Home General ଦାଦନ ସମସ୍ୟା ସମାଧାନ ପାଇଁ ଟାସ୍କଫୋର୍ସ

ଦାଦନ ସମସ୍ୟା ସମାଧାନ ପାଇଁ ଟାସ୍କଫୋର୍ସ

ଭୁବନେଶ୍ଵର: ଦାଦନ ସମସ୍ୟାର ସମାଧାନ ପାଇଁ ସାମଗ୍ରିକ ପଦକ୍ଷେପ ନେବାକୁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଗଠନ କରିଛନ୍ତି।

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଥିବା ବେଳେ ଆଉ ଜଣେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବିନାରାୟଣ ନାୟକ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ସମ୍ପୃକ୍ତ ବିଭାଗର ସଚିବଙ୍କୁ ଏହି ଟାସ୍କ ଫୋର୍ସର ସଦସ୍ୟ ଭାବେ ନିଯୁକ୍ତି ଦିଆଯାଇଛି।

ଏହି ଉଚ୍ଚସ୍ତରୀୟ ଟାସ୍କଫୋର୍ସ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା କରି ବିପର୍ଯ୍ୟୟ ଜନିତ ସ୍ଥାନାନ୍ତରକୁ ରୋକିବା ସହ ସମସ୍ୟାର ସମାଧାନ ପାଇଁ କାର୍ଯ୍ୟପନ୍ଥା ସ୍ଥିର କରିବ। ଏଥିସହ ଓଡ଼ିଶାର ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ ବିଭିନ୍ନ ସରକାରୀ ଏଜେନ୍ସି ଦ୍ୱାରା ପଦକ୍ଷେପ ନେବାକୁ ସୁପାରିସ କରାଯିବ।

ଟାସ୍କ ଫୋର୍ସର ସଚିବାଳୟ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗରେ ରହିବ। ଅଗ୍ରଗତି ର ସମୀକ୍ଷା ପାଇଁ ଟାସ୍କ ଫୋର୍ସ ୬ ମାସରେ ଅତି କମରେ ଥରେ ବୈଠକ କରିବ ।

ଏହି ଟାସ୍କ ଫୋର୍ସ ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଜାତୀୟ/ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ କିଛି ବିଶେଷଜ୍ଞ ସଦସ୍ୟଙ୍କୁ ସହଯୋଗ କରିପାରେ। ଶିକ୍ଷାବିତ୍, ଉନ୍ନୟନ ଅଧ୍ୟାପକ, ଜାତିସଂଘ ଏଜେନ୍ସି ପ୍ରତିନିଧି ଇତ୍ୟାଦିଙ୍କୁ ମଧ୍ୟ ଏଥିରେ ସାମିଲ କରାଯାଇପାରିବ। ଏଭଳି ସଦସ୍ୟମାନଙ୍କୁ ଆବଶ୍ୟକତା ଭିତ୍ତିରେ ବୈଠକରେ ଯୋଗଦେବା ପାଇଁ ଅବଗତ କରାଯିବ।

ଏହି ଟାସ୍କ ଫୋର୍ସ ଅଞ୍ଚଳ ଭିତ୍ତିରେ ସ୍ଥାନାନ୍ତରର ସ୍ଥିତି ଯାଞ୍ଚ କରିବ ଏବଂ ଆବଶ୍ୟକ ନିର୍ଦ୍ଦିଷ୍ଟ ହସ୍ତକ୍ଷେପ ପାଇଁ ସୁପାରିସ କରିବ। ଏଥିରେ ଆଞ୍ଚଳିକ ଭିନ୍ନତା, ଋତୁଗତତା ଏବଂ ସ୍ଥାନାନ୍ତରର ବ୍ୟାପକତା ଉପରେ ମଧ୍ୟ ବିଚାର ବିମର୍ଶ କରାଯିବ ଏବଂ ବିପର୍ଯ୍ୟୟ ସ୍ଥାନାନ୍ତରକୁ ହ୍ରାସ କରିବା ପାଇଁ ରଣନୀତି ସୁପାରିଶ କରାଯିବ ଏବଂ ସମସ୍ୟାର ମୁକାବିଲା ପାଇଁ ପ୍ରଚଳିତ ଆଇନଗତ/ନୀତିଗତ ବ୍ୟବସ୍ଥାଗୁଡ଼ିକୁ ଅଧ୍ୟୟନ କରି ବିପର୍ଯ୍ୟୟ ସ୍ଥାନାନ୍ତର କୁ ହ୍ରାସ କରିବା ପାଇଁ ବିଭିନ୍ନ ବିଭାଗ ଦ୍ୱାରା କରାଯାଉଥିବା କାର୍ଯ୍ୟକଳାପ / ହସ୍ତକ୍ଷେପ ଏବଂ ଏହାର ଫଳପ୍ରଦତା ଉପରେ ବିଚାର ବିମର୍ଶ କରାଯିବ ।

ଏହି ସମସ୍ୟାର  ମୁକାବିଲା ପାଇଁ ଦକ୍ଷତା, ଋଣ ଉପଲବ୍ଧତା, ପରିବାରକୁ ଦାରିଦ୍ର୍ୟ ନିବାରଣ କାର୍ଯ୍ୟକ୍ରମ ସହିତ ଯୋଡ଼ିବା ଇତ୍ୟାଦି ମାଧ୍ୟମରେ ଭିତ୍ତିଭୂମି ସୃଷ୍ଟି ତଥା ରାଜ୍ୟ ଭିତରେ ଜୀବିକା ର ସୁଯୋଗ ସୃଷ୍ଟି ଦିଗରେ ବିଭିନ୍ନ ବିଭାଗ ପକ୍ଷରୁ ଆବଶ୍ୟକ ନିର୍ଦ୍ଦିଷ୍ଟ ପଦକ୍ଷେପ ଗ୍ରହଣ କରିବାକୁ ସୁପାରିସ କରିବାକୁ ଟାସ୍କଫୋର୍ସକୁ ଦାୟିତ୍ବ ଦିଆଯାଇଛି।

ଏଥିସହିତ ରାଜ୍ୟ ସରକାରଙ୍କ ଦ୍ୱାରା ଗ୍ରହଣ କରାଯିବାକୁ ଥିବା ଅତିରିକ୍ତ ଟାର୍ଗେଟ୍ ହସ୍ତକ୍ଷେପ/ଯୋଜନାଗୁଡ଼ିକୁ ସୁପାରିଶ କରାଯିବ ଏବଂ ସାମଗ୍ରିକ ଏବଂ ସ୍ଥାୟୀ ଉପାୟରେ ଏହି ସମସ୍ୟାର ମୁକାବିଲା ପାଇଁ ରାଜ୍ୟ, ଜିଲ୍ଲା, ବ୍ଲକସ୍ତରରେ ଆବଶ୍ୟକ ସଂସ୍ଥାଗତ ଢାଞ୍ଚା ପ୍ରଣୟନ କରିବାକୁ ପରାମର୍ଶ ଦିଆଯିବ।

ଏହି ସମସ୍ୟାଗୁଡ଼ିକର ପ୍ରଭାବଶାଳୀ ସମାଧାନ ପାଇଁ ଟାସ୍କ ଫୋର୍ସ ପ୍ରସ୍ତାବିତ ହସ୍ତକ୍ଷେପଗୁଡ଼ିକର ଫଳପ୍ରଦତା ରେ ଉନ୍ନତି ଆଣିବା ପାଇଁ ବିଶେଷଜ୍ଞ ଏଜେନ୍ସି, ନାଗରିକ ସମାଜ ଏବଂ ବୈଷୟିକ ସଂଗଠନମାନଙ୍କ ସହିତ ଭାଗିଦାରୀ ବିକଶିତ କରିବାର ଆବଶ୍ୟକତା ଉପରେ ବିଚାର ବିମର୍ଶ କରିବ ଏବଂ ଏହା ବ୍ୟତୀତ ଏହି ସମସ୍ତ ପଦକ୍ଷେପ ପାଇଁ ସମ୍ବଳର ଉପଲବ୍ଧତା ସୁନିଶ୍ଚିତ କରିବା ଏବଂ ପ୍ରବାସୀ ଶ୍ରମିକଙ୍କ ସମସ୍ୟାର ସମାଧାନ ପାଇଁ ଭାରତ ସରକାର ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ସହିତ ଆବଶ୍ୟକ ସମନ୍ୱୟ ଉପରେ ଆଲୋଚନା କରି ସୁପାରିଶ ବ୍ୟାପକ ବ୍ୟବସ୍ଥା କରିବ ।