ଭୁବନେଶ୍ୱର : ରାଜ୍ୟରେ ଯେଭଳି ଦଳଡିଆଁ ପର୍ବ ଚାଲିଛି ଓ ଟିକଟ ଆଶାୟୀମାନେ ଅନିଶ୍ଚିତତା ଭିତରକୁ ଠେଲିହୋଇ ଯାଉଛନ୍ତି ତାହାକୁ ଦୃଷ୍ଟିରେ ରଖି ଚଳିତ ନିର୍ବାଚନରେ ଜଣେ ଜଣେ ପ୍ରାର୍ଥୀ ଏକାଧିକ ସେଟ୍ର ନାମାଙ୍କନ ଦାଖଲ କରିବେ ବୋଲି ସୂଚନା ମିଳିଲାଣି । ବିଶେଷକରି ଶେଷ ମୂହୂର୍ତ୍ତରେ ଦଳୀୟ ଟିକଟ କଟିବା ଆଶଙ୍କା କରୁଥିବା ପ୍ରାର୍ଥୀମାନେ ଦଳୀୟ ଟିକଟ ସହିତ ଆଉ ଗୋଟିଏ ସେଟ୍ ସ୍ୱାଧୀନ ପ୍ରାର୍ଥୀପତ୍ର ଦାଖଲ ପାଇଁ ସଜବାଜ ହେଉଛନ୍ତି ।
ବର୍ତ୍ତମାନ ସୁଦ୍ଧା ଶାସକ ବିଜେଡି ଦଳ ୧୫ଟି ଲୋକସଭା ଆସନ ସହିତ ୭୨ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ବିଜେପି ସମସ୍ତ ୨୧ଟି ଲୋକସଭା ଆସନପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଥିବାବେଳେ ବିଧାନସଭା ତାଲିକାର ପତ୍ତା ଖୋଲିନାହିଁ । ସେହିଭଳି ମାର୍ଚ୍ଚ ପ୍ରଥମ ସପ୍ତାହରେ ପ୍ରାର୍ଥୀ ତାଲିକା ପ୍ରକାଶ କରିବ ବୋଲି ଘୋଷଣା କରିଥିବା ରାଜ୍ୟ କଂଗ୍ରେସ ବର୍ତ୍ତମାନ ସୁଦ୍ଧା ଲୋକସଭା କିମ୍ବା ବିଧାନସଭା ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିନାହିଁ ।
ତେବେ ଉଭୟ ବିଜେପି ଓ ବିଜେଡିରେ ଯେଭଳି ମିଶ୍ରଣ ଓ ଦଳଛଡା ପର୍ବ ଚାଲିଛି ତାହା ଅନେକ ପ୍ରାର୍ଥୀଙ୍କୁ ଆଶା ଆଶଙ୍କା ଭିତରକୁ ଠେଲି ଦେଉଛନ୍ତି । ପ୍ରତିଦିନ ଏକାଧିକ ବରିଷ୍ଠ ଓ କନିଷ୍ଠ ନେତା ଏହି ଦୁଇ ଦଳରେ ଯୋଗ ଦେଉଛନ୍ତି । କଂଗ୍ରେସ ଦଳ ଛାଡି ମଧ୍ୟ କେତେକ ନେତା ଏହି ଦୁଇ ଦଳରେ ମିଶୁଛନ୍ତି । ମିଶ୍ରଣ ତାଲିକାରେ ସାଂସଦ, ବିଧାୟକ, ପୂର୍ବତନ ସାଂସଦ, ମନ୍ତ୍ରୀ ଓ ବିଧାୟକମାନେ ରହିଛନ୍ତି । ତେଣୁ ଏମାନେ ଶେଷ ମୂହୂର୍ତ୍ତରେ ଦଳୀୟ ପ୍ରାର୍ଥୀଙ୍କ ଟିକଟ ହାତେଇ ନେବାର ଆଶଙ୍କା ଉପୁଜିଛି ।
ଗୋଟିଏ ପଟେ ଟିକଟ ଆଶାୟୀଙ୍କ ସଂଖ୍ୟା ବଢୁଥିବାବେଳେ ଅନ୍ୟପଟେ ଟିକଟ ପାଇନଥିବା ଦଳୀୟ ନେତା ବିଭିନ୍ନ ଆଡୁ ଚାପ ପକାଉଛନ୍ତି । କେତେକ ତ ସିଧାସଳଖ ଦଳର ହର୍ତ୍ତାକର୍ତ୍ତାଙ୍କୁ ନାଲିଆଖି ବି ଦେଖାଇବା ଆରମ୍ଭ କଲେଣି । ତେବେ ବିଦ୍ରୋହ ପ୍ରଶମିତ ପାଇଁ ଗୋଟିଏ ଆସନ ପାଇଁ ଏକାଧିକ ଆଶାୟୀଙ୍କୁ ପ୍ରତିଶ୍ରୁତି ମିଳୁଛି । କାଳେ କିଏ ଦଳବଳ ସହିତ ଅନ୍ୟଦଳକୁ ପଳାଇବ ତାହାକୁ ରୋକିବାପାଇଁ ଏଭଳି ପନ୍ଥା ଅବଲମ୍ବନ କରାଯାଉଛି ।
ତେଣୁ ପୂର୍ବଭଳି କେତେକ ସ୍ଥାନରେ ଟିକଟ ପାଇଥିବା ନେତାଙ୍କୁ ଶେଷ ମୂହୂର୍ତ୍ତରେ ପ୍ରତ୍ୟାହାର କରାଯିବାର ଆଶଙ୍କା ଉପୁଜିଲାଣି । ରାଜ୍ୟରେ ମଧ୍ୟ ଏଭଳି ଉଦାହରଣ ରହିଛି । ଶେଷ ମୂହୂର୍ତ୍ତରେ ଦଳ ଟିକଟ ପ୍ରତ୍ୟାହାର କରିବାରୁ ବରିଷ୍ଠ ନେତା ବିଜୟ ମହାପାତ୍ର ନିର୍ବାଚନ ଲଢିପାରି ନଥିଲେ । ସେବେଠାରୁ ସେ ବିଧାନସଭାକୁ ଆସିପାରୁ ନାହାନ୍ତି । ତେଣୁ ଏଥର ମଧ୍ୟ ବିଦ୍ରୋହ ଦମନ ଓ ପ୍ରତିଶ୍ରୁତି ପୂରଣ ପାଇଁ ଏଭଳି ପନ୍ଥା ଗ୍ରହଣ କରାଯିବ ବୋଲି ଆଶଙ୍କା ପ୍ରକାଶ ପାଉଛି । କାରଣ ପ୍ରାର୍ଥୀପତ୍ର ଦାଖଲ କରାଯାଇଥିଲେ ମଧ୍ୟ ଶେଷ ମୂହୂର୍ତ୍ତରେ ଦଳୀୟ ନିର୍ଦ୍ଦେଶରେ ତାହା ବାତିଲ ହେବା ସହିତ ଅନ୍ୟ ଜଣଙ୍କୁ ଟିକଟ ମିଳିବାରେ କୌଣସି ଅସୁବିଧା ନାହିଁ । ଏଭଳି ସ୍ଥିତିରେ ଟିକଟ କଟିଥିବା ନେତାମାନେ ସ୍ୱାଧୀନ ଭାବରେ ବି ଲଢିବାର ସୁଯୋଗ ପାଇବେ ନାହିଁ ।
ତେଣୁ ଏହାକୁ ଦୃଷ୍ଟିରେ ରଖି କିଛି ବିଧାୟକ ପ୍ରାର୍ଥୀ ଏବେ ଦଳୀୟ ଟିକଟ ସହିତ ଗୋଟିଏ ସେଟ୍ର ସ୍ୱାଧୀନ ପ୍ରାର୍ଥୀପତ୍ର ଦାଖଲ ପାଇଁ ପ୍ରସ୍ତୁତ ହେଉଛନ୍ତି । କର୍ମୀମାନେ ମଧ୍ୟ ଅନୁରୂପ ପରାମର୍ଶ ଦେଉଛନ୍ତି । ଏହା ଫଳରେ ଦଳ ଯଦି ଶେଷ ମୂହୂର୍ତ୍ତରେ ସେମାନଙ୍କ ଟିକଟ ପ୍ରତ୍ୟାହାର କରିନିଏ ତେବେ ଅତି କମ୍ରେ ସ୍ୱାଧୀନଭାବେ ଲଢିବାର ସୁଯୋଗ ମିଳିପାରିବ । ଏଥିପାଇଁ ଏବେଠାରୁ କିଛି ପ୍ରାର୍ଥୀ କାଗଜପତ୍ର ପ୍ରସ୍ତୁତ ଆରମ୍ଭ କରିଥିବା ସୂଚନା ମିଳିଛି । (ତଥ୍ୟ)