Home News in Odia ଦଶ ବିଜୁ ଯୁବ ଏବଂ ଛାତ୍ର ନେତା ନିଲମ୍ବିତ

ଦଶ ବିଜୁ ଯୁବ ଏବଂ ଛାତ୍ର ନେତା ନିଲମ୍ବିତ

ଭୁବନେଶ୍ୱର : ଦଳ ବିରୋଧୀ କର୍ଯ୍ୟ ପାଇଁ ୧୦ ଜଣ ବିଜୁ ଯୁବ ଏବଂ ଛାତ୍ର ନେତାଙ୍କୁ ଦଳରୁ ନିଲମ୍ବିତ କଲା ବିଜେଡି। ଶୁକ୍ରବାର ଏନେଇ ଦଳ ପକ୍ଷରୁ ବିବୃତ୍ତି ଜାରି କରାଯାଇ ସୂଚନା ଦିଆଯାଇଛି। ନିଲମ୍ବିତଙ୍କ ମଧ୍ୟରୁ ୭ ଜଣ ଛାତ୍ର ନେତା ହୋଇଥିବା ବେଳେ ୩ ଯୁବ ନେତା ଅଛନ୍ତି।

ବିଜେଡିରୁ ନିଲମ୍ବିତ ହୋଇଥିବା ୩ ଯୁବ ନେତା ହେଲେ, ସାଧାରଣ ସମ୍ପାଦକ ଅଶୋକ ମିଶ୍ର, ଶୋଭନ ମହାନ୍ତି ଏବଂ ଅନୁପମ ଶତପଥି। ସେହିଭଳି ନିଲମ୍ବିତ ହୋଇଥିବା ବିଜୁ ଛାତ୍ର ଜନତା ଦଳର ୭ ଜଣଙ୍କ ମଧ୍ୟରେ ଅଛନ୍ତି ବିସିଜେଡିର ମହାସଚିବ ସୁଜିତ ପାଲଟା ସିଂହ ଓ ସାଧାରଣ ସମ୍ପାଦକ ଦେବୋପ୍ରସାଦ ରାଉତରାୟ।

ପାଞ୍ଚ ଜଣ ବିଜୁ ଛାତ୍ର ଉପସଭାପତି ରଞ୍ଜିତ ଦାସ, ଅବିନାଶ ମହାନ୍ତି, ଦେବୀପ୍ରସାଦ ଲେଙ୍କା, ଅଶିତ ରଞ୍ଜନ ଦାସ ଓ ସିଦ୍ଧାର୍ଥ ସ୍ୱାଇଁଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି। ସେହିପରି ପୂରୀ ପୌର ପରିଷଦର ପୂର୍ବତନ ଅଧ୍ୟକ୍ଷ ଗୌରହରୀ ପ୍ରଧାନଙ୍କୁ ମଧ୍ୟ ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ କରାଯାଇଛି।

ସେପଟେ କ୍ରସ ଭୋଟିଂ କରିଥିବା ବିଧାୟକଙ୍କ ବିରୁଦ୍ଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ବିଚାର ବିମର୍ଷ କରୁଛି। ଏନେଇ ଶୁକ୍ରବାର ଶଙ୍ଖ ଭବନରେ ବିଜେଡି ଶୃଙ୍ଖଳା କମିଟିର ବୈଠକ ହୋଇଥିଲା। ଦେବୀ ମିଶ୍ର, ରାଜଶ୍ରୀ ମଲ୍ଲିକ, ଶର୍ମିଷ୍ଠା ସେଠୀ, ସାରଦା ଜେନା, ଚନ୍ଦ୍ରଶେଖର ସାହୁ, ଲୋପାମୁଦ୍ରା ବକ୍ସିପାତ୍ରଙ୍କ ନେତୃତ୍ବରେ ବସିଥିବା ଏହି ଶୃଙ୍ଖଳା କମିଟି ବୈଠକରେ ବିଧାୟକଙ୍କ ବିରୁଦ୍ଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ସେ ନେଇ ଆଲୋଚନା ହୋଇଛି।