ଭୁବନେଶ୍ୱର : ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡା ଉପର୍ନିବାଚନ ପାଇଁ ମତଦାନ ହେବାକୁ ଯାଉଥିବାବେଳେ ତିନି ପ୍ରମୁଖ ଦଳଙ୍କ ନଜର ଏବେ ଦାଦନ ଭୋଟରଙ୍କ ଉପରେ । ଏମାନଙ୍କ ଭୋଟ ପ୍ରାର୍ଥୀଙ୍କ ଭାଗ୍ୟ ବଦଳାଇ ଦେବ ବୋଲି କୁହାଯାଉଥିବାବେଳେ କେତେ ଦାଦନ ଭୋଟ ଦେବାକୁ କର୍ମକ୍ଷେତ୍ର ଛାଡି ଆସିବେ ତାହାକୁ ନେଇ ଆକଳନ କରିବା କାଠିକରପାଠ ହୋଇଛି ।
ନୂଆପଡା ବିଧାନସଭା କ୍ଷେତ୍ରରେ ପ୍ରାୟ ଅଢେଇ ଲକ୍ଷ ଭୋଟର ଥିବାବେଳେ ଏମାନଙ୍କ ମଧ୍ୟରୁ ପାଖାପାଖି ୪୦ହଜାର । ଏହି ଶ୍ରମିକମାନେ ରାଜ୍ୟ ବାହାରେ କାର୍ଯ୍ୟରତ । ନୂଆପଡା ଗୋଟିଏ ଶିଳ୍ପ ବିହୀନ ଜିଲ୍ଲା ହୋଇଥିବାରୁ ଏଠାକାର ଯୁବବର୍ଗ କାର୍ଯ୍ୟ ଅନ୍ୱେଷଣରେ ରାଜ୍ୟ ବାହାରକୁ ଯାଇଥାନ୍ତି । ତେବେ ଏହି ଶ୍ରମିକମାନେ ସାଧାରଣତଃ ପଶ୍ଚିମଓଡିଶାର ଗଣପର୍ବ ନୂଆଖାଇରେ ଘରକୁ ଆସିଥାନ୍ତି । ମାସକତଳେ ଆସିଥିବା ଏହି ଶ୍ରମିକଙ୍କ ମଧ୍ୟରୁ ସଂଖ୍ୟାଧିକ ନିଜ ନିଜ କର୍ମକ୍ଷେତ୍ରକୁ ଫେରିଛନ୍ତି । ଏମାନଙ୍କ ମଧ୍ୟରୁ କେତେ ସଂଖ୍ୟକ ଭୋଟର ଆସି ଉପନିର୍ବାଚନରେ ଭୋଟ ଦେବେ ତାହା ଆକଳନ କରାଯାଇ ପାରୁନାହିଁ । ତେବେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ଦାଦନ ଭୋଟରଙ୍କୁ ଆଣି ନିଜ ସପକ୍ଷରେ ଭୋଟ ଦେବାଲାଗି ଉଦ୍ୟମ ଆରମ୍ଭ ହୋଇଯାଇଛି ।
ଅନ୍ୟ ପକ୍ଷରେ ମୋଟ ଭୋଟରଙ୍କ ମଧ୍ୟରୁ ପ୍ରାୟ ୪୦ ପ୍ରତିଶତ ହେଉଛନ୍ତି ଆଦିବାସୀ । ଏମାନଙ୍କ ସଂଖ୍ୟା ପ୍ରାୟ ଏକ ଲକ୍ଷ ହେବ । ନୂଆପଡା ରାଜନୀତିରେ ଆଦିବାସୀଙ୍କ ଭୋଟ ପ୍ରମୁଖ ଭୂମିକା ନିର୍ବାହ କରୁଥିବାବେଳେ ସେମାନଙ୍କ ଉପରେ ଏବେ ତିନି ଦଳ ଦୃଷ୍ଟି ନିବଦ୍ଧ କରିଛନ୍ତି । ତେବେ ଇତି ମଧ୍ୟରେ ଆଦିବାସୀସଂଘ ବହୁ ଭାଗରେ ବିଭକ୍ତ ହୋଇ ଭିନ୍ନ ଭିନ୍ନ ଦଳକୁ ସମର୍ଥନ କରୁଥିବା ଲକ୍ଷ୍ୟ କରାଯାଉଛି । ତେବେ ଶେଷ ମୂହୂର୍ତ୍ତରେ ଆଦିବାସୀଙ୍କ ଭୋଟ ର ସିଂହଭାଗ ନିଜ ପଟୁ ଆଣିବାକୁ ତିନି ଦଳ ଏବେଠାରୁ ବିଭିନ୍ନ ପନ୍ଥା ଆପଣେଇବାରେ ଲାଗିଛନ୍ତି ।
କେବଳ ଆଦିବାସୀ ଭୋଟ ନୁହେଁ, ଏସ୍ସି ବର୍ଗର ଭୋଟ ମଧ୍ୟ ଏଠାରେ ପ୍ରାୟ ୧୫ ପ୍ରତିଶତ ରହିଛି । ତେଣୁ ଏହି ବର୍ଗଙ୍କ ଭୋଟ ମଧ୍ୟ ରାଜନୈତିକଦଳଗୁଡିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ । ବର୍ତ୍ତମାନ ସୁଦ୍ଧା ଏହି ବର୍ଗର ଭୋଟରମାନେ କାହା ପଟକୁ ଯିବେ ସେଥିନେଇ କୌଣସି ଘୋଷଣା କରିନଥିବାବେଳେ ରାଜନୈତିକଦଳଗୁଡିକ କିନ୍ତୁ ଏହି ଭୋଟରଙ୍କ ଉପରେ ନଜର ରଖିଛନ୍ତି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ ନୂଆପଡାର ମହିଳା ଭୋଟର । କାରଣ ଏମାନଙ୍କ ସଂଖ୍ୟା ୫୦ ପ୍ରତିଶତରୁ ଅଧିକ । ମହିଳାମାନେ ଯାହାକୁ ଅଧିକ ସଂଖ୍ୟାରେ ଭୋଟ ଦେବେ ସେହି ପ୍ରାର୍ଥୀ ବିନା ବାଧାରେ ବିଜୟୀ ହେବ ବୋଲି ଆକଳନ କରାଯାଉଛି । ତେଣୁ ମହିଳା ଭୋଟରଙ୍କୁ ମନାଇବାପାଇଁ ତିନି ପ୍ରମୁଖ ଦଳ ବିଭିନ୍ନ ପନ୍ଥା ଗ୍ରହଣ କରିବାରେ ଲାଗିଛନ୍ତି । ନିର୍ବାଚନୀ ପ୍ରଚାରରେ ଏବେ ମିଶନ ଶକ୍ତି ଠାରୁ ଆରମ୍ଭ କରି ସୁଭଦ୍ରା ପର୍ଯ୍ୟନ୍ତ ବିଭିନ୍ନ ଯୋଜନାକୁ ଯୋଡିବା ଆରମ୍ଭ ହୋଇଛି ।
ନୂଆପଡା ଏଭଳି ଏକ ର୍ନିବାଚନମଣ୍ଡଳୀ ଯେଉଁଠୁ ଅତୀତରେ କଂଗ୍ରେସ, ଗଣତନ୍ତ୍ର ପରିଷଦ, ସ୍ୱାଧୀନ, ବିଜେଡି ଓ ବିଜେପି ପ୍ରାର୍ଥୀ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି । ସବୁ ବର୍ଗର ପ୍ରାର୍ଥୀଙ୍କ ପରଖିଥିବା ନୂଆପଡା ଭୋଟର ଏଥର କାହାକୁ ବିଜୟୀ କରାଇବେ ତାହା ଉପରେ ସମସ୍ତଙ୍କ ନଜର ଥିବାବେଳେ ଭୋଟରଙ୍କୁ ନିଜ ପଟକୁ ଆଣିବାକୁ ରାଜନୈତିକଦଳଗୁଡିକ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି ।
ଉଲ୍ଲେଖନୀୟ ଯେ ୨୦୨୪ ନିର୍ବାଚନରେ ଏଠାରୁ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ୬୧ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କର ଆକସ୍ମିକ ମୃତ୍ୟୁ ଯୋଗୁଁ ଏଠାରେ ଉପନିର୍ବାଚନ ହେଉଛି । ସେହିଭଳି ଉକ୍ତ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଘାଷିରାମ ମାଝୀ ୫୦ହଜାରରୁ ଅଧିକ ଭୋଟ ପାଇଁ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଘାଷିରାମ ଚଳିତ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି । ତୃତୀୟ ସ୍ଥାନରେ ଥିବା ବିଜେପି ପ୍ରାର୍ଥୀ ଅଭିନନ୍ଦନ ପଣ୍ଡାଙ୍କୁ ଦଳ ଏଥର ଟିକଟ ନଦେଇ ସ୍ୱର୍ଗତ ଢୋଲକିଆଙ୍କୁ ପୁଅ ଜୟ ଢୋଲକିଆଙ୍କୁ ଦଳୀୟ ପ୍ରାର୍ଥୀ କରିଛି । (ତଥ୍ୟ)

