Home Administration ଦାୟିତ୍ୱ ଗ୍ରହଣ କଲେ ଅନୁ ଗର୍ଗ

ଦାୟିତ୍ୱ ଗ୍ରହଣ କଲେ ଅନୁ ଗର୍ଗ

ଭୁବନେଶ୍ୱର : ଓଡ଼ିଶା ପ୍ରାଶାସନିକ ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେଛନ୍ତି ୧୯୯୧ ବ୍ୟାଚ୍‍ର ବରିଷ୍ଠ ଆଇଏଏସ ଅଫିସର ଅନୁ ଗର୍ଗ । ପୂର୍ବତନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଠାରୁ ଆଜି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଶ୍ରୀମତୀ ଗର୍ଗ । ନୂଆବର୍ଷ ଠାରୁ ସେ ବିଧିବଦ୍ଧ ଭାବେ କାର୍ଯ୍ୟ ଆରମ୍ଭ କରିବେ । ମୁଖ୍ୟ ଶାସନ ସଚିବ ଭାବେ ଅନୁଙ୍କ ସାମ୍ନାରେ ରହିବ ଅନେକ ଚ୍ୟାଲେଞ୍ଜ ।

ଅନୁ ଗର୍ଗ ନୂଆ ଦାୟିତ୍ୱ ନେବା ପୂର୍ବରୁ ହିଁ ପାୱାର କରିଡରରେ ଆରମ୍ଭ ହୋଇଛି ହଲଚଲ । କିଛି ବରିଷ୍ଠ ଆଇଏଏସ ଅଫିସରଙ୍କୁ ପଦୋନ୍ନତି ସହ ବଡ ଧରଣର ଅଦଳବଦଳ ନେଇ ସଂକେତ ମିଳିଛି । ପ୍ରାଶାସନିକ ମଙ୍ଗ ଧରିବା ପରେ ନୂଆ ଟିମ୍ ଗଠନର ଚାଲିଛି ଅଙ୍କକଷା । କାହାକୁ ଭରଷିବେ ଅନୁ ତାହାକୁ ନେଇ ଜିଲ୍ଲାସ୍ତରରୁ ତୃତୀୟ ମହଲା ଯାଏଁ ଭିନ୍ନ ଭିନ୍ନ ଚର୍ଚ୍ଚା ।

ଅନ୍ୟପଟେ ଲୋକଙ୍କ ସରକାରରେ ଲୋକଙ୍କ ପାଇଁ ଟିମ୍ ୱର୍କ ହୋଇ କାମ କରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା । ମୋହନ ସରକାରଙ୍କ ଭାବମୂର୍ତ୍ତି ସଜାଡିବା ଏବଂ ସରକାରଙ୍କ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ ମନୋଜ । ତେଣୁ ଏହି ଧାରାକୁ ବଜାୟ ରଖିବା ଅନୁଙ୍କ ପାଇଁ ସାଜିବ ବଡ ଆହ୍ବାନ ।

ଦାୟିତ୍ୱ ନେବା ପରେ ଅନୁ ଗର୍ଗ କହିଛନ୍ତି ଏଇଟା ମୋ ପାଇଁ ବହୁତ ବଡ଼ ଦାୟିତ୍ୱ ଆଉ ସୁଯୋଗ। ଆଇଏଏସ ଯୋଗ ଦେବା ବେଳେ ସମସ୍ତଙ୍କ ସ୍ବପ୍ନ ଥାଏ ରାଜ୍ୟର କେମିତି ଉନ୍ନତି ଓ ପ୍ରଗତି କରିବୁ। ତେଣୁ ଏହା ବହୁତ ବଡ଼ ସୁଯୋଗ। ରାଜ୍ୟ ସରକାର ସୁନ୍ଦର ଭିଜନ ଡକ୍ୟୁମେଣ୍ଟ ୨୦୨୬ ବନେଇଛନ୍ତି। ସ୍ବପ୍ନର ଓଡିଶା ଗଠନ କରିବା ତାଙ୍କର ପ୍ରଥମ କର୍ତ୍ତବ୍ୟ ବୋଲି ସେ କହିଛନ୍ତି।