Home General ଦାରିଦ୍ର୍ୟ ହ୍ରାସ ସତ୍ୱେ ମାଳ ମାଳ ମାଗଣା ଯୋଜନା

ଦାରିଦ୍ର୍ୟ ହ୍ରାସ ସତ୍ୱେ ମାଳ ମାଳ ମାଗଣା ଯୋଜନା

ଭୁବନେଶ୍ୱର : ଖାଦ୍ୟ ସୁରକ୍ଷା ଯୋଜନାରେ ଓଡିଶାରେ ଏବେ ୩କୋଟି ୩୫ଲକ୍ଷ ରୁ ଅଧିକ ଲୋକ ଉପକୃତ ହେଉଥିବାବେଳେ ସୁଭଦ୍ରା ଯୋଜନାରେ ପ୍ରାୟ କୋଟିଏ ମହିଳାଙ୍କୁ ଆର୍ଥିକ ସହାୟତା ଦେବାପାଇଁ ଯେଉଁ ଅଭିଯାନ ଆରମ୍ଭ ହୋଇଛି ତାହା ସଫଳ ହେଲେ ସେମାନଙ୍କ ପରିବାରର ୩କୋଟିରୁ ଅଧିକ ଲୋକ ଉପକୃତ ହେବେ ।

ଓଡିଶାରେ ଦାରିଦ୍ର‌୍ୟ କମିଛି ବୋଲି ସରକାରୀ ପରିସଂଖ୍ୟାନରେ କୁହାଯାଉଥିବାବେଳେ ୩କୋଟି ୩୫ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ମାଗଣା ଚାଉଳ ବ୍ୟବସ୍ଥା କରାଯାଇଥିବା ପରିପ୍ରେକ୍ଷୀରେ ଏହି ପରିସଂଖ୍ୟାନ ପ୍ରତି ଅର୍ଥନୀତି ବିଶାରଦମାନେ ସନ୍ଦେହ ପ୍ରକଟ କରୁଛନ୍ତି ।

ଓଡିଶାରେ ଏବେ ବାର୍ଦ୍ଧକ୍ୟଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଓ ମଧୁବାବୁ ପେନସନ ଯୋଜନାରେ ପ୍ରାୟ ୫୭ଲକ୍ଷ ଲୋକ ଉପକୃତ ହେଉଛନ୍ତି । ଏଥିରୁ କେନ୍ଦ୍ରୀୟ ଯୋଜନାରେ ପ୍ରାୟ ୨୦ଲକ୍ଷ ଲୋକ ସାମିଲ ହୋଇଥିବାବେଳେ ରାଜ୍ୟ ଯୋଜନାରେ ପ୍ରାୟ ୩୭ଲକ୍ଷ ଲୋକ ଭତ୍ତା ପାଉଛନ୍ତି । ଏଥିଯୋଗୁଁ ପ୍ରାୟ ୫୦ଲକ୍ଷ ପରିବାର ମଧ୍ୟ ଉପକୃତ ହେଉଛନ୍ତି ।

ଚଳିତ ମାସ ୧୭ତାରିଖରେ ଓଡିଶାରେ ଉଦଘାଟିତ ହେବାକୁ ଯାଉଥିବା ସୁଭଦ୍ରା ଯୋଜନାରେ ହିତାଧିକାରୀଙ୍କୁ ୫ବର୍ଷରେ ୫୦ହଜାର ଟଙ୍କାର ସହାୟତା ରାଶି ମିଳିବ । ଏଥିରେ ବି ୭୦ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହେବେ ବୋଲି କୁହାଯାଉଛି । ଏହାଛଡା ରାଜ୍ୟରେ ଏବେ ମିଶନ ଶକ୍ତି କାର୍ଯ୍ୟକ୍ରମରେ ପ୍ରାୟ ୭୦ଲକ୍ଷ ମହିଳା ସାମିଲ ଅଛନ୍ତି । ଏହି ଯୋଜନାରେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠିଗୁଡିକୁ ବିପୁଳ ପରିମାଣର ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।

କୃଷି ଓ କୃଷକଙ୍କ ବିକାଶ ପାଇଁ ଅତୀତରେ ପିଏମକିଷାନ ଓ ରାଜ୍ୟ ସରକାରଙ୍କ କାଳିଆ ଯୋଜନା ମାଧ୍ୟମରେ କୃଷକମାନଙ୍କ ଖାତାକୁ ପ୍ରୋତ୍ସାହନ ରାଶି ଯାଉଥିଲା । ଆଜି ରାଜ୍ୟ ସରକାର ଆରମ୍ଭ କରିଥିବା ସିଏମକିଷାନ ଯୋଜନାରେ ୪୬ଲକ୍ଷ କୃଷକ ଉପକୃତ ହେବେ ବୋଲି କୁହାଯାଉଛି । ଏହାଛଡା ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ୫ଟଙ୍କିଆ ଆହାର କାର୍ଯ୍ୟକ୍ରମ ମଧ୍ୟ ଚାଲୁଛି । କେବଳ ସେତିକି ନୁହେଁ ପ୍ରାୟ ୪୦ଲକ୍ଷ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ମାଗଣାରେ ମଧ୍ୟାହ୍ନଭୋଜନ ଦିଆଯାଉଥିବାବେଳେ ୫ବର୍ଷରୁ କମ୍‍ ବୟସର ଶିଶୁମାନଙ୍କୁ ଅଙ୍ଗନବାଡି କେନ୍ଦ୍ର ମାଧ୍ୟମରେ ପୁଷ୍ଟିକର ଖାଦ୍ୟ ଓ ଗର୍ଭବତୀ ମହିଳାମାନଙ୍କୁ ମଧ୍ୟ ଔଷଧ ଓ ଖାଦ୍ୟ ଯୋଗାଣର ବ୍ୟବସ୍ଥା ଅଛି ।

ଓଡିଶାରେ ଚିକିତ୍ସା ପାଇଁ କେବଳ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ମାସିକ ପ୍ରାୟ ୨୨୫ କୋଟି ଟଙ୍କା ରାଜ୍ୟ ସରକାର ଖର୍ଚ୍ଚ କରୁଛନ୍ତି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହେବାପରେ ଏହି ପରିମାଣ ଢେର ବଢିଯିବ । କେବଳ ଶିକ୍ଷା, ସ୍ୱାସ୍ଥ୍ୟ ଓ ପୁଷ୍ଟିସାଧନ ନୁହେଁ, ମାଗଣାରେ ବିଦ୍ୟୁତ୍‍ ଯୋଗାଣ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ବିଜୁଳି ଯୋଜନା ମାଧ୍ୟମରେ ଘରେ ଘରେ ସୌରଶକ୍ତି ଉତ୍ପାଦନ ପାଇଁ ବିପୁଳ ଆର୍ଥିକ ସହାୟତାର ବନ୍ଦୋବସ୍ତ କରାଯାଉଛି ।

ଆବାସ ଯୋଜନାରେ ଗାଁରୁ ସହର ପର୍ଯ୍ୟନ୍ତ ମାଗଣାରେ ଘର ଠାରୁ ଆରମ୍ଭ କରି ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ପାଇଖାନା ନିର୍ମାଣ ପାଇଁ ବି ସହାୟତା ମିଳୁଛି । ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଛାତ୍ରଛାତ୍ରୀଙ୍କ ପାଠପଢା ପାଇଁ ମଧ୍ୟ ବିପୁଳ ଅର୍ଥ ରାଜକୋଷରୁ ଯାଉଛି । କୃଷକମାନଙ୍କୁ କୃଷି ସାମଗ୍ରୀ କିଣିବା ଲାଗି ମଧ୍ୟ ବିପୁଳ ସରକାରୀ ସହାୟତା ଦିଆଯାଉଛି । ଏସଏସଏମଇ କ୍ଷେତ୍ରରେ ବି ସରକାରୀ ପ୍ରୋତ୍ସାହନ ରହିଛି । ଏସବୁ ସତ୍ୱେ ଗ୍ରାମାଞ୍ଚଳରେ ବର୍ଷକୁ ବର୍ଷ ଅଧିକ ଅଧିକ ପରିମାଣର ଚାଷଜମି ପଡିଆ ପଡିବା ସହିତ ବେକାରୀ, ବେରୋଜଗାରୀ, ମୂଲ୍ୟବୃଦ୍ଧି, ବିଭିନ୍ନ ସାମଗ୍ରୀ ପାଇଁ ନିର୍ଭରଶୀଳତା ଆଦି ପ୍ରମୁଖ ପ୍ରସଙ୍ଗ ହୋଇ ରହିଛି । (ତଥ୍ୟ)