ଭୁବନେଶ୍ୱର : ଭିନ୍ନ ଦଳରୁ ଆସି ବିଜେପି ଟିକଟରେ ବିଧାୟକ ଓ ସାଂସଦ ଭାବେ ନିର୍ବାଚିତ ହୋଇଥିବା ଜଣେ ହେଲେ ନେତାଙ୍କୁ କେନ୍ଦ୍ର କିମ୍ବା ରାଜ୍ୟ ମନ୍ତ୍ରୀମଣ୍ଡଳରେ ସ୍ଥାନ ମିଳିନଥିବାବେଳେ ଏବେ ଆଦର୍ଶଗତ ଲଢେଇ ଯୋଗୁଁ ଓଡିଶା ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ନିଯୁକ୍ତି ଦିଆଯାଇ ପାରୁନାହିଁ । ଏଥିଘେନି ଆଶାୟୀ ନେତା, କର୍ମୀ ଓ ସମର୍ଥକଙ୍କ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଥିବାବେଳେ ସମସ୍ତଙ୍କ ନଜର ଦିଲ୍ଲୀର ନିଷ୍ପତ୍ତି ଏବଂ ୧୬ତାରିଖରେ ବସୁଥିବା ରାଜ୍ୟ ବିଜେପି ବୈଠକ ଉପରେ ।
ବିଭିନ୍ନ ଗୋଷ୍ଠିର ଚାପ ଯୋଗୁଁ ଆଡଭୋକେଟ ଜେନେରାଲ ପଦବୀ ଲାଗି ବହୁ ଦାବିଦାରଙ୍କ ନାମ ଚର୍ଚ୍ଚାର ବଳୟକୁ ଆସିବାପରେ ମାସାଧିକକାଳ ଧରି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀ ପୂରଣ ହୋଇପାରୁନଥିଲା । ଶେଷରେ ବିଜେପିର ରାଜ୍ୟ ମୁଖପାତ୍ର ଥିବା ବରିଷ୍ଠ ଓକିଲ ପିତାମ୍ବର ଆଚାର୍ଯ୍ୟଙ୍କୁ ଏହି ପଦବୀରେ ନିଯୁକ୍ତି ଦିଆଯାଇଥିଲେ ମଧ୍ୟ ହାଇକୋର୍ଟ ଠାରୁ ଆରମ୍ଭକରି ନିମ୍ନ ଅଦାଲତ ପର୍ଯ୍ୟନ୍ତ ବିଭିନ୍ନ ପ୍ୟାନେଲରେ ସରକାରୀ ଓକିଲ ନିଯୁକ୍ତିରେ ବିଳମ୍ବ ଘଟୁଛି ।
ଖବର ନେବାରେ ଜଣାପଡିଛି ଯେ ବହୁ ମନ୍ତ୍ରୀ, ବିଧାୟକ, ଦଳୀୟ କାର୍ଯ୍ୟକର୍ତ୍ତା ଓ ମୂଳ ସଂଗଠନର ନେତାମାନେ ଏହିସବୁ ପଦବୀ ପାଇଁ ଲମ୍ବା ତାଲିକାମାନ ଧରାଇ ଦେଉଛନ୍ତି । ଯେଉଁ ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସ ଆଦିରୁ ଆସି ବିଜେପି ଟିକଟରେ ନିର୍ବାଚନ ଲଢି ନେତା ଜିଣିଛନ୍ତି ସେଠାରେ ସେମାନେ ନିଜ ନିଜର ପୂର୍ବ ଦଳର ବହୁ ସମର୍ଥକଙ୍କ ନାମ ସୁପାରିଶ୍ କରୁଥିବାବେଳେ ସମ୍ପୃକ୍ତ ଜିଲ୍ଲା ଓ ନିର୍ବାଚନମଣ୍ଡଳୀର ସାଂଗଠନିକ କର୍ମକର୍ତ୍ତାମାନେ ଏଥିରେ ଅସନ୍ତୋଷବ୍ୟକ୍ତ କରି କେବଳ ମୂଳ ବିଜେପି ଲୋକଙ୍କୁ ନିଯୁକ୍ତି ଦେବାଲାଗି ଅଡି ବସୁଛନ୍ତି ।
ଏବେ ଅବସ୍ଥା ଏଭଳି ହୋଇଛି ଯେ ସରକାରୀ ଓକିଲ ପ୍ୟାନେଲରେ ସ୍ଥାନ ପାଇବାପାଇଁ ଆଗ୍ରହୀ ବହୁ ବ୍ୟକ୍ତି ବିଭିନ୍ନ ଜିଲ୍ଲାରୁ ଆସି ରାଜଧାନୀରେ ଲବି କରୁଛନ୍ତି । ଏ ପରିପ୍ରେକ୍ଷୀରେ କେଉଁମାନଙ୍କୁ ସନ୍ତୁଷ୍ଟ କରିବାପାଇଁ ସେମାନଙ୍କ ତାଲିକାର କେତେ ନାମକୁ ଗ୍ରହଣ କରାଯିବ ଓ ଆଉ କେଉଁ ତାଲିକାର କେତେ ନାମକୁ ଉପେକ୍ଷା କରି କେଉଁମାନଙ୍କୁ ଅସନ୍ତୁଷ୍ଟ କରାଯିବ ସେଥିଘେନି କର୍ତ୍ତୃପକ୍ଷ ଚିନ୍ତାରେ ।
କେବଳ ସେତିକି ନୁହେଁ, ବିଭିନ୍ନ ସରକାରୀ ନିଗମ, ବୋର୍ଡ, କମିଶନ ଆଦିରେ ନିଯୁକ୍ତି ପାଇବାଲାଗି ବି ଆଶାୟୀଙ୍କ ତାଲିକା ଲମ୍ବିବାରେ ଲାଗିଛି । ଏଥିଯୋଗୁଁ ରାଜ୍ୟ ଯୋଜନା ବୋର୍ଡ, ରାଜ୍ୟ ସ୍ୱାସ୍ଥ୍ୟ ମିଶନ, ଆଦିବାସୀ ଉପଦ୍ଦେଷ୍ଟା ପରିଷଦ, ସମାଜ ମଙ୍ଗଳ ବୋର୍ଡ, ମହିଳା କମିଶନ, ସୂଚନା କମିଶନ, ଶିଶୁ ସୁରକ୍ଷା ଅଧିକାର କମିଶନ, ଭିନ୍ନକ୍ଷମ କମିଶନ, ଭାଷା କମିଶନ, ସାହିତ୍ୟ ଏକାଡେମୀ ସମେତ ଅନ୍ୟାନ୍ୟ ସଂସ୍ଥା, ପଶ୍ଚିମଓଡିଶା ବିକାଶ ପରିଷଦ, ଉତ୍ତରଓଡିଶା ବିକାଶ ପରିଷଦ, ଦକ୍ଷିଣଓଡିଶା ବିକାଶ ପରିଷଦ ଆଦି ଗୁରୁତ୍ୱପୂର୍ଣ୍ଣ ସଂସ୍ଥାଗୁଡିକର ପୁର୍ନଗଠନ କରାଯାଇ ପାରୁନାହିଁ । ଏହାଛଡା ବିଭିନ୍ନ ସଂସ୍ଥାର ଉପଦ୍ଦେଷ୍ଟା ଭାବେ କେଉଁମାନଙ୍କୁ ଥଇଥାନ କରାଯିବ ତାହା ବି ଏକ ପ୍ରସଙ୍ଗ ହୋଇରହିଛି ।
ଏଭଳି ସ୍ଥିତିରେ ପୁଣି ବିଧାନ ପରିଷଦ ଲଡୁ ଦେଖାଯାଉଛି । ପ୍ରାୟ ୧୦ବର୍ଷ ତଳୁ ୪୯ଜଣ ସଦସ୍ୟ ବିଶିଷ୍ଟ ରାଜ୍ୟ ବିଧାନ ପରିଷଦ ଗଢାଯିବ ବୋଲି ଚର୍ଚ୍ଚା ଚାଲିଛି ଏବଂ ଏ ସଂକ୍ରାନ୍ତୀୟ ପ୍ରସ୍ତାବ ମଧ୍ୟ ବିଗତ ସରକାର ସମୟରେ କେନ୍ଦ୍ରକୁ ପଠାଯାଇଛି । ଦଶବର୍ଷ ଧରି ପରିଷଦ ଲାଗି ଆଶାରେ ଆଶାରେ ରହି କେତେକ ବ୍ୟକ୍ତି ନିରାଶା ଭିତରେ ଆରପାରିକୁ ଚାଲିଗଲେଣି । ଭିନ୍ନ ଦଳରୁ ଆସି ବିଜେପିର ବିଧାୟକ ହୋଇଥିବା କେତେକ ନେତା ଇତି ମଧ୍ୟରେ ସେମାନଙ୍କ ଅସହାୟତା ବ୍ୟକ୍ତ କରୁଥିଲେ ମଧ୍ୟ ଦଳର ହାଇକମାଣ୍ଡ ସେମାନଙ୍କ ସମର୍ଥକମାନଙ୍କୁ ଉପେକ୍ଷା କରିବେ ନାହିଁ ବୋଲି ଆଶାବାନ୍ଧି ବସିଛନ୍ତି । (ତଥ୍ୟ)