Home Election ଦିଲ୍ଲୀପ ରାୟ ସବୁଠୁ ଧନୀ

ଦିଲ୍ଲୀପ ରାୟ ସବୁଠୁ ଧନୀ

ଭୁବନେଶ୍ୱର : ଦ୍ୱିତୀୟ ପର୍ଯ୍ୟାୟରେ ୩୫ଟି ବିଧାନସଭା ଆସନରେ ପ୍ରତିଦ୍ୱନ୍ଦିତା କରୁଥିବା ମୋଟ୍‍ ୨୬୫ ପ୍ରାର୍ଥୀଙ୍କ ମଧ୍ୟରୁ ଦିଲ୍ଲୀପ ରାୟ ହେଉଛନ୍ତି ସବୁଠୁ ଧନୀ । ଶ୍ରୀ ରାୟ ବିଜେପି ପ୍ରାର୍ଥୀ ଭାବେ ରାଉରକଲୋ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି ।

ଏଡିଆର ଓ ଓଡିଶା ଇକେଲକ୍ସନ ୱାଚ୍‍ ପକ୍ଷରୁ ପ୍ରାର୍ଥୀମାନଙ୍କ ସତ୍ୟପାଠକୁ ବିଶ୍ଲେଷଣ ପରେ ଜାରି କରାଯାଇଥିବା ରିପୋର୍ଟରେ ଏହି ତଥ୍ୟ ପ୍ରକାଶିତ ହୋଇଛି । ଏହି ରିପୋର୍ଟରେ ଦର୍ଶାଇଛି ଯେ ୩୧୩ କୋଟି ଟଙ୍କାର ସମ୍ପତ୍ତି ସହିତ ଦିଲ୍ଲୀପ ରାୟ ଧନୀ ତାଲିକାର ପ୍ରଥମ ସ୍ଥାନରେ ଥିବାବେଳେ ୭୩ କୋଟି ଟଙ୍କାର ସମ୍ପତ୍ତି ସହିତ ବଲାଙ୍ଗିର ବିଧାନସଭା ଆସନର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହଦେଓ ଦ୍ୱିତୀୟ ସ୍ଥାନରେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତୃତୀୟ ସ୍ଥାନରେ ରହିଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଚଳିତ ନିର୍ବାଚନରେ ଉଭୟ ହିଞ୍ଜିଳି ଓ କଣ୍ଟାବାଞ୍ଝି ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦିତା କରୁଛନ୍ତି । ଶ୍ରୀ ପଟ୍ଟନାୟକ ତାଙ୍କ ସମ୍ପତ୍ତିର ପରିମାଣ ୭୧ କୋଟି ଟଙ୍କା ଉଲ୍ଲେଖ କରିଛନ୍ତି । ଏହି ତିନିଜଣ ଧନୀ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଶ୍ରୀ ରାୟ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଭୟ କେନ୍ଦ୍ରରେ ମନ୍ତ୍ରୀ ରହିଥିଲେ ।

ସେହିଭଳି ମୋଟ୍‍ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ଜଣଙ୍କ ସମ୍ପତ୍ତିର ମୂଲ୍ୟ ୫କୋଟି ଟଙ୍କାରୁ ଅଧିକ ହୋଇଥିବାବେଳେ ୩୬ଜଣଙ୍କର ୨ରୁ ୫କୋଟି, ୭୦ଜଣଙ୍କର ୫୦ଲକ୍ଷରୁ ୨କୋଟି, ୬୪ଜଣଙ୍କର ୧୦ ରୁ ୫୦ ଲକ୍ଷ ଏବଂ ୭୨ଜଣ ପ୍ରାର୍ଥୀଙ୍କ ସମ୍ପତ୍ତି ୧୦ଲକ୍ଷ ଟଙ୍କାରୁ କମ୍‍ ରହିଛି । ବୌଦ୍ଧରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢୁଥିବା ପ୍ରଦୀପ ସାହୁଙ୍କ ସମ୍ପତ୍ତିର ପରିମାଣ ୭ହଜାର ଟଙ୍କା ଥିବା ସେ ତାଙ୍କ ସତ୍ୟପାଠରେ ଦର୍ଶାଇଛନ୍ତି ।

ସେହିଭଳି ୨୬୫ ପ୍ରାର୍ଥୀଙ୍କ ମଧ୍ୟରୁ ୩୩ ପ୍ରତିଶତ ଅର୍ଥାତ୍‍ ୮୭ଜଣଙ୍କ ନାଁରେ ଅପରାଧିକ ମାମଲା ଥିବାବେଳେ ୭୦ଜଣଙ୍କ ନାଁରେ ଜଘନ୍ୟ ଅପରାଧିକ ମାମଲା ରହିଛି । ୫ଜଣ ପ୍ରାର୍ଥୀଙ୍କ ବିରୁଦ୍ଧରେ ହତ୍ୟା ମାମଲା ଥିବାବେଳେ ୧୬ଜଣଙ୍କ ନାଁରେ ହତ୍ୟା ଉଦ୍ୟମ ମାମଲା ରହିଛି । ୧୧ଜଣ ପ୍ରାର୍ଥୀଙ୍କ ନାଁରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ଘଟାଇଥିବାର ମାମଲା ବି ରହିଛି । ବିଜେପିର ୩୫ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୨୮ଜଣଙ୍କ ବିରୁଦ୍ଧରେ ଅପରାଧିକ ମାମଲା ଥିବାବେଳେ ବିଜେଡିର ୩୫ଜଣଙ୍କ ମଧ୍ୟରୁ ୯ଜଣଙ୍କ ବିରୁଦ୍ଧରେ ମାମଲା ରହିଛି । କଂଗ୍ରେସର ୩୩ଜଣ ପ୍ରାର୍ଥୀ ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୭ଜଣଙ୍କ ବିରୁଦ୍ଧରେ ମାମଲା ରହିଛି ।

ଶିକ୍ଷାଗତ ଯୋଗ୍ୟତା ଅନୁଶୀଳନରୁ ଜଣାଯାଇଛି ଯେ ୨୬୫ ପ୍ରାର୍ଥୀଙ୍କ ମଧ୍ୟରୁ ୩ଜଣ ସାକ୍ଷର ହୋଇଥିବାବେଳେ ୧୩ଜଣ ୫ମ ପାଶ୍‍, ୧୮ଜଣ ଅଷ୍ଟମ ପାଶ୍‍, ୫୧ ଜଣ ଦଶମ ପାଶ୍‍, ୪୮ଜଣ ଯୁକ୍ତ ଦୁଇ ପାଶ୍‍, ୫୩ଜଣ ସ୍ନାତକ, ୩୪ଜଣ ସ୍ନାତକ ବୃତ୍ତିଧାରୀ, ୩୧ଜଣ ସ୍ନାତକୋତ୍ତର, ୪ଜଣ ଡକ୍ଟରେଟ୍‍ ଉପାଧିକାରୀ ଏବଂ ୧୦ଜଣ ଡିପ୍ଲୋମାଧାରୀ ରହିଛନ୍ତି ।

ବୟସ ଦୃଷ୍ଟିରୁ ୨୧ଜଣ ପାର୍ଥୀଙ୍କ ବୟସ ୨୫ରୁ ୩୦, ୪୪ଜଣ ପ୍ରାର୍ଥୀଙ୍କ ବୟସ ୩୧ରୁ ୪୦ବର୍ଷ ଭିତରେ ହୋଇଥିବାବେଳେ ୯୩ଜଣ ପ୍ରାର୍ଥୀଙ୍କ ବୟସରେ ୪୧ରୁ ୫୦ବର୍ଷ, ୫୭ଜଣ ପ୍ରାର୍ଥୀଙ୍କ ବୟସ ୫୧ରୁ ୬୦ବର୍ଷ, ୪୨ଜଣ ପ୍ରାର୍ଥୀଙ୍କ ବୟସ ୬୧ରୁ ୭୦ବର୍ଷ ବୟସ ମଧ୍ୟରେ ହୋଇଥିବାବେଳେ ୮ଜଣ ପ୍ରାର୍ଥୀଙ୍କ ବୟସ ୭୧ରୁ ୮୦ବର୍ଷ ମଧ୍ୟରେ ରହିଛି ।