Home News in Odia ଦାବି କଲେ ସିବିଆଇ ତଦନ୍ତ

ଦାବି କଲେ ସିବିଆଇ ତଦନ୍ତ

ଭୁବନେଶ୍ୱର: ବହୁଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡ ଓ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କରିଛନ୍ତି ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର।

ବିଧାନସଭା ପରିସରରେ ଗଣମାଧ୍ୟମପ୍ରତିନିଧିଙ୍କୁ ଶ୍ରୀ ମିଶ୍ର କହିଛନ୍ତି, କନ୍ଧମାଳ ଜିଲ୍ଲାରେ ଥିବା ତାଙ୍କ ଆଶ୍ରମରେ କିଛି ଦୁର୍ବୃତ୍ତଙ୍କ ଗୁଳିରେ ପ୍ରାଣ ହରାଇଥିବା ସାଧୁ ଲକ୍ଷ୍ମଣାନନ୍ଦ ସ୍ୱରସ୍ୱତୀ ଓ ତତ୍କାଳୀନ ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ  ହତ୍ୟା ଘଟଣାର ସିବିଆଇ ତଦନ୍ତ ପାଇଁ ସେ ଦାବି କରୁଛନ୍ତି।

ଏହି ଦୁଇଟି ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବିରେ ଅଟଳ ରହିବି ବୋଲି ସମ୍ବଲପୁର ବିଧାୟକ କହିଛନ୍ତି।

ନୂଆ ବିଜେପି ସରକାରରେ ତାଙ୍କୁ କୌଣସି ପଦ ଦିଆଯାଇ ନଥିବାରୁ ସେ ଅସନ୍ତୁଷ୍ଟ କି ବୋଲି ପଚରାଯିବାରୁ ଶ୍ରୀ ମିଶ୍ର କହିଛନ୍ତି, ମୁଁ ଅସନ୍ତୁଷ୍ଟ ନୁହେଁ। ମୁଁ କାହିଁକି ଅସନ୍ତୁଷ୍ଟ ହେବି?”

ବିଜେପି ସରକାରଙ୍କ ଶପଥ ଗ୍ରହଣ ସମାରୋହରେ ଅନୁପସ୍ଥିତ ରହିବା ସମ୍ପର୍କରେ ସେ କହିଛନ୍ତି, ଯେତେବେଳେ ମୁଁ ଶପଥ ନେବାର ନଥିଲା, ସେତେବେଳେ ମୁଁ କାହିଁକି ସେଠାକୁ ଯିବି?

ଯଦିଓ ସେ ଏହାକୁ ଅସ୍ୱୀକାର କରୁଥିଲେ ମଧ୍ୟ ଶ୍ରୀ ମିଶ୍ରଙ୍କ ଉତ୍ତର ସୂଚାଉଛି ଯେ ରାଜ୍ୟରେ ସରକାର ଗଠନ ନେଇ ବିଜେପି ନେତୃତ୍ୱଙ୍କ ନିଷ୍ପତ୍ତିରେ ସେ ଅସନ୍ତୁଷ୍ଟ ଅଛନ୍ତି।

ଗତ ବର୍ଷ ଜାନୁଆରି ୨୯ ତାରିଖରେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗରରେ ଜଣେ ପୁଲିସ କର୍ମୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିଲେ ଏବଂ ଘଟଣାର ଗୋଟିଏ ଦିନ ପରେ ଭୁବନେଶ୍ୱର ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ଘଟିଥିଲା।

୨୦୧୯ରୁ ସେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଥିଲେ। ସେ ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ୩ ଥର ବିଧାୟକ ହୋଇଥିବା ବେଳେ ଅଞ୍ଚଳର ଜଣେ ପ୍ରଭାବଶାଳୀ ନେତା ବୋଲି କୁହାଯାଉଛି।

ସୂଚନାଯୋଗ୍ୟ, ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କୁ ୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ ଦୁର୍ବୃତ୍ତମାନେ ହତ୍ୟା କରିଥିଲେ। ସରସ୍ୱତୀଙ୍କ ହତ୍ୟା ପରେ ଏକ ମାସ ଧରି ଚାଲିଥିବା ଏହି ଦଙ୍ଗାରେ ଅତି କମରେ ୩୮ ଜଣଙ୍କ ମୃତ୍ୟୁ ଘଟିଥିଲା ।