Home General ଦଶ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

ଦଶ ପ୍ରସ୍ତାବ ଉପରେ କ୍ୟାବିନେଟ ମୋହର

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍‍ ଆଜି ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଂଜୁରୀ ଦେଇଛି। କ୍ୟାବିନେଟ୍‍ ନିଷ୍ପତ୍ତି ସଂକ୍ରାନ୍ତରେ ସୂଚନା ଦେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା କହିଛନ୍ତି ଯେ ବିକଶିତ ଗାଁ ବିକଶିତ ଓଡ଼ିଶା ଯୋଜନା ଅଧୀନରେ ଏବଂ ପ୍ରକଳ୍ପ ଚୟନରେ ସ୍ୱଚ୍ଛତା ଅବଲମ୍ବନ କରିବା ତଥା ଗୋଷ୍ଠୀ ଭାଗିଦାରୀତାକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ବର୍ତ୍ତମାନ କାର୍ଯ୍ୟକ୍ଷମ ଥିବା ନିର୍ଦ୍ଦେଶାବଳୀରେ ସଂଶୋଧନ କରିଛନ୍ତି। ସଂଶୋଧନ ପ୍ରସ୍ତାବ ଅନୁଯାୟୀ ତୃଣମୂଳ ସ୍ତରରେ ଅଂଶଗ୍ରହଣ ଏବଂ ବଟମ୍- ଅପ୍ ଆଭିମୁଖ୍ୟକୁ ଗୁରୁତ୍ୱ ଦେଇ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର ଚୟନ ଏବଂ ଅନୁମୋଦନ ପାଇଁ ନୂତନ ଢାଞ୍ଚା ପ୍ରସ୍ତୁତ କରାଯାଇଛି।

ସଂଶୋଧିତ ପ୍ରକ୍ରିୟା ଅଧୀନରେ ଆବଶ୍ୟକତା ଭିତ୍ତିକ ପ୍ରକଳ୍ପ ପ୍ରସ୍ତାବଗୁଡ଼ିକ ଏବେ ଜିଲ୍ଲାପାଳ, ଜିଲ୍ଲା ପରିଷଦ, ବ୍ଳକ, ଗ୍ରାମପଞ୍ଚାୟତ କାର୍ଯ୍ୟାଳୟର ସୂଚନା ଫଳକ ଓ ଜିଲ୍ଲା ୱେବପୋର୍ଟାଲରେ ଏକ ବିଜ୍ଞପ୍ତି ପ୍ରକାଶ କରି ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ଓ ନାଗରିକ ସମାଜ ସଦସ୍ୟଙ୍କ ଠାରୁ ଆପତ୍ତି ଆହ୍ଵାନ କରାଯିବ। ଏହି ପ୍ରସ୍ତାବଗୁଡ଼ିକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଜିଲ୍ଲା ସ୍ତରୀୟ କମିଟି ଦ୍ୱାରା ସମୀକ୍ଷା କରାଯାଇ ଚୂଡ଼ାନ୍ତ ପ୍ରକଳ୍ପର ତାଲିକା ଜିଲ୍ଲାସ୍ତରରେ ଅନୁମୋଦନ କରାଯିବ। ଉତ୍ତରଦାୟିତ୍ୱକୁ ସୁଦୃଢ଼ କରିବା ପାଇଁ ୧୦ ଲକ୍ଷ ଟଙ୍କାରୁ ଅଧିକ ସମସ୍ତ ପ୍ରକଳ୍ପ ପାଇଁ ସମାପ୍ତି ତାରିଖରୁ ତିନି ବର୍ଷର ଏକ ବାଧ୍ୟତାମୂଳକ ତ୍ରୁଟି ଦାୟିତ୍ୱ ଅବଧି ପ୍ରଚଳନ କରାଯାଇଛି। ଏହି ସଂଶୋଧୀତ ମାର୍ଗଦର୍ଶୀକା  ଆର୍ଥିକ ବର୍ଷ ୨୦୨୫-୨୬ ରୁ କାର୍ଯ୍ୟକାରୀ ହେବ।

ସେହିଭଳି ଉତ୍କର୍ଷ ଆଇଟିଆଇ ଯୋଜନା ଦ୍ବାରା ରାଜ୍ୟର ସବୁ ଆଇଟିଆଇକୁ ଜୋନାଲ୍ ଆଇଟିଆଇ ଭାବେ ଅପଗ୍ରେଡ କରିବାପାଇଁ ଯୋଜନ କରାଯାଇଛି । ବର୍ତ୍ତମାନର ଶିଳ୍ପ ଆବଶ୍ୟକତା ସହ ସମନ୍ବୟ ରଖି ଆଇଟିଆଇ ଗୁଡିକର ବିକାଶ କରାଯିବ ବୋଲି କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି। ପ୍ରସ୍ତାବିତ ଉତ୍କର୍ଷ ଆଇଟିଆଇ ଯୋଜନାରେ ୫ଟି ସରକାରୀ ଆଇଟିଆଇ- ପୁରୀ ସରକାରୀ ଆଇଟିଆ ପୁରୀ, ବଲାଙ୍ଗୀର ସରକାରୀ ଆଇଟିଆଇ, କୋରାପୁଟ ସ୍ଥିତ ଆମ୍ବାଗୁଡା ସରକାରୀ ଆଇଟିଆଇ, କେନ୍ଦ୍ରାପଡାସ୍ଥିତ ରାଜକନିକା ଆଇଟିଆଇ ଓ ରାଉଲକେଲା ଆଇଟିଆଇକୁ ଉତ୍କର୍ଷ ଆଇଟିଆଇ ଭାବେ ଉନ୍ନିତ କରାଯିବ। ଶିଳ୍ପ ଅନୁକୂଳ ଭିତ୍ତିଭୂମୀ ଗଠନ ସହିତ ଅତ୍ୟାଧୁନିକ ଲାବ୍, ସ୍ମାର୍ଟ କ୍ଲାସରୁମ, ଡିଜିଟାଲ ଶିକ୍ଷାଦାନ ଏବଂ ଉପକରଣ ସହ ଆଇଟିଆଇଗୁଡିକର ବିକାଶ କରାଯିବ। ଏହିସବୁ ଆଇଟିଆଇଗୁଡିକୁ ଜୋନାଲ ହବ ଭାବରେ କାର୍ଯ୍ୟକ୍ଷମ କରାଯିବ। ଆତ୍ମନିଯୁକ୍ତି ଓ ଚାକିରି ସୁଯୋଗ ସୃଷ୍ଟି କରିବା ପାଇଁ ଉଦ୍ୟମିତା ପ୍ରଚାର ସେଲଗୁଡ଼ିକୁ ସୁଦୃଢ଼ କରାଯିବ।

ପାରମ୍ପରିକ ଜଳସେଚନ ଚାଷ ଉପଯୋଗୀ ଢିପ ଜମିଗୁଡ଼ିକର ଭୌଗୋଳିକ ସ୍ଥିତି ପାଇଁ ପାରମ୍ବାରିକ ପଦ୍ଧତିରେ ଜଳସେଚନ କରିବା ସମ୍ଭବପର ହୋଇନଥାଏ । ନଦୀ, ଜଳଭଣ୍ଡାର ଏବଂ କେନାଲରୁ ଜଳ ଉତ୍ତୋଳନ କରାଯାଇ ଏହିପରି ୨,୬୩,୮୦୧ ହେକ୍ଟର ଜମିଗୁଡିକୁ ଜଳସେଚନ ସୁବିଧା ଯୋଗାଇ ଦେବା ପାଇଁ ସରକାର ୧୦,୭୫୯ କୋଟି ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପାର୍ବତୀ ଗିରି ବୃହତ ଉଠା ଜଳସେଚନ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ପ୍ରସ୍ତାବିତ କ୍ଲଷ୍ଟର ୩୨ ମାଧ୍ଯମରେ ୪ଟି ଉଠା ଜଳସେଚନ ନିର୍ମାଣ କରି ଇବ ନଦୀ, ହୀରାକୁଦ ଜଳଭଣ୍ଡାର, ଭେଡ଼େନ ନଦୀରୁ ଜଳ ଉତ୍ତୋଳନ କରି ଚାପ ନିୟନ୍ତ୍ରିତ ଜଳଯୋଗାଣ ବ୍ୟବସ୍ଥା ଜରିଆରେ ଝାରସୁଗୁଡା ଜିଲ୍ଲାର ୬୪୮୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବାକୁ ପ୍ରସ୍ତାବ ରହିଛି । ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୧୬୭ କୋଟି ୩୩ ଲକ୍ଷ ୯୫ ହଜାର ଟଙ୍କା ଏବଂ ଏବଂ ପନ୍ଦର ବର୍ଷ ପାଇଁ ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ୧୩ କୋଟି ୩୮ଲକ୍ଷ ୭୧ ହଜାର ୬୦୭ଟଙ୍କା ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ପ୍ରକଳ୍ପଟି ୩୬ ମାସ ମଧ୍ୟରେ ସମ୍ପୂର୍ଣ କରାଯିବାର ଲକ୍ଷ୍ୟ ରଖା ଯାଇଅଛି ।

ସେହିପରି ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପର ପ୍ରସ୍ତାବିତ କ୍ଲଷ୍ଟର – ୩୩ ମାଧ୍ୟମରେ ୦୪ ଟି ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ କରି ହୀରାକୁଦ ଜଳଭଣ୍ଡାରରୁ ଚାପ ନିୟନ୍ତ୍ରିତ ଜଳଯୋଗ ଯୋଗାଣ ବ୍ୟବସ୍ଥା ଦ୍ଵାରା ଝାରସୁଗୁଡ଼ା ଜିଲ୍ଲାର ୬,୩୬୦ ହେକ୍ଟର ଚାଷଜମିକୁ ଜଳସେଚନ ଯୋଗାଇ ଦେବାକୁ ଲକ୍ଷ୍ୟ ରଖାଯାଇଛି। ଆଜି ରାଜ୍ୟ କ୍ୟାବିନେଟ ଏହି ପ୍ରକଳ୍ପର ନିର୍ମାଣ ପାଇଁ ୧୭୬ କୋଟି ୮୭ ଲକ୍ଷ ୫୬ ହଜାର ୬୨୯ ଟଙ୍କା ଏବଂ ପନ୍ଦର ବର୍ଷ ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ୧୪ କୋଟି ୧୫ ଲକ୍ଷ ୫୩୦ ଟଙ୍କାର ଟେଣ୍ଡରଟିକୁ ଅନୁମୋଦନ କରିଛନ୍ତି । ଏହି ପ୍ରକଳ୍ପକୁ ମଧ୍ୟ ୩୬ ମାସ ମଧ୍ୟରେ ସାରିବାକୁ ଲକ୍ଷ୍ୟ ରଖାଯାଇଅଛି।

ଏଥିସହିତ କଳାହାଣ୍ଡି ଜିଲ୍ଲାର ସାନ୍ଦୁଲ ବ୍ୟାରେଜ ପ୍ରକଳ୍ପ ଅଧାନରେ ୫୦୦୦ ହେକ୍ଟର ଚାଷ ଉପୋଯୋଗୀ ଜମି ପାଇଁ ଭୂତଳ ପାଇପ୍ ଲାଇନ ଜଳସେଚନ ପ୍ରଣାଳୀ ନିର୍ମାଣ ଦ୍ବାରା ଖରିଫ ଜଳସେଚନ ସୁନିଶ୍ଚତ କରିବାକୁ ପ୍ରସ୍ତାବ ରହିଛି। ଆଜି ରାଜ୍ୟ କ୍ୟାବିନେଟ ଏହି ଏହି ପ୍ରକଳ୍ପ ପାଇଁ ୧୫୪ କୋଟି ୭୨ ଲକ୍ଷ ୯୧ ହଜାର ୬୨୦ ଟଙ୍କା ଓ ୫ ବର୍ଷ ପରିଚାଳନା ଓ ରକ୍ଷଣାବେକ୍ଷଣ ମୂଲ୍ୟ ବାବଦରେ ୭ କୋଟି ୭୩ ଲକ୍ଷ ୬୪ ହଜାର ୫୮୧ ଟଙ୍କା ଟେଣ୍ଡରକୁ ଅନୁମୋଦନ କରିଛନ୍ତି । ଏହି କାର୍ଯ୍ୟ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ପ୍ରକଳ୍ପ ଦ୍ବାରା କଳାହାଣ୍ଡି ଜିଲ୍ଲାର କର୍ଲାମୁଣ୍ଡା, ନର୍ଲା ଏବଂ କେସିଙ୍ଗା ବ୍ଲକର ମରୁଡି ପ୍ରଭାବିତ ୫ହଜାର ହେକ୍ଟର ଜମି ଜଳସେଚିତି ହୋଇପାରିବ। 

ରାଜ୍ୟର ସମସ୍ତ ସରକାରୀ ବିଶ୍ବବିଦ୍ୟାଳୟରେ ଶିକ୍ଷକଙ୍କ ପ୍ରତ୍ୟକ୍ଷ ନିଯୁକ୍ତିରେ ଏକକ ସଂରକ୍ଷଣ ନୀତି ଲାଗୁ କରିବାକୁ ଓଡିଶା ରାଜ୍ୟ ସରକାରୀ ବିଶ୍ବବିଦ୍ୟାଳୟ (ଶିକ୍ଷକ କ୍ୟାଡରରେ ସଂରକ୍ଷଣ) ଅଧ୍ୟାଦେଶ ୨୦୨୫ର ପ୍ରଣୟନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ ଅନୁମୋଦ ଦେଇଛି। ଏହାଦ୍ବାରା ଏଣିକି ପ୍ରଫେସର, ଆସୋସିଏଟ୍ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ନିଯୁକ୍ତିରେ ସଂରକ୍ଷଣ କାର୍ଯ୍ୟକାରୀ କରିବା ପାଇଁ ବିଶ୍ବବିଦ୍ୟାଳୟଟିକୁ ଏକକ ଭାବରେ ବିଚାର କରାଯିବ। ଏଣିକି ଆଉ ବିଭାଗ ଭିଭିକ ସଂରକ୍ଷଣ ପ୍ରଣାଳୀ ଲାଗୁ ହେବ ନାହିଁ।

ପ୍ରତ୍ୟେକ କ୍ୟାଡର ନିମନ୍ତେ ପୋଷ୍ଟ-ଆଧାରିତ ରୋଷ୍ଟର ବ୍ୟବସ୍ଥା କରାଯିବ ଯାହାଦ୍ବାରା ସଂରକ୍ଷଣ ନୀତି ସମସ୍ତ ବିଶ୍ବବିଦ୍ୟାଳୟରେ ସମାନ ଭାବେ ଲାଗୁ ହେବା ସହ ନିଯୁକ୍ତି ପ୍ରକ୍ରିୟା ଅଧିକ ସ୍ବଚ୍ଛ ଓ ସହଜ ହେବ। ଏହି ସଂଶୋଧନ ଦ୍ବାରା ଆନୁସୂଚିତ ଜାତି, ଜନଜାତୀ ଓ ଅନ୍ୟାନ ସାମାଜିକ ଅର୍ଥନୈତିକ ପଛୁଆ ବର୍ଗ ଓ ଅନ୍ୟାନ୍ୟ ଯୋଗ୍ୟ ବର୍ଗମାନଙ୍କ ପ୍ରତିନିଧିତ୍ବ ବୃଦ୍ଧି ଜାତୀୟ ସ୍ତରର ନୀତି ସହ ସମନ୍ବୟ ରଖି ସୁନିଶ୍ଚିତ କରାଯିବ। ଏଥିସହିତ ରାଜ୍ୟ କ୍ୟାବିନେଟ ଆଜି ବିଧାନସଭାର ଶୀତ ଅଧିବେଶନର ସତ୍ରାବସାନକୁ ମଂଜୁରୀ ଦେଇଛି।