Home General ଦାରା ସିଂ ମୁକ୍ତି ପାଇଁ ଉଦ୍ୟମ ଜାରି

ଦାରା ସିଂ ମୁକ୍ତି ପାଇଁ ଉଦ୍ୟମ ଜାରି

ଭୁବନେଶ୍ୱର : ଗ୍ରାହମ ଷ୍ଟେନ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରବୀନ୍ଦ୍ର ପାଲ୍‍ ଓରଫ ଦାରା ସିଂ କାରାମୁକ୍ତ ହେବାପାଇଁ ଉଦ୍ୟମ ଜାରି ରଖିଛନ୍ତି । ଏ ସଂକ୍ରାନ୍ତରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଆବେଦନ କରିବା ସହିତ ସେ ସୁପ୍ରିମକୋର୍ଟରେ ମାମଲା ଲଢୁଛନ୍ତି । ଆସନ୍ତା ମାସରେ ତାଙ୍କ ମାମଲାର ଶୁଣାଣି ହୋଇପାରେ ।

ଏଠାରେ ଉଲ୍ଲେଖନୀୟ ଯେ ୨୫ବର୍ଷ ତଳେ ଅଷ୍ଟ୍ରେଲୀୟ ଧର୍ମ ପ୍ରଚାରକ ଗ୍ରାହମ ଷ୍ଟେନ ଓ ତାଙ୍କର ଦୁଇ ଶିଶୁପୁତ୍ର ଗାଡିରେ ରାତିରେ ଶୋଇଥିବାବେଳେ ସେମାନଙ୍କୁ ଜୀଅନ୍ତା ପୋଡି ମାରିଦିଆଯାଇଥିଲା । ଏହି ଘଟଣା ସେ ସମୟରେ କେବଳ ଓଡିଶାରେ ନୁହେଁ, ଦେଶ ବିଦେଶରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିଲା । ବିଶେଷକରି ମୟୁରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ଏହା ସେତେବେଳେ ଆଲୋଡନ ସୃଷ୍ଟି କରିଥିଲା ।

ଏହି ହତ୍ୟା ମାମଲାରେ ଦାରା ସିଂ ସମେତ ଆଉ କେତେଜଣଙ୍କୁ ଗିରଫ କରାଯାଇଥିଲା । ଏବେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିମାନେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ଦାରାର ଜଣେ ସହ ଅପରାଧି ମହେନ୍ଦ୍ର ହେମ୍ବ୍ରମ ପ୍ରତି ଇତି ମଧ୍ୟରେ କୋହଳ ମନୋଭାବ ପୋଷଣ କରାଯାଇ ଜେଲରେ ତାହାର ଆଚରଣରେ ସନ୍ତୋଷ ପ୍ରକାଶ କରି କର୍ତ୍ତୃପକ୍ଷ ତାକୁ ମୁକ୍ତ କରିଛନ୍ତି । ଏହି ପ୍ରକ୍ରିୟାରୁ ଦାରା ମଧ୍ୟ ଫାଇଦା ଉଠାଇପାରେ ବୋଲି ଆଇନ୍‍ଜୀବୀମାନେ ମତବ୍ୟକ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଯେଉଁମାନେ ଆଜୀବନ କିମ୍ବା ଦୀର୍ଘ କାରାଦଣ୍ଡ ଭୋଗୁଛନ୍ତି ସେମାନଙ୍କ ଜେଲ୍‍ ଜୀବନରେ ସଂସ୍କାର ଓ ଶୃଙ୍ଖଳା ଆସିଥିଲେ ତାହାକୁ ବିଚାର କରି ସମ୍ପୃକ୍ତ କମିଟିଙ୍କ ସୁପାରିଶ୍‍ ଆଧାରରେ ଆଗୁଆ କାରାମୁକ୍ତ କରିବାଲାଗି ବ୍ୟବସ୍ଥା ରହିଛି । ଏହା ଆଧାରରେ ଅନେକ ଦୋଷୀ ଓଡିଶା ସମେତ ବିଭିନ୍ନ ରାଜ୍ୟରେ କାରାମୁକ୍ତ ହେବାର ନଜିର ରହିଛି ।

ଦିଲ୍ଲୀର ଏକ ଦୌରାକୋର୍ଟ ଦ୍ୱାରା ଆଜୀବନ କାରାଦଣ୍ଡ ଭୋଗୁଥିବା ମନୁ ଶର୍ମା ନାମକ ଜଣେ ଅପରାଧିକୁ ଏହି ଆଧାରରେ ପୂର୍ବରୁ ଖଲାସ କରାଯାଇଛି । ମନୁ ଶର୍ମା ଜଣେ ବ୍ୟବସାୟୀଙ୍କ ପୁଅ ଓ ସେ ଏକ ବାର୍‍ରେ ଜେସିକା ଲାଲ୍‍ ନାମ୍ନୀ ଜଣେ ମଡେଲଙ୍କୁ ଗୁଳିକରି ହତ୍ୟା କରିଥିଲେ । ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ଗୁଜୁରାଟ ଆଦି ବିଭିନ୍ନ ରାଜ୍ୟରେ ଏଭଳି ବହୁ ଦଣ୍ଡିତ ଅପରାଧି ସରକାରଙ୍କ କ୍ଷମା ନୀତିରୁ ଫାଇଦା ଉଠାଇଛନ୍ତି ।

ତେବେ ଗୁଜୁରାଟର ବିଲ୍‍ କିସ୍‍ ବାନୁ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୧୧ଜଣ ଅପରାଧିଙ୍କୁ ଏହି ଯୋଜନାରେ ସରକାର କାରାମୁକ୍ତ କରିବାପରେ ପୀଡିତା ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହେବାରୁ ପୁଣି ସେମାନଙ୍କୁ କାରାଗାରକୁ ଫେରିବାକୁ ପଡିଛି । ଏଭଳି ଘଟଣା ଦୃଷ୍ଟିରୁ ଦାରା ସିଂର ମୁକ୍ତି ସଂକ୍ରାନ୍ତରେ ଓଡିଶା ସରକାର କି ପଦକ୍ଷେପ ଗ୍ରହଣ କରିବେ ସେଥିଘେନି ବିଭିନ୍ନ ମହଲ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଦାରା ସିଂ ପକ୍ଷରୁ ସୁିପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଯାଚିକାରେ ସେ ଯୁବକ ଅବସ୍ଥାରେ ଘଟାଇଥିବା ଏଭଳି ଅପରାଧ ଘେନି ଅନୁତପ୍ତ ଏବଂ ଏବେ ସେ ବାର୍ଦ୍ଧକ୍ୟରେ ଉପନୀତ ହୋଇଥିବା ଦର୍ଶାଇଛି । ରାଜ୍ୟ ସରକାରଙ୍କ ୨୦୨୨ର ବନ୍ଦୀମୁକ୍ତି ନୀତି ଆଧାରରେ ତାକୁ କାରାମୁକ୍ତ କରିବାଲାଗି ଦାରା ପକ୍ଷରୁ ସର୍ବୋଚ୍ଚ ଅଦାଲତଙ୍କ ନିକଟରେ ନିବେଦନ କରାଯାଇଥିବାବେଳେ ଏ ପ୍ରସଙ୍ଗରେ ପୂର୍ବରୁ ସୁପ୍ରିମକୋର୍ଟ ରାଜ୍ୟ ସରକାରଙ୍କ ମତାମତ ସତ୍ୟପାଠ ଆକାରରେ ଜାଣିବାକୁ ଚାହିଁଛନ୍ତି । ତେବେ ଦାରା ସିଂ କାରାମୁକ୍ତ ହେବ କି ନାହିଁ ତାହା ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ଓ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ ବୋଲି କୁହାଯାଉଛି । (ତଥ୍ୟ)