Home Administration ଦିବ୍ୟାଙ୍ଗଙ୍କୁ ସମାନତା ଦେବାକୁ କୁନ୍ଥୁ କୁନ୍ଥୁ

ଦିବ୍ୟାଙ୍ଗଙ୍କୁ ସମାନତା ଦେବାକୁ କୁନ୍ଥୁ କୁନ୍ଥୁ

ଭୁବନେଶ୍ୱର : ଦିବ୍ୟାଙ୍ଗମାନଙ୍କ ପ୍ରତି ଦୟା ଓ ଅନୁକମ୍ପା ଦେଖାଇବା ତ ଦୂରର କଥା ସେମାନଙ୍କୁ ଅନ୍ୟମାନଙ୍କ ସହ ସମାନ ଦୃଷ୍ଟିରେ ଦେଖି ଅଧିକାର ସାବ୍ୟସ୍ତ କରିବା ଲାଗି ବହୁ କ୍ଷେତ୍ରରେ କର୍ତ୍ତୃପକ୍ଷ କୁନ୍ଥୁକୁନ୍ଥୁ ହେଉଛନ୍ତି । ଏଭଳି ମନୋଭାବ ସମ୍ପୂର୍ଣ୍ଣ ଆଇନ ଓ ସମ୍ବିଧାନ ବିରୋଧୀ ହୋଇଥିଲେ ବି, ଅବହେଳା କରୁଥିବା ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି ।

ନିକଟରେ ନୂଆପଡା ତହସିଲ ଅଫିସ ପରିସରରେ ଜଣେ ଦିବ୍ୟାଙ୍ଗ ନିଜ ଦେହରେ ଅଗ୍ନି ସଂଯୋଗ କରି ଆତ୍ମାହୂତି ଦେବାପାଇଁ ଉଦ୍ୟମ କରି ଏବେ ମୃତ୍ୟୁସହ ଲଢୁଛନ୍ତି । ଏହି ଦିବ୍ୟାଙ୍ଗ ଜଣକ ତାଙ୍କ ଜମିଜମା ସଂକ୍ରାନ୍ତରେ ବାରମ୍ବାର ତହସିଲ ଅଫିସକୁ ଦୌଡି ହଇରାଣ ହରକତ ହେଉଥିବାରୁ ମାନସିକ ଭାରସାମ୍ୟ ହରାଇ ସେ ନିଜ ଦେହରେ ନିଆଁ ଲଗାଇ ଜଳନ୍ତା ଅବସ୍ଥାରେ ଅତିରିକ୍ତ ତହସିଲଦାରଙ୍କ ପାଖକୁ ଯିବାବେଳେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଦିବ୍ୟାଙ୍ଗ ବ୍ୟକ୍ତିଙ୍କ ନାମ ଜଗଦିଶ ଚୌହାନ ଓ ତାଙ୍କ ଶରୀରର ପ୍ରାୟ ୮୦ ପ୍ରତିଶତ ପୋଡି ଯାଇଥିବା କୁହାଯାଉଛି ।

ପୂର୍ବରୁ ଅନ୍ୟଜଣେ ଦିବ୍ୟାଙ୍ଗଙ୍କୁ ଯୋଗ୍ୟତା ଓ ଦକ୍ଷତା ସତ୍ତ୍ୱେ ସରକାରୀ ଚାକିରୀରେ ନିଯୁକ୍ତି ଦିଆ ନଯିବାରୁ ସେ ମଧ୍ୟ ଚରମ ପଦକ୍ଷେପ ନେବାକୁ ଧମକ ଦେଇଥିଲେ ଏବଂ ପ୍ରତିଫଳନ ସ୍ୱରୂପ ପ୍ରଶାସନ ଚେତି ତାଙ୍କୁ ନ୍ୟାୟ ଦେଇଥିଲା । ଏବେ ଏହି ଦିବ୍ୟାଙ୍ଗ ଅଧିକାରୀ ଜଣକ ଓଏଏସ୍‍ ଅଫିସର ଭାବେ ଭୁବନେଶ୍ୱରରେ ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି ।

ଦିବ୍ୟାଙ୍ଗମାନଙ୍କ ବିଭିନ୍ନ ସଂଘ ପକ୍ଷରୁ ଏଭଳି ମାଳ ମାଳ ଅଭିଯୋଗ ବାରମ୍ବାର ଆସୁଛି । ରାଜ୍ୟ ସରକାରଙ୍କ ‘୫-ଟି’ ଓ ‘ମୋ ସରକାର’ ବିଚାର ଧାରାରେ ବଞ୍ôଚତ ଦିବ୍ୟାଙ୍ଗମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ ଲାଗି ଦାବି ହେଉଛି ।

ସଂଘର ଜଣେ କର୍ମକର୍ତ୍ତା ଏକ ଉଦାହରଣ ଦେଇ କହିଛନ୍ତି ଯେ ସମସ୍ତ ଯୋଗ୍ୟତା ଓ ଦକ୍ଷତା ଥିବା ସତ୍ତ୍ୱେ ଅଣୁଶ୍ରବ ଗନ୍ତାୟନ ନାମକ ଜଣେ ଭିନ୍ନକ୍ଷମ ଯୁବକଙ୍କୁ ଚାକିରିରେ ନିଯୁକ୍ତି ନଦେଇ ତାଙ୍କଠାରୁ ଢେର କମ୍‍ ନମ୍ବର ରଖିଥିବା ପ୍ରାର୍ଥୀଙ୍କୁ କର୍ତ୍ତୃପକ୍ଷ ଓଏଏସ୍‍ ପଦବୀରେ ନିଯୁକ୍ତି ଦେଇଥିଲେ । ଅଣୁଶ୍ରବଙ୍କ ପ୍ରତି ଅନ୍ୟାୟ କରାଯାଇଥିବା ଘେନି ମୁଖ୍ୟ ଶାସନ ସଚିବ, ସାଧାରଣ ପ୍ରଶାସନ ବିଭାଗ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ବାରମ୍ବାର ସ୍ୱୀକାର କରିବା ସହ ଯୋଗ୍ୟତା ଆଧାରରେ ଉକ୍ତ ପ୍ରାର୍ଥୀଙ୍କ ନାମ ସାଧାରଣବର୍ଗଙ୍କ ତାଲିକାରେ ସାମିଲ କରି ପଠାଇବାକୁ ୪ବର୍ଷ ଧରି ବାରମ୍ବାର ଲୋକସେବା ଆୟୋଗଙ୍କୁ କୁହାଯାଉଥିଲେ ବି ଏଯାବତ୍‍ ତାଙ୍କୁ ନ୍ୟାୟ ମିଳିନାହିଁ ।

ସାଧାରଣବର୍ଗର ଏହି ଭିନ୍ନକ୍ଷମ ପ୍ରାର୍ଥୀଙ୍କ ବୟସ ମାତ୍ର ୨୫ବର୍ଷ ଓ ସେ ଦ୍ୱିତୀୟ ଥର ପାଇଁ ଓଡିଶା ସିଭିଲ୍‍ ସର୍ଭିସ୍‍ ପରୀକ୍ଷା ଦେଇ ପ୍ରିଲିମ୍‍ନାରୀ ଓ ଲିଖିତ ପରୀକ୍ଷାରେ କୃତକାର୍ଯ୍ୟ ହେବାପରେ ତାଙ୍କର କାଗଜପତ୍ର ତନଖି କରି ଏହା ସଠିକ୍‍ ଥିବା ଜାଣିବା ପରେ ତାଙ୍କୁ ମୌଖିକ ପରୀକ୍ଷାକୁ ଡକାଯାଇଥିଲା । ଏହି ଭିନ୍ନକ୍ଷମ ପ୍ରାର୍ଥୀ ୧୩୬୫ନମ୍ବର ରଖିଥିବାବେଳେ ତାଙ୍କୁ ଚାକିରି ନଦେଇ ତାଙ୍କଠାରୁ ଢେର୍‍ କମ ନମ୍ବର ରଖିଥିବା ଅଣସଂରକ୍ଷିତ ଓ ଅନ୍ୟ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯାଇଛି ।

ଏଭଳି ନିଯୁକ୍ତି ବେଆଇନ ଥିବାରୁ ସେମାନଙ୍କ ଚାକିରି ଚାଲିଯିବା ଆଶଙ୍କା କରି ଇତିମଧ୍ୟରେ କେତେକ ଚାକିରିରୁ ଇସ୍ତଫା ଦେଇ ଅନ୍ୟତ୍ର ଚାଲିଯାଇଛନ୍ତି । ଏହାସତ୍ତ୍ୱେ ବି, ୪ବର୍ଷ ଧରି ଅଣୁଶ୍ରବଙ୍କୁ ନିଯୁକ୍ତି ନଦେଇ ଆଉ ତିନୋଟି ତଳବ୍ୟାଚ୍‍ର କୃତୀ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆସରିଲାଣି ।

କର୍ତ୍ତୃପକ୍ଷଙ୍କ ଏଭଳି ଆଚରଣ ଭିନ୍ନକ୍ଷମଙ୍କ ପାଇଁ ଥିବା କେକନ୍ଦ୍ରୀୟ ଆଇନ, ସାମ୍ବିଧାନିକ ବ୍ୟବସ୍ଥା ଓ ରାଜ୍ୟ ସରକାରଙ୍କ ସଂଶୋଧିତ ସଙ୍କଳ୍ପର ବିରୁଦ୍ଧାଚରଣ କରୁଛି । ଉଚ୍ଚ ପଦପଦବୀରେ ଥିବା ପଦାଧିକାରୀମାନେ ଭିନ୍ନକ୍ଷମଙ୍କ ପ୍ରସଙ୍ଗରେ ଟିକିଏ ସମ୍ବେଦନଶୀଳ ହେଲେ ଦୟା ନୁହେଁ ଦକ୍ଷତା ବଳରେ ଅନେକ ଭିନ୍ନକ୍ଷମ ନ୍ୟାୟ ପାଇପାରିବେ ବୋଲି ସଂଘର ଜଣେ କର୍ମକର୍ତ୍ତା କହିଛନ୍ତି । (ତଥ୍ୟ)