ଭୁବନେଶ୍ୱର : ପଦ୍ମ ଘୁଞ୍ଚି ଘୁଞ୍ଚି ଯିବାଭଳି କାରାଗାରର କାଳକୋଠରୀରେ ପ୍ରାୟ ୨୫ବର୍ଷ ଧରି ସମୟ କାଟୁଥିବା ଦାରା ସିଂର ମୁକ୍ତି ଆଶା ବି ଘୁଞ୍ଚି ଘୁଞ୍ଚି ଯାଉଛି ।
୧୯୯୯ ଜାନୁଆରୀ ୨୧ତାରିଖ ରାତିରେ ରବୀନ୍ଦ୍ର ପାଲ ଓରଫ ଦାରା ସିଂ ଓ ତାହାର ସହଯୋଗୀମାନେ କେନ୍ଦୁଝର ଜିଲ୍ଲାର ମନୋହରପୁର ଠାରେ ଅଷ୍ଟ୍ରେଲୀୟ ମିଶନାରୀ ଗ୍ରାହାମ ଷ୍ଟେନ ଏବଂ ତାଙ୍କ ଦୁଇ ନାବାଳକ ଶିଶୁପୁତ୍ର ଫିଲିପ୍ ଓ ତିମୋଥିଙ୍କୁ ଜୀଅନ୍ତା ପୋଡି ହତ୍ୟା କରିଥିଲେ । ଏହି ଭୟଙ୍କର ଅପରାଧରେ ମୁଖ୍ୟ ଅଭିଯୁକ୍ତ ଦାରା ପ୍ରାୟ ବର୍ଷେ କାଳ ଫେରାର ହୋଇ ରହିବାପରେ ୨୦୦୦ ଜାନୁଆରୀରେ ପୁଲିସ୍ ହାତରେ ଧରାପଡିଥିଲା । ଏହାଛଡା ଉକ୍ତ ହତ୍ୟାକାଣ୍ଡରେ ସମ୍ପୃକ୍ତ ଆଉ କେତେକ ବ୍ୟକ୍ତି ମଧ୍ୟ ଗିରଫ ହୋଇଥିଲେ ।
୨୦୦୩ ସେପ୍ଟେମ୍ବର ମାସରେ ଭୁବନେଶ୍ୱର ସ୍ଥିତ ସିବିଆଇର ସ୍ୱତନ୍ତ୍ର ଅଦାଲତ ଦାରାକୁ ମୃତ୍ୟୁ ଦଣ୍ଡାଦେଶରେ ଦଣ୍ଡିତ କରିବା ସହିତ ଆଉ ୧୨ଜଣଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ୨୦୦୫ ମସିହାରେ ଓଡିଶା ହାଇକୋର୍ଟ ଦାରା ସିଂର ମୃତ୍ୟୁ ଦଣ୍ଡକୁ ଆଜୀବନ କାରାଦଣ୍ଡରେ ବଦଳାଇଥିଲେ । ଏହାଛଡା ଆଜୀବନ କାରାଦଣ୍ଡ ପାଇଥିବା ଅନ୍ୟ ୧୨ଜଣଙ୍କ ମଧ୍ୟରୁ ୧୧ଜଣଙ୍କୁ ଖଲାସ କରିଦେବା ସହିତ କେବଳ ଅନ୍ୟତମ ଦୋଷୀ ମହେନ୍ଦ୍ର ହେମ୍ବ୍ରମଙ୍କ ଆଜୀବନ କାରାଦଣ୍ଡାଦେଶକୁ ଉଚ୍ଚ ନ୍ୟାୟାଳୟ କାଏମ ରଖିଥିଲେ ।
ଇତି ମଧ୍ୟରେ ଓଡିଶା ସରକାରଙ୍କ ନିଷ୍ପତ୍ତି ମୁତାବକ ମହେନ୍ଦ୍ର ହେମ୍ବ୍ରମକୁ କାରାମୁକ୍ତ କରାଯାଇଛି । ଜେଲରେ ସେ ଉତ୍ତମ ବ୍ୟବହାର ପ୍ରଦର୍ଶନ କରିବା ସହିତ ଜୀବନଶୈଳୀରେ ପରିବର୍ତ୍ତନ ଆଣିଥିବା ଦର୍ଶାଇ ରାଜ୍ୟ ସରକାରଙ୍କ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡର ସୁପାରିଶ ମୁତାବକ ମହେନ୍ଦ୍ର କାରାମୁକ୍ତ ହୋଇଛନ୍ତି ।
ତେବେ ମୁଖ୍ୟ ଅଭିଯୁକ୍ତ ଦାରା ସିଂ ଏବେ ବି କାରାମୁକ୍ତ ହୋଇପାରୁ ନାହାନ୍ତି । ଯୁବକ ଅବସ୍ଥାରେ ଦାରା ଯେଉଁ ଅପରାଧ ଘଟାଇଥିଲେ ସେଥିପାଇଁ ଏବେ ବାର୍ଦ୍ଧକ୍ୟ କାଳରେ ଅନୁତାପ କରୁଛନ୍ତି । ଏ ସମ୍ପର୍କରେ ମଧ୍ୟ ସେ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି । କିନ୍ତୁ ତାଙ୍କ ଗୁହାରି ଗତ ସରକାର ସମୟରେ ଶୁଣାଯାଇ ନଥିଲା । ତେଣୁ ସେ ୨୦୨୪ ଜୁଲାଇରେ ତାଙ୍କ ମୁକ୍ତି ପାଇଁ ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଛନ୍ତି ।
ଏହି ମାମଲା ସୁପ୍ରିମକୋର୍ଟରେ ବାରମ୍ବାର ଶୁଣାଣି ପାଇଁ ଆସୁଛି । ଏଥିରେ ପକ୍ଷ ରଖିିବାଲାଗି ରାଜ୍ୟ ସରକାର ଓ ସିବିଆଇକୁ ସୁପ୍ରିମକୋର୍ଟ ସୁଯୋଗ ଦେଇଛନ୍ତି । ତେବେ ବାରମ୍ବାର ଓଡିଶା ସରକାରଙ୍କ ପକ୍ଷରୁ ଏହି ମାମଲାରେ ସମୟ ନିଆଯାଉଛି । ନିକଟରେ ଏହି ମାମଲା ବିଚାରପାଇଁ ଆସିଥିବାବେଳେ ରାଜ୍ୟ ସରକାର ଅଧିକ ସମୟ ମାଗିବାରୁ ସର୍ବୋଚ୍ଚ ନ୍ୟାୟାଳୟ ଏହି ମାମଲାର ପରବର୍ତ୍ତୀ ତାରିକ ଅକ୍ଟୋବର ମାସକୁ ଧାର୍ଯ୍ୟ କରିଛନ୍ତି ।
ଓଡିଶା ସରକାରଙ୍କ ସେଣ୍ଟେନ୍ସ ରିଭ୍ୟୁ ବୋର୍ଡ ଏ ପ୍ରସଙ୍ଗରେ କ’ଣ ସୁପାରିଶ୍ କରୁଛନ୍ତି ତାହା ଉପରେ ଦଳ ମତ ନିର୍ବିଶେଷରେ ସମସ୍ତଙ୍କର ନଜର ରହିଛି । ଜଣେ ଅଷ୍ଟ୍ରେଲୀୟ ମିଶନାରୀ ଏବଂ ତାଙ୍କର ୧୦ ଓ ୬ବର୍ଷ ବୟସର ଦୁଇ ପୁଅଙ୍କୁ ଗାଡି ସହ ଜାଳି ଦେଇଥିବା ଘଟଣା ୧୯୯୯ ମସିହାରେ ମହାବାତ୍ୟା ଭଳି ଦେଶ ବିଦେଶରେ ଚର୍ଚ୍ଚାର ବିଷୟ ହୋଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ଦାରା ସିଂ ସପକ୍ଷରେ କେତେକ ଗୋଷ୍ଠି ସ୍ୱର ଉତ୍ତୋଳନ କରି ତାଙ୍କୁ କାରାମୁକ୍ତ କରିବାପାଇଁ ଦାବି ଉଠାଇଥିଲେ । ଏ ସଂକ୍ରାନ୍ତରେ ରାଜ୍ୟ ସରକାର ମାପି ଚୁପି ନିଷ୍ପତ୍ତି ନେବାର ସମ୍ଭାବନା ଥିବାରୁ ଦାରା ମୁକ୍ତ ହେବ କି ନାହିଁ ତାହା ଏବେ ପ୍ରଶ୍ନବାଚୀ । (ତଥ୍ୟ)