଜେଏନ୍.୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଜେଏନ୍.୧ ସଂକ୍ରମିତମାନେ ସୁନ୍ଦରଗଡ଼ ଜିଲ୍ଲା ଓ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱରର ବୋଲି ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର ଏହି ରୋଗୀ ଘରେ ରହି ଚିକିତ୍ସିତ ହୋଇ ଆଇସୋଲେସନ୍ ଅବଧି ଶେଷ କରିଥିଲେ। ତାଙ୍କ ସଂସ୍ପର୍ଶରେ ଆସିଥିବା କୌଣସି ବ୍ୟକ୍ତିଙ୍କ ଠାରେ ଲକ୍ଷଣ ନଥିବା ଜଣାପଡ଼ିଥିଲା।  

ସେହିପରି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ ବୃଦ୍ଧା ମଧ୍ୟ ଜେଏନ୍.୧ ସବ୍ ଭାରିଆଣ୍ଟରେ ଆକ୍ରାନ୍ତ ହୋଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ମହାପାତ୍ର କହିଛନ୍ତି।

ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ। ଭୂତାଣୁକୁ ବିଭିନ୍ନ ଭାରିଆଣ୍ଟ ଏବଂ ସବ୍-ଭାରିଏଣ୍ଟରେ ପରିବର୍ତ୍ତନ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା । ଯେହେତୁ ଜେଏନ.୧ କୁ ଗୁରୁତ୍ୱପୂର୍ଣ୍ଣ ଭାରିଏଣ୍ଟ ଭାବରେ ଚିହ୍ନଟ କରାଯାଇଛି, ତେଣୁ ଆମେ ଜିନୋମ ସିକ୍ୱେନ୍ସିଂ ପାଇଁ ସମସ୍ତ କୋଭିଡ ପଜିଟିଭ୍ ରୋଗୀଙ୍କ ନମୁନା ପଠାଇବାକୁ ନିଷ୍ପତ୍ତି ନେଇଛୁ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଏତଦ୍ ବ୍ୟତୀତ ବୈଜ୍ଞାନିକ ସମୁଦାୟ କହିଛନ୍ତି ଯେ ଜେଏନ୍.୧ ଭାରିଆଣ୍ଟର ଗମ୍ଭୀରତା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେଣୁ ଭୟଭୀତ ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ସେ କହିଛନ୍ତି।

ଓଡ଼ିଶାରେ ଜଣେ କୋଭିଡ୍ ଆକ୍ରାନ୍ତଙ୍କ ମୃତ୍ୟୁ ନେଇ ଗଣମାଧ୍ୟମରେ ପ୍ରକାଶିତ ଖବର ସମ୍ପର୍କରେ ଡାକ୍ତର ମହାପାତ୍ର କହିଛନ୍ତି, ନା, ଆମ ପାଖରେ କୋଭିଡ୍ ଜନିତ ମୃତ୍ୟୁର କୌଣସି ରିପୋର୍ଟ ନାହିଁ। ଯଦି ଏଭଳି କୌଣସି ମୃତ୍ୟୁ ଘଟିବ, ତେବେ ମେଡିକାଲ ଅଡିଟ୍ କରାଯିବ ଏବଂ ତା’ପରେ ରିପୋର୍ଟ ଦିଆଯିବ।

ଓଡ଼ିଶାରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨୫ ରହିଥିବା ବେଳେ ୩ ଜଣ ସୁସ୍ଥ ହୋଇଛନ୍ତି।

ଓମିକ୍ରୋନ୍ ବଂଶର ଏକ ଉପ-ପ୍ରଜାତି ଜେଏନ୍.୧, ଏହି ଶୃଙ୍ଖଳାର ପୂର୍ବ ଷ୍ଟ୍ରେନ୍ ତୁଳନାରେ ଅଧିକ ସଂକ୍ରାମକ ଅଟେ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଏହା ଅନ୍ୟ ଓମିକ୍ରୋନ ଭାରିଆଣ୍ଟ ତୁଳନାରେ ଦ୍ରୁତ ଗତିରେ ବ୍ୟାପିଥାଏ ଏବଂ ଜ୍ୱର, କାଶ, ଥଣ୍ଡା, ମୁଣ୍ଡବିନ୍ଧା, ଗ୍ୟାଷ୍ଟ୍ରୋଇନଷ୍ଟ୍ରାଇନାଲ ଡିସଅର୍ଡର ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଭଳି ସାଧାରଣ ଲକ୍ଷଣ ଦେଖାଯାଏ ।

ନୂଆ ଭାରିଏଣ୍ଟ ଚିହ୍ନଟ ହୋଇଥିବା ଦେଶର ୧୦ଟି ରାଜ୍ୟ ମଧ୍ୟରେ ଓଡ଼ିଶା ରହିଛି। ବର୍ତ୍ତମାନ ସୁଦ୍ଧା ଜେଏନ.୧ର ୫୧୧ ଟି ମାମଲା ଚିହ୍ନଟ ହୋଇଥିବା ବେଳେ କର୍ଣ୍ଣାଟକରେ ୧୯୯ ଟି ମାମଲା ଚିହ୍ନଟ ହୋଇଛି, ଯାହା କି ରାଜ୍ୟମାନଙ୍କ ମଧ୍ୟରେ ସର୍ବାଧିକ ଏବଂ କେରଳରେ ୧୪୮ ଟି ମାମଲା ରହିଛି । ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଜେଏନ.୧ର ରୋଗ ପ୍ରତିରୋଧକ କ୍ଷମତା ଏବଂ ଦ୍ରୁତ ଗତିରେ ବ୍ୟାପିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏକ ଅଲଗା ପ୍ରକାର ଭାବରେ ବର୍ଗୀକୃତ କରିଛି ।