ଭୁବନେଶ୍ୱର: ରାଜ୍ୟର ପ୍ରଥମ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ଶିକ୍ଷାଦାନ ଦୀପାବଳୀ ପରେ ଆରମ୍ଭ ହେବାର ସମ୍ଭାବନା ରହିଛି ବୋଲି ରବିବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।
ଯେହେତୁ କୋଭିଡ-୧୯ ତୃତୀୟ ଲହରର ସମ୍ଭାବନା କମ୍ ରହିଛି, ତେଣୁ ଆମେ ପର୍ଯ୍ୟାୟକ୍ରମେ ଓ ପ୍ରଥମରୁ ସପ୍ତମ ଶ୍ରେଣୀ ପାଇଁ ବିଦ୍ୟାଳୟଗୁଡ଼ିକୁ ଖୋଲିବାକୁ ଯୋଜନା କରୁଛୁ । ତେବେ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଶ୍ରୀ ଦାଶ କହିଛନ୍ତି ।
ଶ୍ରୀ ଦାଶ ଆହୁରି କହିଛନ୍ତି ଯେ ରାଜ୍ୟରେ ଅଷ୍ଟମରୁ ରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ପାଠପଢା ଜାରି ରହିଛି । ପ୍ରଥମରୁ ସପ୍ତମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିବା ଉପରେ ରାଜ୍ୟ ସରକାର ଉପଯୁକ୍ତ ସମୟରେ ସୂଚନା ଦେବେ ।
ଶ୍ରୀ ଦାଶ କହିଛନ୍ତି ଯେ ଆମେ ଆଶା କରୁଛୁ ଯେ ଦୀପାବଳି ପରେ ଯେକøଣସି ମୁହୂର୍ତ୍ତରେ ବିଦ୍ୟାଳୟ ଖୋଲିବା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ ।
ଉଲ୍ଲେଖଯୋଗ୍ୟ ଯେ ରାଜ୍ୟ ସରକାର ଯଥାକ୍ରମେ ଅକ୍ଟୋବର ୨୧ ଏବଂ ଅକ୍ଟୋବର ୨୫, ୨୦୨୧ ରୁ ଏକାଦଶ ଏବଂ ଅଷ୍ଟମ ଶ୍ରେଣୀ ଛାତ୍ରଚାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ପାଠପଢାକୁ ଅନୁମତି ଦେଇଛନ୍ତି । ଜୁଲାଇ ୨୬, ୨୦୨୧ ରୁ ଓଡିଶାରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟଗୁଡ଼ିକ ପୁନଃ ଖୋଲାଯାଇଥିଲା ।
କୋଭିଡ୍ -୧୯ ମାର୍ଗଦର୍ଶିକା ଅନୁସରଣ କରି ଶ୍ରେଣୀଗୃହ ପାଠପଢା ଆରମ୍ଭ ପାଇଁ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି କରିଛି । ଏପର୍ଯ୍ୟନ୍ତ ପାଠପଢା ସୁରୁଖୁରୁରେ ଚାଲିଛି ଏବଂ ଛାତ୍ରଛାତ୍ରୀମାନେ ମଧ୍ୟ ଖୁସିରେ ଶ୍ରେଣୀଗୃହରେ ଯୋଗ ଦେଉଥିବା ଲକ୍ଷ୍ୟ କରାଯାଇଛି ।